ପେଟ୍ରୋଲ, ଡିଜେଲ ଦର ଅଣାୟତ୍ତ:ପ୍ରତିଦିନ ଦର ବଢ଼ୁଛି : ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ ଦାବି

ଭୁବନେଶ୍ୱରରେ ଡିଜେଲ ଦର ୬୮ ଟଙ୍କା

ନୂଆଦିଲ୍ଲୀ: ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ହେଉଛି। ଗତବର୍ଷର ଡିସେମ୍ବର ମଧ୍ୟ ଭାଗରୁ ଆରମ୍ଭ ହୋଇଥିବା ଏହି ଦର ବୃଦ୍ଧିରେ ବ୍ରେକ୍‌ ଲାଗୁନାହିଁ। ଏହାର ପ୍ରଭାବରେ ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟ ସର୍ବାଧିକ ୭୨ ଟଙ୍କା ୩୮ ପଇସା ହୋଇଗଲାଣି। ଡିଜେଲ ଦର ୬୩ ଟଙ୍କା ୨୦ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୦ ଟଙ୍କାରୁ ଅଧିକ ହୋଇଗଲାଣି। ମୋଦି ସରକାରଙ୍କ ଅମଳରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ପେଟ୍ରୋଲ୍‌ ଏବଂ ଡିଜେଲ ମୂଲ୍ୟରେ ହେଉଥିବା ବୃଦ୍ଧି ଗ୍ରାହକଙ୍କ ସମେତ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଏହି ଦୁଇ ଇନ୍ଧନ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ନିକଟରେ ଦାବି କରାଯାଇଛି। ଉତ୍ପାଦନ ଶୁଳ୍କ କମାଇବା ପାଇଁ ବଜେଟ୍‌ରେ ବ୍ୟବସ୍ଥା କରିବାକୁ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଦାବି କରିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ହେଉଥିବା ବୃଦ୍ଧି ଯୋଗୁଁ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଏବଂ ଡିଜେଲ ମହଙ୍ଗା ହେବାରେ ଲାଗିଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦର ୬୯.୪୧ ଡଲାରରେ ପହଞ୍ଚିଥିବା ବେଳେ ୟୁଏସ୍‌ କ୍ରୁଡ୍‌ର ମୂଲ୍ୟ ୬୩.୯୯ ଡଲାର ହୋଇଛି।
ପଡ଼ୋଶୀ ରାଷ୍ଟ୍ରରେ ଦର କମ୍‌
ମିଆଁମାରରେ ପେଟ୍ରୋଲ ଲିଟର ଦର ୩୯ ଟଙ୍କା ୬୦ ପଇସା ଥିବା ବେଳେ ଡିଜେଲ ଦର ୩୭ ଟଙ୍କା ୬୦ ପଇସା ରହିଛି। ଶ୍ରୀଲଙ୍କାରେ ପେଟ୍ରୋଲ ୪୯ ଟଙ୍କା ୫୦ ପଇସା ଏବଂ ଡିଜେଲ ୪୫ ଟଙ୍କା ୫୦ ପଇସାରେ ଉପଲବ୍ଧ ହେଉଛି। ପାକିସ୍ତାନରେ ପେଟ୍ରୋଲ୍‌ ମୂଲ୍ୟ ୪୭ ଟଙ୍କା ଏବଂ ଡିଜେଲ ମୂଲ୍ୟ ୫୧ ଟଙ୍କା ୮୦ ପଇସା ରହିଛି।
ଟିକସ ନଥିଲେ ୩୫ ଟଙ୍କାରେ ମିଳନ୍ତା ପେଟ୍ରୋଲ୍‌
ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍‌ ଏବଂ ଡିଜେଲ ଉତ୍ପାଦନ କରାଯାଉଛି। ଏକ ବ୍ୟାରେଲ୍‌ ଅଶୋଧିତ ତୈଳ କିଣିବା ପାଇଁ ୪ ହଜାର ୪ ଶହ ୩୩ ଟଙ୍କା ୨୬ ପଇସା ଗଣିବାକୁ ପଡୁଛି। ଅର୍ଥାତ ଲିଟର ପିଛା ଅଶୋଧିତ ତୈଳର ମୂଲ୍ୟ ହେଉଛି ୨୮ ଟଙ୍କା। ଏଥିରେ ବିଶୋଧନ ଖର୍ଚ ଏବଂ ପରିବହନ ଖର୍ଚ ସାମିଲ କରାଯାଇଥାଏ। ପେଟ୍ରୋଲ୍‌ ପମ୍ପ୍‌ରେ ପହଞ୍ଚୁଥିବା ଲିଟର ପିଛା ପେଟ୍ରୋଲ୍‌ ମୂଲ୍ୟ ୩୫ ଟଙ୍କା ରହୁଛି। ଏହା ପରେ ସେଥିରେ ୧୯ ଟଙ୍କା ୪୮ ପଇସାର ଉତ୍ପାଦନ ଶୁଳ୍କ ସାମିଲ କରାଯାଉଛି। ଏହା ବାଦ ଏକ ଲିଟର ପେଟ୍ରୋଲ୍‌ରେ ରାଜ୍ୟ ସରକାରଙ୍କ ୧୬ ଟଙ୍କାର ଭାଟ୍‌ ମିଶୁଛି। ତା’ ବାଦ ପେଟ୍ରୋଲ୍‌ ପମ୍ପ୍‌ର ଡିଲର କମିସନ ମିଶୁଛି। ସାଧାରଣ ଲୋକମାନେ କିଣୁଥିବା ପେଟ୍ରୋଲ୍‌ ଦରରେ ଟିକସର ଭାଗ ୪୦-୫୦% ରହୁଛି। ଟିକସ ରାଜସ୍ୱ ହରାଇବା ଭୟରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଟିକସ କମାଇବାକୁ ରାଜି ହେଉନାହାନ୍ତି।
ଭୁବନେଶ୍ୱର: ରାଜଧାନୀରେ ଡିଜେଲ ଦର କିଛି ଦିନ ଭିତରେ ବହୁତ ବଢ଼ିଯାଇଛି। ଡିଜେଲର ଲିଟର ପିଛା ଦର ୬୭ ଟଙ୍କା ୯୯ ପଇସାରେ ପହଞ୍ଚିଯାଇଛି। ପ୍ରତିଦିନ ଏହାର ମୂଲ୍ୟ ୧୫ ପଇସା ପାଖାପାଖି ବୃଦ୍ଧି ହେଉଛି। ଗତବର୍ଷ ଡିସେମ୍ବର ୧୯ ତାରିଖରେ ଡିଜେଲ ଦର ୬୩ ଟଙ୍କା ହୋଇଥିଲା। ଇତି ମଧ୍ୟରେ ଏହି ଦର ୫ ଟଙ୍କା ବଢ଼ିଗଲାଣି। ଡିଜେଲ ଦରରେ ହେଉଥିବା ବୃଦ୍ଧି ସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରଭାବିତ କରିବ। ଡିଜେଲକୁ ଇନ୍ଧନ ଭାବେ ବ୍ୟବହାର କରୁଥିବା ଉଭୟ ମାଲ୍‌୍‌ବାହୀ ଏବଂ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ଖର୍ଚ ପରିମାଣ ବହୁତ ବଢ଼ିଗଲାଣି। ଏହି ବୋଝ ହାଲୁକା କରିବା ପାଇଁ ସେମାନଙ୍କ ନିକଟରେ ଗ୍ରାହକଙ୍କ ଉପରେ ବୋଝ ଲଦିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୧ ଟଙ୍କା ୨୮ ପଇସାରେ ପହଞ୍ଚିଛି।
ଉତ୍ପାଦନ ଶୁଳ୍କ ୯ ଥର ବଢ଼ିଛି
୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ସରକାର ୯ ଥର ଉତ୍ପାଦନ ଶୁଳ୍କ ବଢ଼ାଇଛନ୍ତି। ଅବଶ୍ୟ ଗତବର୍ଷ ଅକ୍ଟୋବରରେ ଉତ୍ପାଦନ ଶୁଳ୍କରେ ୨ ଟଙ୍କା ହ୍ରାସ କରାଯାଇଥିଲା। ପନ୍ଦର ମାସ ଭିତରେ ଲିଟର ପିଛା ପେଟ୍ରୋଲ୍‌ ଉପରେ ଉତ୍ପାଦନ ଶୁଳ୍କ ୧୧ ଟଙ୍କା ୭୭ ପଇସା ବଢ଼ିଥିବା ବେଳେ ଡିଜେଲ ଉପରେ ଏହି ଶୁଳ୍କ ୧୩ ଟଙ୍କା ୪୭ ପଇସା ବଢ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ନିମ୍ନ ସ୍ତରରେ ରହୁଥିବା ସୁଯୋଗ ନେଇ ସରକାର ଅଧିକ ରାଜସ୍ୱ ପାଇବା ଆଶାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ବାରମ୍ବାର ଉତ୍ପାଦନ ଶୁଳ୍କ ବଢ଼ାଇଛନ୍ତି। କିନ୍ତୁ ଅଶୋଧିତ ତୈଳ ଦର ବଢ଼ିବା ପରେ ସେହି ଶୁଳ୍କରେ ହ୍ରାସ କରାଯାଉନାହିଁ। ଯାହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି। ଏବେ ଏକ ଲିଟର ପେଟ୍ରୋଲ୍‌ ଉପରେ ୧୯ ଟଙ୍କା ୪୮ ପଇସାର ଉତ୍ପାଦନ ଶୁଳ୍କ ଆଦାୟ କରାଯାଉଥିବା ବେଳେ ଲିଟର ପିଛା ଡିଜେଲ ଉପରୁ ୧୫ ଟଙ୍କା ୩୩ ପଇସା ଆଦାୟ କରାଯାଉଛି। ଏହା ବାଦ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଲଗା ଅଲଗା ଟିକସ ରହିଛି।

ସମ୍ବନ୍ଧିତ ଖବର