ପେଟ୍ରୋଲ ଓ ଡିଜେଲ ୧୫ ପଇସା ଲେଖାଏଁ କମିଲା

ନୂଆଦିଲ୍ଲୀ : ଶନିବାରଦିନ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ ୧୫ ପଇସା ଓ ଡିଜେଲ ୧୫-୧୬ ପଇସା ହ୍ରାସ କରିଛି ।

ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୪୭ ପଇସା ଓ ଡିଜେଲ ଦର ୬୮ ଟଙ୍କା ୦୮ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୩ ଟଙ୍କା ୯୧ ପଇସା ଓ ଡିଜେଲ ୭୨ ଟଙ୍କା ୨୮ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୩୭ ପଇସା ଓ ଡିଜେଲ ୭୩ ଟଙ୍କା ୦୨ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଥିବାରୁ ଏହି ଦର ହ୍ରାସ କରାଯାଇଥିବା ଜଣାଯାଇଛି । ଏବେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ବ୍ୟାରେଲ ପିଛି ୬୯.୯୨ ଡଲାର ରହିଛି ।

ସମ୍ବନ୍ଧିତ ଖବର