ପେଟ୍ରୋଲ୍‌ ରାଜନୀତି: ୧ ଟଙ୍କା ବନାମ ୧ ପଇସା

ଭୁବନେଶ୍ୱର/ନୂଆଦିଲ୍ଲୀ: ତେଲ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକ ଭୀଷଣ ଅସନ୍ତୁଷ୍ଟ ଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ପରିସ୍ଥିତିର ଫାଇଦା ଉଠାଇବା ପାଇଁ କେରଳ ସରକାର ଆଜି ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ୧ ଟଙ୍କାର ହ୍ରାସ ଘୋଷଣା କରିଛନ୍ତି। ଗତକାଲି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ମୂଲ୍ୟରେ ୧ ପଇସା ହ୍ରାସ କରିଥିଲେ। ତେଲକୁ ନେଇ ୧ ଟଙ୍କା ବନାମ ୧ ପଇସାର ରାଜନୀତି ଦେଖିବାକୁ ମିଳିଛି। କେରଳର ପଦକ୍ଷେପକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ସହିତ ଏହାକୁ ଅନୁସରଣ କରିବା ପାଇଁ ସେ ଅନ୍ୟ ରାଜ୍ୟମାନଙ୍କୁ ଆହ୍ଵାନ ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏବାବଦରେ କ’ଣ ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ସେ କିଛି କହିନାହାନ୍ତି। ଭୁବନେଶ୍ୱରରେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟରେ ଆଉ ତିନି ପଇସା ହ୍ରାସ ହୋଇଛି। ଗୁରୁବାର ପାଇଁ ପେଟ୍ରୋଲ୍‌ ମୂଲ୍ୟ ହେଉଛି ୭୭ ଟଙ୍କା ୧୯ ପଇସା। ଏହା ବୁଧବାର ଦର (୭୭ ଟଙ୍କା ୨୨ ପଇସା) ତୁଳନାରେ ୩ ପଇସା କମ୍‌। ସେହିପରି ଡିଜେଲ୍‌ ମୂଲ୍ୟରେ ମଧ୍ୟ ଦୁଇ ପଇସା ହ୍ରାସ ହୋଇଛି। ଗୁରୁବାର ପାଇଁ ଡିଜେଲ୍‌ର ଲିଟର ପିଛା ଦର ହେଉଛି ୭୪ ଟଙ୍କା ୨୭ ପଇସା। ବୁଧବାର ଏହି ଦର ୭୪ ଟଙ୍କା ୨୯ ପଇସା ଥିଲା। ଦୀର୍ଘ ୧୬ ଦିନ ପର୍ଯ୍ୟନ୍ତ ତେଲ ଦର ବଢ଼ିବା ପରେ ବୁଧବାର ଏହାର ମୂଲ୍ୟ ମାତ୍ର ଏକ ପଇସା ହ୍ରାସ ପାଇଥିଲା। କ୍ରମାଗତ ଦ୍ୱିତୀୟ ଦିନରେ ତେଲ ଦର ହ୍ରାସ ପାଇଛି। କିନ୍ତୁ ହ୍ରାସର ମାତ୍ରା ଏତେ କମ୍‌ ରହିଛି ଯେ ତାହାକୁ ନେଇ ଗ୍ରାହକମାନେ ଖୁସି ହୋଇପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଚଳିତ ମାସ ୧୪ ତାରିଖଠାରୁ ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ପେଟ୍ରୋଲ୍‌ ମୂଲ୍ୟରେ ୪ ଟଙ୍କା ପାଖାପାଖି ବୃଦ୍ଧି ହୋଇଯାଇଥିଲା। ଏହାକୁ ନେଇ ସାରା ଦେଶରେ ସରକାର ଲୋକମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଆନ୍ତର୍ଜାତିକ ବଜାରରେ ତେଲ ଦର କମିବା ପରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ ଦର କମିବା ଆରମ୍ଭ ହୋଇଛି। କିନ୍ତୁ ଆନ୍ତର୍ଜାତିକ ଦର ହ୍ରାସ ତୁଳନାରେ ଖୁଚୁରା ଦର ହ୍ରାସ ବହୁତ କମ୍‌ ରହୁଛି। ତେଲ ଉପରୁ ଟିକସ କାଟ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ରହିଛି। ଯଦି ରାଜ୍ୟଗୁଡ଼ିକ ତେଲ ଉପରୁ ଟିକସ ପରିମାଣ କମାଇ ଦେବେ ତେବେ ସେମାନଙ୍କର ୩୪,୬୨୭ କୋଟି ଟଙ୍କାର ରାଜସ୍ୱ ହାନି ହେବ। ଯଦି କେନ୍ଦ୍ର ସରକାର ଏକ ଟଙ୍କା ଟିକସ କମ୍‌ କରିବେ ତେବେ ବର୍ଷକୁ ୧୦,୭୨୫ କୋଟି ଟଙ୍କା ହରାଇବେ।

