ବିନା ଅନୁମତିରେ ମିଳିବନି ତଥ୍ୟ

ଆସିଲା ଶ୍ରୀକ୍ରିଷ୍ଣା କମିଟି ରିପୋର୍ଟ

ନୂଆଦିଲ୍ଲୀ: ଲୋକଙ୍କ ବିନା ଅନୁମତିରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଇ ପାରିବ ନାହିଁ। କେବଳ ପୁଲିସ, ଜାତୀୟ ନିରାପତ୍ତା ପ୍ରସଙ୍ଗ ଓ ବିଚାର ପ୍ରକ୍ରିୟା ପାଇଁ ତଥ୍ୟ ହାସଲ କରାଯାଇ ପାରିବ। ଜଷ୍ଟିସ୍‌ ବିଏନ୍‌ ଶ୍ରୀକ୍ରିଷ୍ଣା କମିଟି ସରକାରଙ୍କୁ ଆଜି ଦେଇଥିବା ରିପୋର୍ଟରେ ଏସବୁ ସୁପାରିସ କରିଛନ୍ତି। ରିପୋର୍ଟରେ ୧୩ ପ୍ରକାର ତଥ୍ୟକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କମିଟି ଦର୍ଶାଇଛନ୍ତି। ସେଗୁଡ଼ିକ ହେଉଛି ପାସ୍‌ଓ୍ଵାର୍ଡ, ଆର୍ଥିକ ତଥ୍ୟ, ସ୍ୱାସ୍ଥ୍ୟଗତ ତଥ୍ୟ, ଅଫିସିଆଲ୍‌ ଆଡେଣ୍ଟିଫାୟର (ସରକାରୀ ପରିଚୟଦାତା), ଯୌନ ଜୀବନ, ଯୌନ ପ୍ରବୃତ୍ତି, ବାୟୋମେଟ୍ରିକ୍‌ ତଥ୍ୟ, ତୃତୀୟ ଲିଙ୍ଗ ତଥ୍ୟ, ଅନ୍ତଃ ଯୌନ ସଂପର୍କ ତଥ୍ୟ, ଜାତି କିମ୍ବା ଜନଜାତି ସମ୍ବଳିତ ତଥ୍ୟ, ଧାର୍ମିକ କିମ୍ବା ରାଜନୈତିକ ବିଶ୍ୱାସ ଓ ମାନ୍ୟତା ତଥ୍ୟ। ଏହି ତଥ୍ୟ ଦେବା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ସ୍ପଷ୍ଟ ଭାବେ ଅନୁମତି ପ୍ରଦାନ କରିବା ପରେ ହିଁ ଏସବୁ ତଥ୍ୟ ହାସଲ କରାଯାଇପାରିବ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ୨୦୧୮ ନାମକ ଏହି ରିପୋର୍ଟକୁ ଆଜି କମିଟି ପକ୍ଷରୁ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଦାନ କରାଯାଇଛି। ରିପୋର୍ଟକୁ ନାଗରିକ, ସରକାର ଓ ଶିଳ୍ପ ଭଳି ତିନିଟି ଭାଗରେ ବିଭକ୍ତ କରାଯାଇଛି। ନାଗରିକମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ଦରକାର, ତଥ୍ୟ ପ୍ରକ୍ରିୟାକରଣକାରୀ (ଡାଟା ପ୍ରୋସେସର)ଙ୍କ ଭୂମିକା ଏବଂ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ବିଷୟରେ ରିପୋର୍ଟରେ ସୁପାରିସ୍‌ କରାଯାଇଛି। ତଥ୍ୟ ସୁରକ୍ଷା ନିୟମର ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଲାଗୁ କରିବା ପାଇଁ ମଧ୍ୟ ସୁପାରିସ୍‌ କରାଯାଇଛି।
ରିପୋର୍ଟ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ, ଏହା ଏକ ଐତିହାସିକ ନିୟମ। ଏଥିପାଇଁ ସଂସଦରେ ବ୍ୟାପକ ବିତର୍କର ଆବଶ୍ୟକତା ରହିଛି। ତଥ୍ୟ ସୁରକ୍ଷା ଦିଗରେ ସାରା ବିଶ୍ୱ ପାଇଁ ଏହା ଏକ ମଡେଲ୍‌ ହେବ ବୋଲି ସେ କହିଛନ୍ତି।

ବିଚାରପତି ଶ୍ରୀକ୍ରିଷ୍ଣା କହିଛନ୍ତି ଯେ, ଯେକୌଣସି ମୂଲ୍ୟ ଦେଇ ତଥ୍ୟର ସୁରକ୍ଷା ପାଇଁ ଉଦ୍ୟମ ହେବା ଦରକାର। ଏହି ରିପୋର୍ଟରେ କମିଟି ଜଣାଇଛି ଯେ ବ୍ୟକ୍ତିଗତ ଗୋପନୀୟତା ହେଉଛି ଏକ ମୌଳିକ ଅଧିକାର। ସେହି ଦୃଷ୍ଟିରୁ ତଥ୍ୟର ସୁରକ୍ଷାକୁ ନିଶ୍ଚିତ କରାଯିବା ଦରକାର। ତଥ୍ୟ ଦେଉଥିବା ବ୍ୟକ୍ତି ଓ ତାହାକୁ ପ୍ରକ୍ରିୟାକରଣ କରୁଥିବା ସଂସ୍ଥା ପରସ୍ପର ପ୍ରତି ଆସ୍ଥା ରଖିବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି। କେଉଁ ପରିସ୍ଥିତିରେ ତଥ୍ୟକୁ ଭାରତ ଭିତରେ ସଂରକ୍ଷିତ ରଖିବା ପାଇଁ ବାଧ୍ୟ କରାଯିବ ତାହା ମଧ୍ୟ କମିଟି ଜଣାଇ ଦେଇଛି। ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକୁ ଦେଶ ଭିତରେ ହିଁ ରଖିବାକୁ କମିଟି କହିଛି। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତରେ ମଧ୍ୟ ଏହାକୁ ନେଇ ବିତର୍କ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ୨୦୧୭ ଜୁଲାଇରେ ସରକାର ସୁପ୍ରିମକୋର୍ଟର ବିଚାରପତି ବିଏନ୍‌ ଶ୍ରୀକ୍ରିଷ୍ଣାଙ୍କୁ ନେଇ ଏକ ୧୦ ଜଣିଆ କମିଟି ଗଠନ କରିଥିଲେ। କମିଟି ଅନେକ ସମ୍ବେଦନଶୀଳ ଓ ବିବାଦୀୟ ବିଷୟକୁ ବିଚାରକୁ ନେଇଥିଲା। ପାଖାପାଖି ବର୍ଷେ ପର୍ଯ୍ୟନ୍ତ ସବୁ ଦିଗ ଉପରେ ତର୍ଜମା କରାଯିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର