ପେଟ୍ରୋଲ୍‌, ଡିଜେଲ ଦରରେ ନିଆଁ:ଟିକସ କମାଇବାକୁ ନାରାଜ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ଲାଗିଥିବା ନିଆଁ ଏତେ ଶୀଘ୍ର ଲିଭିବ ନାହିଁ। ତେଲ ଉପରୁ ଟିକସ ହ୍ରାସ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି। ଟିକସ ନକମିଲେ ଦର କମିବ ନାହିଁ।
ଏକ ଲିଟର ପେଟ୍ରୋଲ୍‌ ଉପରେ ୩୯ ଟଙ୍କା ଓ ଡିଜେଲ୍‌ରୁ ୩୫ ଟଙ୍କାର ଟିକସ ଆଦାୟ କରାଯାଉଛି। ପେଟ୍ରୋଲ୍‌ରେ କେନ୍ଦ୍ରର ଟିକସ ଭାଗ ୧୯ ଟଙ୍କା ୪୮ ପଇସା ହୋଇଥିବା ବେଳେ ଡିଜେଲ୍‌ରେ ୧୫ ଟଙ୍କା ୩୩ ପଇସା ରହିଛି। ବଳକା ଟିକସ ରାଜ୍ୟ ସରକାର ଆଦାୟ କରୁଛନ୍ତି। ଟିକସ କମ୍‌ କରି ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ରାଜସ୍ୱ ହରାଇବାକୁ ଚାହୁନାହାନ୍ତି। ଯେହେତୁ ରାଜ୍ୟଗୁଡ଼ିକ ସେମାନଙ୍କ ମୋଟ ରାଜସ୍ୱର ଏକ ବଡ଼ ଭାଗ ତେଲ ବିକ୍ରିରୁ ପାଇଥାନ୍ତି ତେଣୁ ସେମାନେ ଟିକସ କମାଇବା ବିଷୟରେ କେବେ ବି ବିଚାର କରିବେ ନାହିଁ।ର୍
ତେଲ ଦର ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଡଲାର ମୂଲ୍ୟ ଓ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର। ବିଗତ ୧୫ ଦିନ ଭିତରେ ଅଶୋଧିତ ତେଲ ଦର ବ୍ୟାରେଲ୍‌ ପିଛା ୭ ଡଲାର ମହଙ୍ଗା ହୋଇଗଲାଣି। ସେହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ମଧ୍ୟ ବଡ଼ ଧରଣର ଅବନତି ଦେଖିବାକୁ ମିଳିଛି। ଏକ ଡଲାର ମୂଲ୍ୟ ଆଜି ୭୧ ଟଙ୍କା ୫୭ ପଇସା ଭଳି ସ୍ତରରେ ପହଞ୍ଚିଯାଇଛି। ତେଣୁ, ସମାନ ପରିମାଣର ଅଶୋଧିତ ତେଲ କିଣିବା ପାଇଁ ପୂର୍ବରୁ ଯେତିକି ଖର୍ଚ କରିବାକୁ ପଡ଼ୁଥିଲା ଏବେ ତା’ଠାରୁ ଯଥେଷ୍ଟ ଅଧିକ ଖର୍ଚ କରିବାକୁ ପଡ଼ୁଛି। କଂପାନିଗୁଡ଼ିକ ସେହି ଅତିରିକ୍ତ ଖର୍ଚର ବୋଝକୁ ଗ୍ରାହକଙ୍କ ମୁଣ୍ଡ ଉପରକୁ ଠେଲି ଦେଉଛନ୍ତି। ୧୫ ଦିନ ଭିତରେ ଡଲାର ବହୁତ ଶକ୍ତିଶାଳୀ ହୋଇଯାଇଛି। ଗୋଟିଏ ଡଲାର କିଣିବା ପାଇଁ ତେଲ ଆମଦାନିକାରୀମାନଙ୍କୁ ଏବେ ଅଢ଼େଇ ଟଙ୍କା ଅଧିକ ଗଣିବାକୁ ପଡ଼ୁଛି। ଯେତେଦିନ ପର୍ଯ୍ୟନ୍ତ ଟଙ୍କା ଦରରେ ସୁଧାର ନହେବ ଓ ଅଶୋଧିତ ତେଲ ଦର କମ୍‌ ନହେବ ସେପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଶସ୍ତା ହେବନାହିଁ। ଟିକସକୁ କମାଇ ସରକାର ତେଲ ଦରରେ ଯାହା କିଛି ସାମାନ୍ୟ ପରିବର୍ତ୍ତନ ଆଣିପାରିବେ। ଗତ ମାସ ୧୬ ତାରିଖ ପରେ ପେଟ୍ରୋଲ୍‌ ଦର ୨ ଟଙ୍କା ୧୭ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୨ ଟଙ୍କା ୬୨ ପଇସା ବଢ଼ିଲାଣି।
