ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି: ପାଇକାରୀ ବଜାର ବନ୍ଦ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶର ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ସମ୍ମାନ ଜଣାଇଛନ୍ତି। ବାଜପେୟୀଙ୍କ ବିୟୋଗରେ ଦେଶର ଅଧିକାଂଶ ପାଇକାରୀ ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଜି ବନ୍ଦ ରହିଥିଲା। ଦିଲ୍ଲୀରେ ଆଜି ୬ ଲକ୍ଷରୁ ଅଧିକ ଏବଂ ଦେଶରେ ପ୍ରାୟ ୬ କୋଟିରୁ ଅଧିକ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ବନ୍ଦ ରଖିଛନ୍ତି ବେଲି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି। ସିଏଆଇଟି ପକ୍ଷରୁ କୁହାଯାଇଛି ଦିଲ୍ଲୀରେ ପ୍ରାୟ ସମସ୍ତ ପ୍ରମୁଖ ପାଇକାରୀ ଓ ଖୁଚୁରା ବଜାର ବନ୍ଦ ରହିଥିଲା। ଏଥିଯୋଗୁଁ ବଜାର ଗୁଡ଼ିକରେ ଗ୍ରାହକଙ୍କୁ ପ୍ରାୟତଃ ଦେଖିବାକୁ ମିଳି ନଥିଲା। ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଜମ୍ମୁ କଶ୍ମୀର, ଗୁଜରାଟ, ଛତିଶଗଡ଼, ଓଡ଼ିଶା, ମଧ୍ୟ ପ୍ରଦେଶ ଆଦି ରାଜ୍ୟରେ ପାଇକାରୀ ଓ ଖୁଚୁରା ଦୋକାନ ଗୁଡ଼ିକ ବହୁସଂଖ୍ୟାରେ ବନ୍ଦ ରହିଥିଲା। ଓଡ଼ିଶାରେ ଅଧିକାଂଶ ପାଇକାରୀ ଦୋକାନ ବନ୍ଦ ଥିବା ବେଳେ ଖୁୁଚୁରା ଦୋକାନ ଗୁଡ଼ିକ ଖୋଲାଥିଲା ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ସିଏଆଇଟି ମଧ୍ୟପ୍ରଦେଶ ଚାପ୍ଟରର ଆବାହକ ଶ୍ୟାମ ମାହେଶ୍ୱରୀ କୁହନ୍ତି, ବାଜପେୟୀଙ୍କ ଜନ୍ମସ୍ଥାନ ଗୋଆଲିୟରରେ ପାଇକାରୀ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା। ତେବେ ଭୋପାଳ ଏବଂ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳରେ ଅଧିକାଂଶ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ଥିଲାବେଳେ କେତେକ ଖୁଚୁରା ଦୋକାନ ଖୋଲା ରହିଥିଲା। ସର୍ବଭାରତୀୟ ଖାଉଟି ଉତ୍ପାଦ ବଣ୍ଟନକାରୀ ସଂଘର ସଭାପତି ଡି ଏଚ୍‌ ପାଟିଲ କୁହନ୍ତି, ମହାରାଷ୍ଟ୍ରରେ ପ୍ରମୁଖ ପାଇକାରୀ ଓ ଖୁଚୁରା ବଜାର ବନ୍ଦ ରହିଥିଲା। ଅଳ୍ପ କେତେକ ଖୁଚୁରା ଦୋକାନ ଖୋଲାଥିଲା। ସିଏଆଇଟିର ପଶ୍ଚିମବଙ୍ଗ ଆବାହକ ରାଜା ରୟ କୁହନ୍ତି, ପାଖାପାଖି ୭୦ ପ୍ରତିଶତ ପାଇକାରୀ ବଜାର ଏବଂ ଖୁଚୁରା ଦୋକାନ ରାଜ୍ୟରେ ବନ୍ଦ ରହିଥିଲା।

ବାଜପେୟୀଙ୍କ ପ୍ରେରଣାରେ ଗଠନ ହୋଇଥିଲା ବ୍ୟବସାୟୀ ମହାସଂଘ

ନୂଆଦିଲ୍ଲୀ: ନବେ ଦଶକ ସମୟର କଥା। ସେହି ସମୟରେ କ୍ଷୁଦ୍ର ବ୍ୟବସାୟୀମାନଙ୍କର କୌଣସି ଏକ ନିର୍ଦିଷ୍ଟ ସଂଘ ନଥିଲା। ୧୯୮୯ ମସିହାରେ କିଛି ବ୍ୟବସାୟୀ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିବାକୁ ଯାଇଥିଲେ। କ୍ଷୁଦ୍ର ବ୍ୟବସାୟୀଙ୍କ କଥା କେହି ଶୁଣୁନାହାନ୍ତି ବୋଲି ସେମାନେ ବାଜପେୟୀଙ୍କୁ ଅବଗତ କରିଥିଲେ। ଏହା ପରେ ବାଜପେୟୀ ପ୍ରଶ୍ନ କରିଥିଲେ ଯେ, ଯଦି ବ୍ୟବସାୟୀଙ୍କ ସହ କଥା ହେବାକୁ ଜଣେ ମନସ୍ଥ କରିବ ତେବେ କାହା ସହିତ କଥା ହେବ? ବାଜପେୟୀଙ୍କ ପ୍ରେରଣା ଯୋଗୁଁ ୧୯୯୦ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଗଠନ କରାଯାଇଥିଲା ବୋଲି ଏହାର ବର୍ତ୍ତମାନ ମୁଖ୍ୟ ପ୍ରବୀଣ ଖଣ୍ଡେଲ୍‌ଓ୍ଵାଲ୍‌ କହିଛନ୍ତି। ସେହି ଦିନଠାରୁ ଏହା ବ୍ୟବସାୟୀଙ୍କ ରାଷ୍ଟ୍ରୀୟ ସଂଘ ଭାବେ କାମ କରୁଛି।

ସମ୍ବନ୍ଧିତ ଖବର