ପେଟ୍ରୋଲ୍ ୭୫ ଟଙ୍କା ଟପିଲା, ଭୁବନେଶ୍ବରରେ ୭୪ ଟଙ୍କାରୁ ଅଧିକ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍‌ ଉତ୍ପାଦନରେ ହେଉଥିବା ଖର୍ଚ୍ଚକୁ ଭରଣା କରିବା ଲାଗି କଂପାନିଗୁଡ଼ିକ ଦର ବୃଦ୍ଧି ‌କରିବା ପରେ ଦେଶରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୫ ଟଙ୍କାରୁ ଅଧିକ ହୋଇଯାଇଛି। ମୁମ୍ବାଇରେ ଏହି ଦାମ୍ ୮୨ ଟଙ୍କା ସ୍ତର ଅତିକ୍ରମ କରିଛି। ସାଧାରଣତଃ, ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ଅଧିକ ରହିଥାଏ। ଭୁବନେଶ୍ବରରେ ଆଜି ପେଟ୍ରୋଲ୍‌ର ଲିଟର ପିଛା ଦର ୭୪ ଟଙ୍କା ୩ ପଇସା ଓ ଡିଜେଲ୍‌ର ୭୦ ଟଙ୍କା ୮୮ ପଇସା ଥିଲା। ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ଭିତରେ ଅନ୍ତର ବହୁତ କମ୍ ରହିଛି। ଏଠାକାର ଡିଜେଲ ଦର ଅନ୍ୟ ଅଞ୍ଚଳଗୁଡ଼ିକ ତୁଳନାରେ ଅଧିକ।

ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍ ୭୫ ଟଙ୍କାରୁ ଅଧିକ ହୋଇଛି। ସେହି ସମୟରେ ଡିଜେଲ୍ ଦାମ୍ ୬୬ ଟଙ୍କା ୪ ପଇସା‌ ହୋଇଯାଇଛି। ଗତ ନଭେମ୍ବର ୯ ତାରିଖ ପରଠାରୁ ଗୋଟିଏ ଦିନକୁ ବାଦ୍‌ ଦେଲେ ପ୍ରାୟ ଅନ୍ୟ ସବୁ ଦିନ ପେଟ୍ରୋଲ୍‌ ଦାମ୍‌ରେ ବୃଦ୍ଧି ଘଟିଛି। ଗତ ମାସକ ଭିତରେ ପେଟ୍ରୋଲ୍‌ ଦାମ୍ ୨ ଟଙ୍କା ୩୦ ପଇସା‌ ବଢ଼ିଛି। ସାଉଦି ଆରବର ତୈଳ ଭଣ୍ଡାରରେ ଡ୍ରୋନ୍‌ ଆକ୍ରମଣ ହେବା ପରଠାରୁ ଦେଶ ଭିତରେ ପେଟ୍ରୋଲ୍‌ର ଖୁଚୁରା ଦାମ୍ ବଢ଼ୁଛି। ଏହି ଆକ୍ରମଣର ଦୁଇ ସପ୍ତାହ ଭିତରେ ପେଟ୍ରୋଲ୍ ୨ ଟଙ୍କା ୫୦ ପଇସା ମହଙ୍ଗା ହୋଇଥିଲା। ଏବେ ତେଲ ଦରରେ ହେଉଥିବା ବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି। ଡଲାର କିଣିବା ଲାଗି ଏବେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ସେଥିପାଇଁ ତେଲ ଆମଦାନି ମହଙ୍ଗା ହୋଇଛି। ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦାମ୍‌ ଏବଂ ଡଲାର-ଟଙ୍କାର ବିନିମୟ ମୂଲ୍ୟକୁ ବିଚାରକୁ ନେଇ ପ୍ରତିଦିନ ତେଲ ଦର ବଦଳାଉଛନ୍ତି। ସେମାନେ ଏହି ପ୍ରକ୍ରିୟାରେ ପୂର୍ବ ୧୫ ଦିନର ଦାମ୍‌କୁ ବିଚାରକୁ ନେଉଛନ୍ତି।

ସମ୍ବନ୍ଧିତ ଖବର