ଜିଏସ୍‌ଟି ଲାଗିଲେ ପେଟ୍ରୋଲ୍‌ ଦର ୨୫ ଟଙ୍କା କମିବ
ଭୁବନେଶ୍ୱର: ଭାରତକୁ ଗୋଟିଏ ବଜାରରେ ପରିଣତ କରିବା ପାଇଁ ଗତବର୍ଷ ଜୁଲାଇ ପହିଲାରୁ ଜିଏସଟି ଲାଗୁ ହୋଇସାରିଛି। କିନ୍ତୁ ପେଟ୍ରୋଲିୟମ ଉତ୍ପାଦକୁ ଏପର୍ଯ୍ୟନ୍ତ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି। ତେବେ ଜିଏସ୍‌ଟି ଲାଗୁହେଲେ ପେଟ୍ରୋଲ ଏବଂ ଡିଜେଲ ଦର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ। ପେଟ୍ରୋଲର ମୂଳ ମୂଲ୍ୟ ଏବେ ଲିଟର ପିଛା ପ୍ରାୟ ୩୮ ଟଙ୍କା ୬୫ ପଇସା ରହିଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ସମେତ ଡିଲର କମିିସନ ଆଦି ମିଶିବା ପରେ ଲିଟର ପିଛା ଦର ଭୁବନେଶ୍ୱରରେ ୭୮ ଟଙ୍କା ୧୮ ପଇସାରେ ପହଞ୍ଚି ଯାଇଛି। କିନ୍ତୁ ସରକାର ୨୮ ପ୍ରତିଶତ ହାରରେ ଜିଏସ୍‌ଟି ଲାଗୁ କରିଲେ ପେଟ୍ରୋଲର ଲିଟର ପିଛା ଦର ପ୍ରାୟ ୨୫ ଟଙ୍କା କମିଯିବ। ଫଳରେ ପେଟ୍ରୋଲ ଲିଟର ପାଖାପାଖି ୫୩ ଟଙ୍କାକୁ ଖସିଆସିବ। ସେହିଭଳି ଡିଜେଲର ମୂଳ ମୂଲ୍ୟ ବା ବେସ୍‌ ପ୍ରାଇସ ଏବେ ପାଖାପାଖି ୪୧ ଟଙ୍କା ୪୭ ପଇସା ଥିବାବେଳେ ଗ୍ରାହକମାନେ ଟିକସ ବୋଝ ଯୋଗୁ ୭୬ ଟଙ୍କା ୫୪ ପଇସା ଦେଇ ଏହାକୁ କିଣୁଛନ୍ତି। କିନ୍ତୁ ଡିଜେଲ ଉପରେ ୨୮ ପ୍ରତିଶତ ହାରରେ ଜିଏସ୍‌ଟି ଲାଗୁ କରାଗଲେ ଡିଜେଲ ମୂଲ୍ୟ ଲିଟର ପିଛା ପାଖାପାଖି ୨୧ ଟଙ୍କା କମିଯିବ। ଫଳରେ ଗ୍ରାହକମାନେ ୧ ଲିଟର ଡିଜେଲ ପାଇଁ ପ୍ରାୟ ୫୫ ଟଙ୍କା ଦେବେ।
ଶୀଘ୍ର ଜିଏସ୍‌ଟି ଲଗାଅ: ଚିଦମ୍ବରମ୍‌
ନୂଆଦିଲ୍ଲୀ, ୪/୯(ପିଟି): ପେଟ୍ରୋଲ ଏବଂ ଡିଜେଲକୁ ତୁରନ୍ତ ଜିଏସ୍‌ଟି ପରିସରକୁ ଆଣିବା ଲାଗି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ଦାବି କରିଛନ୍ତି। ତେଲ ଦର ବୃଦ୍ଧି ପାଇଁ ସେ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଦୋଷାରୋପ କରିଛନ୍ତି। ଅତ୍ୟଧିକ ଟିକସ ଯୋଗୁ ପେଟ୍ରୋଲ, ଡିଜେଲ ଦର ଅଧିକ ରହୁଛିି। ତେଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଦାୟୀ କରିବା ଠିକ୍‌ ନୁହେଁ। ୧୯ଟି ରାଜ୍ୟରେ ଏବେ ବିଜେପି ସରକାର ଶାସନ କରୁଛି। ତେଣୁ କେନ୍ଦ୍ର ଓ ରାଜ୍ୟ ମିଶି ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିଲେ ଦର କମିବ ବୋଲି ଚିଦମ୍ବରମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର