ପେଟ୍ରୋଲ, ଡିଜେଲ ଦର ୪ ଟଙ୍କା ବଢ଼ିବ!

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ ଦରରେ ୪ ଟଙ୍କା ଭଳି ବଡ଼ ଧରଣର ବୃଦ୍ଧି ହେବ। ଏଭଳି ଆକଳନ କରିଛି ଏକ ବ୍ରୋକ୍‌ରେଜ୍‌ ସଂସ୍ଥା। କର୍ଣ୍ଣାଟକ ନିର୍ବାଚନ ଯୋଗୁ ତିନି ସରକାରୀ ତେଲ କଂପାନି ଇଣ୍ଡିଆନ୍‌ ଅଏଲ୍‌, ଭାରତ ପେଟ୍ରୋଲିୟମ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ପକ୍ଷରୁ ୧୯ ଦିନ ପର୍ଯ୍ୟନ୍ତ ତେଲ ଦରକୁ ବୃଦ୍ଧି କରାଯାଇନଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ଦର ପୁଣି ବଢ଼ାଇବା ଆରମ୍ଭ କରିଛନ୍ତି। ସେମାନେ ପ୍ରତିଦିନ ଦର ବଢ଼ାଉଛନ୍ତି। ଦିଲ୍ଲୀରେ ପେଟ୍ରୋଲ୍‌ ଦର ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ସେଠାରେ ଲିଟର ପିଛା ପେଟ୍ରୋଲ ଦର ୭୫ ଟଙ୍କାରୁ ଅଧିକ ହୋଇଗଲାଣି। ବ୍ରୋକରେଜ୍‌ ସଂସ୍ଥା କୋଟାକ୍‌ ଇନଷ୍ଟିଚ୍ୟୁସନାଲ୍‌ ଇକ୍ୱିଟିଜ୍‌ ପକ୍ଷରୁ କୁହାଯାଇଛି ଯେ ତେଲ କଂପାନିଗୁଡ଼ିକ ଲିଟର ପିଛା ୨ ଟଙ୍କା ୭୦ ପଇସାର ମାର୍ଜିନ ପାଉଥିଲେ। ସେହି ମାର୍ଜିନ୍‌ ସ୍ତରକୁ ସେମାନେ ପୁଣି ଥରେ ହାସଲ କରିବାକୁ ହେଲେ ପେଟ୍ରୋଲ୍‌ ଓ ଡିଜେଲ ମୂଲ୍ୟରେ ସାଢ଼େ ତିନି ଟଙ୍କାରୁ ଚାରି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଆଣିବାକୁ ପଡ଼ିବ। ସେହିପରି ଗ୍ୟାସୋଲିନ୍‌ ଦରକୁ ଚାରି ୪-୪.୫ ଟଙ୍କା ବଢ଼ାଇବାକୁ ହେବ। ଅଶୋଧିତ ତୈଳ ଓ ଟଙ୍କାର ବିନିମୟ ମୂଲ୍ୟର ବର୍ତ୍ତମାନ ସ୍ଥିତିକୁ ବିଚାରକୁ ନେଇ ଏହି ହିସାବ କରାଯାଇଛି। କର୍ଣ୍ଣାଟକ ନିର୍ବାଚନ ଯୋଗୁଁ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ଦର ନବଢ଼ାଇବାରୁ ସେମାନଙ୍କ ମାର୍ଜିନ୍‌ ପରିମାଣ ଲିଟର ପିଛା ୫୦-୭୦ ପଇସା ପର୍ଯ୍ୟନ୍ତ ଖସିଆସିଛି। ଏପ୍ରିଲ୍‌ ୨୪ ପରଠାରୁ ପେଟ୍ରୋଲ୍‌, ଡିଜେଲ ଦର ବଢ଼ିନଥିଲା। ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ମଧ୍ୟ ଆକଳନ କରିଥିଲା ଯେ ତେଲ ଉପରେ କଂପାନିଗୁଡ଼ିକର ମାର୍ଜିନ୍‌ ପରିମାଣ ଲିଟର ପିଛା ୩୧ ପଇସା ଭଳି ନିମ୍ନ ସ୍ତରକୁ ଖସିଆସିଛି। ଚଳିତ ମାସର ୧୪ ତାରିଖଠାରୁ ତେଲ କଂପାନିଗୁଡ଼ିକ ପୁଣି ଥରେ ଦରବୃଦ୍ଧି ଆରମ୍ଭ କରିଛନ୍ତି। ବିଗତ ତିନି ସପ୍ତାହ ଭିତରେ ଦର ବୃଦ୍ଧି ନକରିବାରୁ କଂପାନିଗୁଡ଼ିକର ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି। ତେଲ ଦର ବୃଦ୍ଧିର ଦୁଇଟି ପ୍ରମୁଖ କାରଣ ହେଉଛି ଅଶୋଧିତ ତେଲ ଦରରେ ବୃଦ୍ଧି ଓ ଆମେରିକୀୟ ଡଲାର ମୂଲ୍ୟ ବୃଦ୍ଧି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାରରେ ପହଞ୍ଚିଯାଇଛି। ସେହି ସମୟରେ ଗୋଟିଏ ଡଲାର କିଣିବାକୁ ହେଲେ ୬୮ ଟଙ୍କା ପାଖାପାଖି ଖର୍ଚ କରିବାକୁ ପଡୁଛି। ଏହି ଦୁଇଟି କାରଣ ଯୋଗୁଁ ଦେଶର ତେଲ କଂପାନିଗୁଡ଼ିକ ଅଶୋଧିତ ତେଲ କିଣିବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି। ତାହାର ପ୍ରଭାବ ପେଟ୍ରୋଲ୍‌ ଓ ଡିଜେଲର ଖୁଚୁରା ମୂଲ୍ୟ ଉପରେ ପ୍ରତିଫଳିତ ହେଉଛି।

ଅଶୋଧିତ ତେଲ ଦର ୮୦ ଡଲାର ଟପିଲା

ଲଣ୍ଡନ: ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାର ଟପିଯାଇଛି। ୨୦୧୪ ପରେ ପ୍ରଥମ ଥର ପାଇଁ ଅଶୋଧିତ ତେଲ ଦର ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ତେଲ ଆମଦାନି କରି ଆବଶ୍ୟକତା ମେଣ୍ଟାଉଥିବା ଦେଶଗୁଡ଼ିକ ପାଇଁ ଏହା ଏକ ଖରାପ ଖବର। ଚଳିତ ବର୍ଷ ଜାନୁଆରି ପରଠାରୁ ଅଶୋଧିତ ତେଲ ଦରରେ ୨୦% ବୃଦ୍ଧି ହୋଇସାରିଲାଣି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦର ୮୦.୧୮ ଡଲାର ହୋଇଛି। ସେହି ସମୟରେ ୟୁଏସ୍‌ କ୍ରୁଡ୍‌ର ଦର ୭୧.୮୩ ଡଲାର ରହିଛି। ଓପେକ୍‌ ରାଷ୍ଟ୍ର ସମୂହର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଇରାନ୍‌ ଉପରେ ଆମେରିକା ପୁଣି ଥରେ ଅର୍ଥନୈତିକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଇରାନ୍‌ରୁ ତେଲ ରପ୍ତାନି କମିଯିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଯୋଗାଣ ପ୍ରଭାବିତ ହେବା ଆଶଙ୍କା କରି ବିଭିନ୍ନ ଦେଶର କଂପାନିଗୁଡ଼ିକ ଅଧିକ ମାତ୍ରାରେ ଅଶୋଧିତ ତେଲ କିଣିବାକୁ ପ୍ରୟାସ କରୁଛନ୍ତି। ଚାହିଦା ତୁଳନାରେ ଯୋଗାଣ କମ୍‌ ରହିବାରୁ ଦର ବୃଦ୍ଧି ପାଉଛି। ସାଉଦି ଆରବ ଭଳି ରାଷ୍ଟ୍ର ଚତୁରତାର ସହିତ ତେଲ ଉତ୍ପାଦନକୁ କମାଇ ଦେଇଛନ୍ତି। ବଜାରରେ ପର୍ଯ୍ୟାପ୍ତ ପରିମାଣର ତେଲ ଉପଲବ୍ଧ ହେଉନଥିବାରୁ ଦର ବଢ଼ୁଛି। ଅର୍ଥନୈତିକ କଟକଣା ଲାଗୁ ହେବା ପରେ ଇରାନରୁ ଦୈନିକ ୧-୫ ଲକ୍ଷ ବ୍ୟାରେଲର ତେଲ ଯୋଗାଣ କମିଯିବ ବୋଲି ଆଶଙ୍କା କରାଯାଉଛି। ଅଶୋଧିତ ତେଲ ଦରକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଗୋଲ୍‌ଡମ୍ୟାନ୍‌ ସାଚ୍‌ ପକ୍ଷରୁ କୁହାଯାଇଛି ଯେ ଦର ୮୩ ଡଲାର ପର୍ଯ୍ୟନ୍ତ ବଢ଼ିବ। ମର୍ଗାନ୍‌ ଷ୍ଟାନ୍‌ଲି ଆକଳନ କରିଛି ଯେ ୨୦୨୦ ସୁଦ୍ଧା ତେଲ ଦର ଖୁବ୍‌ଶୀଘ୍ର ୯୦ ଡଲାରରେ ପହଞ୍ଚିଯିବ। ବ୍ୟାଙ୍କ୍‌ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ ଆକଳନ କରିଛି ଯେ ତେଲ ଦର ଆସନ୍ତା ବର୍ଷ ଭିତରେ ୧୦୦ ଡଲାର ଅତିକ୍ରମ କରିବ। ତେଲ ଦର ୩୦୦ ଡଲାରେ ପହଞ୍ଚିଯିବ ବୋଲି ମଧ୍ୟ ଜଣେ ହେଜ୍‌ ଫଣ୍ଡ୍‌ ମ୍ୟାନେଜର ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର