ନୂଆଦିଲ୍ଲୀ: ସରକାର ନିଜର କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବା ପାଇଁ ଯେତିକି ଟଙ୍କା ଖର୍ଚ କରୁଛନ୍ତି ତା’ଠାରୁ ସାମାନ୍ୟ କମ୍‌ ଟଙ୍କା ପେନ୍‌ସନ୍‌ ବାବଦରେ ପ୍ରଦାନ କରୁଛନ୍ତି। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିବ। ସରକାରଙ୍କ ବେତନ ଖର୍ଚକୁ ଟପିଯିବ ପେନ୍‌ସନ୍‌ ବାବଦ ଖର୍ଚ।

Advertisment

୨୦୧୮-୧୯ରେ ସରକାର ବେତନ ବାବଦରେ ୧ ଲକ୍ଷ ୫୮ ହଜାର କୋଟି ଟଙ୍କା ଖର୍ଚ କରିବେ। ପୂର୍ବବର୍ଷ ତାହା ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଥିଲା। ସେହି ସମୟରେ ପେନ୍‌ସନ୍‌ ଆକାରରେ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଅର୍ଥାତ ବେତନ ଖର୍ଚ ତୁଳନାରେ ପେନ୍‌ସନ୍‌ ବାବଦରେ ଏଥର ୧୦ ହଜାର କୋଟି ଟଙ୍କା ଅଧିକ ଖର୍ଚ ହେବ। ୨୦୧୭-୧୮ରେ ପେନ୍‌ସନ୍‌ ବାବଦ ଖର୍ଚ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା ଥିଲା।

ସଂସଦରେ ଆଜି ଉପସ୍ଥାପନ କରାଯାଇଥିବା ମଧ୍ୟମ ମିଆଦୀ ଖର୍ଚ ଢାଞ୍ଚାରେ ଏହି ସୂଚନା ପ୍ରଦାନ କରାଯାଇଛି। ଏଥିରେ ଆକଳନ କରାଯାଇଛି ଯେ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବେତନଠାରୁ ପେନ୍‌ସନ୍‌ ଖର୍ଚ ପରିମାଣ ଅଧିକ ରହିବ। ୨୦୧୯-୨୦ ଓ ୨୦୨୦-୨୧ରେ ସରକାରଙ୍କ ବେତନ ଖର୍ଚ ଯଥାକ୍ରମେ ୧ ଲକ୍ଷ ୬୬ ହଜାର କୋଟି ଟଙ୍କା ଓ ୧ ଲକ୍ଷ ୭୪ ହଜାର କୋଟି ଟଙ୍କା ରହିବ। ଏହି ଦୁଇ ବର୍ଷରେ ପେନ୍‌ସନ୍‌ ବାବଦରେ ଯଥ୍ରକମେ ୧ ଲକ୍ଷ ୭୯ ହଜାର କୋଟି ଟଙ୍କା ଓ ୧ ଲକ୍ଷ ୮୪ ହଜାର କୋଟି ଟଙ୍କା ଖର୍ଚ ହେବ।

ଆଗାମୀ ଦିନରେ ଖାଦ୍ୟ ସବ୍‌ସିଡି ପରିମାଣ ବହୁତ ବଢ଼ିବ ବୋଲି ଆକଳନ କରାଯାଇଛି। ୨୦୧୭-୧୮ରେ ଖାଦ୍ୟ ସବ୍‌ସିଡି ପରିମାଣ ୧ ଲକ୍ଷ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ତାହା ୧ ଲକ୍ଷ ୬୯ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ। ୨୦୧୯-୨୦ ଓ ୨୦୨୦-୨୧ରେ ଖାଦ୍ୟ ସବ୍‌ସିଡି ପରିମାଣ ଯଥାକ୍ରମେ ୧ ଲକ୍ଷ ୮୭ ହଜାର କୋଟି ଟଙ୍କା ଓ ୨ ଲକ୍ଷ କୋଟି ଟଙ୍କା ହେବ।