ଯେତେ ଖସୁଛି ସେତେ ବଢ଼ୁଛି, ପେଟ୍ରୋଲଠାରୁ ଡିଜେଲ ୧ ଟଙ୍କା ୮ ପଇସା ଅଧିକ

ଭୁବନେଶ୍ବର: ତେଲ ଦର ଦିନକୁ ‌ଦିନ ଯେତେ‌ କମୁଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ପାର୍ଥକ୍ୟ ସେତେ ଅଧିକ ହେବାରେ ଲାଗିଛି। ୧୬ ଦିନ ମଧ୍ୟରେ ପେଟ୍ରୋଲଠାରୁ ଡିଜେଲ ଦର ୧ ଟଙ୍କା ୮ ପଇସା ଅଧିକ ହୋଇଯିବା ଏବେ ଚିନ୍ତାର କାରଣ ପାଲଟିଲାଣି। ରାଜ୍ୟରେ ପେଟ୍ରୋଲଠାରୁ ଡିଜେଲ ଦର ଗତ ମାସ ୨୦ ତାରିଖରୁ ଟପିସାରିଛି। ଗତମାସ ୨୦ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ପେଟ୍ରୋଲ ଦର ୮୦ ଟଙ୍କା ୮୨ ପଇସା ଥିବାବେଳେ ଡିଜେଲ ଦର ୮୦ ଟଙ୍କା ୮୮ ପଇସା ରହିଥିଲା। ଅର୍ଥାତ୍ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ଅନ୍ତର ୬ ପଇସା ରହିଥିଲା। ଏହାପରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି। କିନ୍ତୁ ତେ‌ଲ ଦର ଯେତେ କମୁଛି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ପାର୍ଥକ୍ୟ ସେତେ ଅଧିକ ହେଉଛି। ଭୁବନେଶ୍ବରରେ ପେଟ୍ରୋଲ ଦର ରବିବାର ଲିଟର ପିଛା ୭୭ ଟଙ୍କା ୬୫ ପଇସା ରହିଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୭୩ ପଇସା ରହିଛି। ଫଳରେ ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲଠାରୁ ଡିଜେଲ ଦର ଭୁବନେଶ୍ବରରେ ୧ ଟଙ୍କା ୮ ପଇସା ମହଙ୍ଗା ହୋଇଗଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଆସୁଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମଧ୍ୟ କମିବାରେ ଲାଗିଛି। ଓଡ଼ିଶାରେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସର ଲାଭ ପାଉଛନ୍ତି। କିନ୍ତୁ ଓଡ଼ିଶାରେ ଏକ ବିଚିତ୍ର ପରିସ୍ଥିତି ଦେଖାଦେଇଛି।

ସମ୍ବନ୍ଧିତ ଖବର