୪ ଟଙ୍କା ପର୍ଯ୍ୟନ୍ତ କମିପାରେ ତେଲ ଦର

ନୂଆଦିଲ୍ଲୀ: ଆସନ୍ତା ଅଳ୍ପ କିଛିଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ କମିପାରେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ, ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଇଣ୍ଡିଆନ୍‌ ଅଏଲ ଭଳି ସରକାରୀ ତେଲ ବିକ୍ରି କମ୍ପାନିଙ୍କ ମଧ୍ୟରେ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି।
ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଟିକସ ହ୍ରାସ ସହିତ ଡିଲର କମିସନ ହ୍ରାସ ମାଧ୍ୟମରେ ତେଲ ଦରକୁ କମାଯାଇ ପାରେ। ତେବେ ଡିଲର କମିସନରେ ଯେଉଁ ହ୍ରାସ ହେବ ତାହାକୁ ତେଲ କମ୍ପାନି ଗୁଡ଼ିକ ଭରଣା କରିବା ସମ୍ଭାବନା ରହିଛି। ତେଲ ଉପରେ ଟିକସର ଅଂଶ ୩୭ ଏବଂ ୪୭ ପ୍ରତିଶତ ରହୁଥିବାବେଳେ ଡିଲର କମିସନ ୩.୮ ପ୍ରତିଶତ ଏବଂ ୪.୮ ପ୍ରତିଶତ ରହିଛି। ଅର୍ଥ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟର ସମନ୍ଵୟରେ ପଦକ୍ଷେପ ନିଆଯିବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଟଙ୍କା ଦୁର୍ବଳ ହେବା କାରଣରୁ ଏହି ସଙ୍କଟ ଦେଖାଦେଇଛି ବୋଲି ଅର୍ଥ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ତେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିଛନ୍ତି। ଦରବୃଦ୍ଧିକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ସେ ବରିଷ୍ଠ ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି। କ୍ୟାବିନେଟ ବୈଠକ ପରେ ଏହି ବୈଠକ ହୋଇପାରେ।
ସେହିପରି ତେଲ ଦରକୁ ନେଇ କ’ଣ କରାଯାଇପାରିବ ସେ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ତେଲ କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ଚଳିତ ସପ୍ତାହରେ ତେଲ ଦର ବୃଦ୍ଧିରୁ ନିସ୍ତାର ମିଳିବ ବୋଲି ବିଜେପି ସଭାପତି ଅମିତ ଶାହ କହିଛନ୍ତି।

ସମ୍ବନ୍ଧିତ ଖବର