‘ପଓ୍ଵନ ହଂସ’କୁ କିଣିବେ କର୍ମଚାରୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ହେଲିକପ୍ଟର ସେବା ପ୍ରଦାନକାରୀ କମ୍ପାନି ପଓ୍ଵନ ହଂସର ୫୧ ପ୍ରତିଶତ ଅଂଶଧନ କିଣିବା ପାଇଁ କମ୍ପାନିର ପ୍ରାୟ ୩୦୦ କର୍ମଚାରୀ ଆଗ୍ରହ ପ୍ରକାଶ କରିଛନ୍ତି। ଏହି କମ୍ପାନିରେ ସରକାରଙ୍କର ଏବେ ୫୧ ପ୍ରତିଶତ ଅଂଶଧନ ରହିଛି। ଏହାକୁ ସରକାର ବିକ୍ରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କର୍ମଚାରୀଙ୍କ ପାଇଁ ନିଲାମରେ ଭାଗନେବା ସୁଯୋଗ ରହିଛି। କର୍ମଚାରୀମାନେ ମଧ୍ୟ ଏ ନେଇ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ଯଦି କର୍ମଚାରୀମାନେ ଅଂଶଧନ କିଣିବାରେ ସଫଳ ହୁଅନ୍ତି ତାହେଲେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଏଥିପାଇଁ ଅଲ୍‌ ଇଣ୍ଡିଆ ସିଭିଲ ଏଭିଏସନ୍‌ ଏମ୍ପ୍ଲଇଜ୍‌ ଆସୋସିଏସନ୍‌ ଦୁବାଇଭିତ୍ତିକ ମାର୍ଟିନ କନ୍‌ସଲ୍‌ଟିଂକୁ ଉପଦେଷ୍ଟା ଭାବେ ନିଯୁକ୍ତ କରିଛି। ନିବେଶ ଏବଂ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ ପକ୍ଷରୁ ପଓ୍ଵନ ହଂସରେ ସରକାରଙ୍କର ରହିଥିବା ଅଂଶଧନ ବିକ୍ରି ପ୍ରକ୍ରିୟା ପରିଚାଳନା କରୁଛି। ଏହି ଅଂଶଧନ ବିକ୍ରି ବାବଦରେ ସରକାର ପ୍ରାୟ ୫୦୦ କୋଟି ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି। ସରକାରଙ୍କ ନିକଟରେ ପଓ୍ଵନ ହଂସର ୫୧ ପ୍ରତିଶତ ଅଂଶଧନ ଥିବାବେଳେ ରାଷ୍ଟ୍ରାୟତ୍ତ ତେଲ ଓ ଗ୍ୟାସ କମ୍ପାନି ଓଏନ୍‌ଜିସି ନିକଟରେ ୪୯ ପ୍ରତିଶତ ଅଂଶଧନ ରହିଛି।

ପଓ୍ଵନ ହଂସର ଅଂଶଧନ ବିକ୍ରି ପାଇଁ ଶେଷଦିନ ଗତ ଶୁକ୍ରବାର ରହିଥିଲା। କର୍ମଚାରୀମାନେ ଏହି ନିଲାମରେ ଭାଗନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଇଓଆଇ ଦାଖଲର ଅବଧିକୁ ଆଉ ଏକ ସପ୍ତାହ ବଢ଼ାଇ ଦିଆଯାଇଛି। ଏହି ପୁଞ୍ଜି ପ୍ରତ୍ୟାହାରର କାରବାର ପରିଚାଳନା ପାଇଁ ସରକାର ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍‌ସକୁ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ କର୍ମଚାରୀମାନେ ପଓ୍ଵନ ହଂସର ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରି ଆସୁଛନ୍ତି। ଗତ ଫେବ୍ରୁଆରିରେ କର୍ମଚାରୀମାନେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିବା ସହିତ ଉକ୍ତ ପୁଞ୍ଜି ପ୍ରତ୍ୟାହାରକୁ ଅଯୌକ୍ତିକ ଦର୍ଶାଇଥିଲେ। ସେ ଦୃଷ୍ଟିରୁ କର୍ମଚାରୀମାନେ କମ୍ପାନିର ଅଂଶଧନ କିଣିବାକୁ ଆଗେଇ ଆସିବା ଗୁରୁତ୍ୱପୂର୍ଣ୍ଣ ମନେହୁଏ।

ସମ୍ବନ୍ଧିତ ଖବର