କେରଳ କମାଇଲା୧ ଟଙ୍କା
ଥିରୁବନନ୍ତପୁରମ୍‌/ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ପକ୍ଷରୁ ପେଟ୍ରୋଲ୍‌ ଓ ଡିଜେଲ୍‌ର ଲିଟର ପିଛା ଦରରେ ୧ ଟଙ୍କାର ହ୍ରାସ ଘୋଷଣା କରାଯାଇଛି। ଜୁନ୍‌ ପହିଲାରୁ ଏହା ଲାଗୁ ହେବ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେଲ ଉପରେ ଟିକସ ପରିମାଣ ଏକ ଟଙ୍କା ହ୍ରାସ କରାଯାଇଥିବାରୁ କେରଳ ବର୍ଷକୁ ୫୦୯ କୋଟି ଟଙ୍କାର ରାଜସ୍ୱ ହରାଇବ। ତେଲ ଉପରୁ ଟିକସ କମ୍‌ କରିବା ସହିତ ଶ୍ରୀ ବିୟଜନ କହିଛନ୍ତି ଯେ ସାଧାରଣ ଲୋକ ବହୁ ଅସୁବିଧା ସାମ୍ନା କରୁଥିବାରୁ କେନ୍ଦ୍ର ସରକାର ତେଲ ଦର କମ୍‌ କରିବାକୁ ପଦକ୍ଷେପ ଗ୍ରହଣ କରିବା କଥା। କେରଳରେ ଆମେ ଟିକସ ହ୍ରାସ କରି କେନ୍ଦ୍ର ସରକାର ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛୁ ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମ୍‌ ହେବାରେ ଲାଗିଛି। କିନ୍ତୁ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଉପରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଦୀର୍ଘ ୧୬ ଦିନ ପରେ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ଦରରେ ମାତ୍ର ୧ ପଇସାର ହ୍ରାସ ଘୋଷଣା କରିଛନ୍ତି। ଦେଶବାସୀଙ୍କ ପ୍ରତି ଏହା ଉପହାସ ସଦୃଶ ହୋଇଛି। ଏକ ପଇସାର ଦର ହ୍ରାସକୁ ନେଇ ସୋସିଆଲ୍‌ ମିଡିଆରେ ଲୋକମାନେ ସରକାର ଓ ତେଲ କଂପାନିଗୁଡ଼ିକୁ ଅନେକ ତାତ୍ସଲ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଇଣ୍ଡିଆନ୍‌ ଅଏଲ୍‌ େଓ୍ଵବସାଇଟ୍‌ରେ କିଛି ସମୟ ପାଇଁ ପେଟ୍ରୋଲ୍‌ ଦରକୁ ନେଇ ବିଭ୍ରାନ୍ତୀକର ତଥ୍ୟ ଦିଆଯାଇଥିଲା। ଦର ୧ ପଇସା କମିଥିବା ବେଳେ େଓ୍ଵବସାଇଟ୍‌ରେ ୬୦ ପଇସା ବୋଲି ଉଲ୍ଲେଖ ଥିଲା। ଲେଖାଯାଇଥିଲା। ଅବଶ୍ୟ କିଛି ସମୟରେ ସେଥିରେ ସଂଶୋଧନ ଅଣାଯାଇଥିଲା।

ସମ୍ବନ୍ଧିତ ଖବର