ଅଶୋଧିତ ତେଲ ଦାମ୍ କମିଲା, ରୁଷିଆରୁ ଅଧିକ ତେଲ କିଣାହେବ

ପେଟ୍ରୋଲ୍‌ ୩୯, ଡିଜେଲ୍ ୪୨ ପଇସା ବଢ଼ିଲା

ନୂଆଦିଲ୍ଲୀ: ସାଉଦି ଆରବରେ ଡ୍ରୋନ ଆକ୍ରମଣ ଯୋଗୁ ସେଠାରେ ତେଣ ଯୋଗାଣ ପ୍ରଭାବିତ ହୋଇଛି। ଏହି ଦେଶର ତେଲ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଥିବା ଭାରତ ଏବେ ବିକଳ୍ପ ବଜାର ସନ୍ଧାନରେ ରହିଛି। ସାଉଦି ଯୋଗୁ ତେଲରେ ଯେଉଁ ଅଭାବ ଦେଖାଦେଇଛି ତାହାକୁ ରୁଷିଆ ଜରିଆରେ ପୂରଣ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରିଛି। ରୁଷିଆରୁ ଅଧିକ ତେଲ କିଣିବା ବିଷୟରେ ସରକାର ବିଚାର କରୁଛନ୍ତି। ତେଲ ବଜାରରେ ସାଉଦି ଆରବ, କତାର୍ ଏବଂ ୟୁଏଇ ସହିତ ରୁଷିଆ ପ୍ରତିଦ୍ବନ୍ଦ୍ବିତା କରୁଛି। ନିଜର ବଜାର ଅଂଶ ବଢ଼ାଇବା ଲାଗି ରୁଷିଆ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ତାହାକୁ ଏହି ଦେଶ ହାତ ଛଡ଼ା କରିବାକୁ ଚାହୁନାହିଁ। ଭାରତକୁ ଅଧିକ ତେଲ ପଠାଇ ଏହି ବଜାରର କିଛି ଅଂଶକୁ ହାସଲ କରିବାକୁ ରୁଷିଆ ଚାହୁଛି। ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରୁଷିଆର ତେଲ କଂପାନି ରୋଜ୍‌ନେଫ୍ଟର ସିଇଓ ଇଗୋର୍‌ ସେଚିନ୍‌ଙ୍କ ସହିତ ମୁଁ ଆମଦାନି ବଢ଼ାଇବା ସଂକ୍ରାନ୍ତରେ ଆଲୋଚନା କରିଛି। ‌ଭାରତକୁ ଅଧିକ ତେଲ ପଠାଇବା ନେଇ ଆଲୋଚନା ହୋଇଥିବା କଥାକୁ ରୋଜ୍‌ନେଫ୍ଟ ତରଫରୁ ସ୍ପଷ୍ଟ କରାଯାଇଛି। ରୁଷିଆର ତୈଳ କ୍ଷେତ୍ରରେ ଭାରତର ଚାରିଟି ତେଲ କଂପାନି ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ରୁଷିଆର କଂପାନି ରୋଜନେଫ୍ଟ ମଧ୍ୟ ଏକ ଯୌଥ ଉଦ୍ୟୋଗରେ ନିଜର ଅଂଶଧନ ପରିମାଣ ବଢ଼ାଇବାକୁ ସହମତ ହୋଇଛି। ଉଭୟ ପଟୁ ପୁଞ୍ଜିନିବେଶ ପ୍ରବାହ ଜାରି ରହିଲେ ତୈଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଭାରତ ଏହାର ୫୬% ତେଲ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରୁ କିଣୁଛନ୍ତି। ଇରାକ୍‌ରୁ ଏହା ସର୍ବାଧିକ ତେଲ କିଣୁଥିବା ବେଳେ ଦ୍ବିତୀୟ ସର୍ବାଧିକ ତେଲ ସାଉଦିରୁ ମଗାଉଥିଲା। ଏବେ କିନ୍ତୁ ଆମେରିକା ଏବଂ ଆଫ୍ରିକାରୁ ଅଧିକ ତେଲ କିଣିବା ଉପରେ ଭାରତ ଅଧିକ ଧ୍ୟାନ ଦେଉଛି। କିଛି ବର୍ଷ ପୂର୍ବରୁ ଇରାନରୁ ଭାରତ ଦ୍ବିତୀୟ ସର୍ବାଧିକ ତେଲ ମଗାଉଥିଲା ଏବଂ କିଛି ପରିମାଣର ତେଲ ଭେନେଜୁଏଲା ଠାରୁ ମଧ୍ୟ କିଣୁଥିଲା। କିନ୍ତୁ ଆମେରିକାର କଟକଣା ଯୋଗୁ ଏହି ଦୁଇ ଦେଶରୁ ତେଲ କିଣିବା ଭାରତ କମାଇ ଦେଇଛି।

ଅଶୋଧିତ ତେଲ ଦାମ୍ କମିଲା
ଲଣ୍ଡନ: ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ଏକ ଆଶ୍ବସ୍ତି ଖବର ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଆଜି ହ୍ରାସ ପାଇଛି। ସାଉଦି ଆରବରେ ତେଲ ଉତ୍ପାଦନ ସପ୍ତାହକ ଭିତରେ ସ୍ବାଭାବିକ ହୋଇଯିବ ବୋଲି ଖବର ମିଳିବା ପରେ ତେଲ ଦର କମିଛି। ଏହାର ପ୍ରଭାବରେ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍‌ ପ୍ରତି ଦର ୩.୭୩ ଡଲାର ହ୍ରାସ ପାଇ ୬୫.୩୦ ଡଲାର ପର୍ଯ୍ୟନ୍ତ ଖସିଯାଇଛି। ୱେଷ୍ଟ୍‌ ଟେକ୍ସାସ୍ ଇଣ୍ଟରମେଡିଏଟ୍‌ର ଦାମ୍ ୨.୪୦ ଡଲାର ହ୍ରାସ ପାଇ ୬୦.୫୦ ଡଲାରରେ ପହଞ୍ଚିଛି। ସାଉଦିରେ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ପ୍ରଚାରିତ ହେବା ପରେ ଗତକାଲି ଅଶୋଧିତ ତେଲ ଦାମ୍ ୧୨ ଡଲାର ବୃଦ୍ଧି ପାଇ ୭୨ ଡଲାର ହୋଇଯାଇଥିଲା। ଏହା ପୂର୍ବରୁ ଏହି ଦର ୬୦ ଡଲାର ପାଖାପାଖି ଥିଲା।

ନୁଆଦିଲ୍ଲୀ: ସାଉଦି ଆରବ ଯୋଗୁ ସୃଷ୍ଟି ହୋଇଥିବା ତେଲ ସଙ୍କଟର ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍‌ର ଖୁଚୁରା ଦାମ୍‌ରେ ପ୍ରତିଫଳିତ ହୋଇଛି। ଦୁଇ ଦିନ ଭିତରେ ପେଟ୍ରୋଲ୍‌ର ଲିଟର ପ୍ରତି ଦର ୩୯ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ଦାମ୍ ୪୨ ପଇସା ବଢ଼ିଛି। ଗତ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଘୋଷଣା କରିବା ପର ଠାରୁ କୌଣସି ଗୋଟିଏ ଦିନରେ ତେଲ ଦରରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିନଥିଲା। ଭୁବନେଶ୍ବରରେ ଗତ ସୋମବାର ପେଟ୍ରୋଲ୍‌ର ଲିଟର ପ୍ରତି ଦାମ୍ ୭୧ ଟଙ୍କା ୦୯ ପଇସା ଥିଲା। ବୁଧବାର ପାଇଁ ସେହି ଦର ୭୦ ଟଙ୍କା ୪୮ ପଇସା ହୋଇଯାଇଛି। ସେହିପରି ଡିଜେଲ୍ ଦାମ୍ ଗତ ସୋମବାର ଦିନ ଭିତରେ ୭୦ ଟଙ୍କା ୨୩ ପଇସା ଥିଲା। ବୁଧବାର ପାଇଁ ସେହି ଦର ୭୦ ଟଙ୍କା ୬୫ ପଇସା ହୋଇଯାଇଛି। ଶେଷ ଥର ପାଇଁ ବଜେଟ୍‌ରେ ଘୋଷଣା କରାଯାଇଥିବା ଉତ୍ପାଦନ ଶୁଳ୍କ ଯୋଗୁ ଗୋଟିଏ ଦିନରେ ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ର ଦାମ୍ ଅଢ଼େଇ ଟଙ୍କା ବଢ଼ିଥିଲା। ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦରରେ ବୃଦ୍ଧି ଜାରି ରହିବ ତେବେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୫-୬ ଟଙ୍କା ଭଳି ବୃଦ୍ଧି ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସାଉଦିରେ ଡ୍ରୋନ୍ ଆକ୍ରମଣ ଯୋଗୁ ଦୀର୍ଘ ୨୮ ବର୍ଷ ପରେ ସାରା ବିଶ୍ବ ପାଇଁ ବଡ଼ ଧରଣର ତେଲ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଅଶୋଧିତ ତେଲ ଦର ୬୦ ଡଲାରରୁ ବୃଦ୍ଧି ପାଇ ୭୨ ଡଲାର ପାଖାପାଖି ପହଞ୍ଚିଯାଇଛି। ଆଗାମୀ ଦିନରେ ଏହି ଦର ବୃଦ୍ଧି ଜାରି ରହିବ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର