ଥମୁନି ତେଲ ଦରବୃଦ୍ଧି

0 168

ନୂଆଦିଲ୍ଲୀ: ଅଗଷ୍ଟ ୧୬ ତାରିଖରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ଦେଖାଦେଇଥିବା ବୃଦ୍ଧିର ଧାରା ଆଜି ଦିନଟି ପାଇଁ ଅଟକିଥିଲା। ଅର୍ଥାତ ବୁଧବାର ପାଇଁ ତେଲ ଦର ବଢ଼ିନଥିଲା। ଗୋଟିଏ ଦିନର ବିରତି ପରେ ପୁଣି ଥରେ ପେଟ୍ରୋଲ୍‌ ଓ ଡିଜେଲ୍‌ ମହଙ୍ଗା ହୋଇଛି। ଗୁରୁବାର ପାଇଁ ଭୁବନେଶ୍ୱରରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୮ ଟଙ୍କା ୩୮ ପଇସା ହୋଇଥିବା ବେଲେ ଡିଜେଲ୍‌ ଦର ୭୬ ଟଙ୍କା ୭୭ ପଇସା ହୋଇଛି। ଏକ୍ସଟ୍ରା ପ୍ରିମିୟମ୍‌ ପେଟ୍ରୋଲ୍‌ ମୂଲ୍ୟ ୮୧ ଟଙ୍କା ୩୦ ପଇସା ସ୍ତରରେ ପହଞ୍ଚିଛି। ପେଟ୍ରୋଲ୍‌ ମୂଲ୍ୟରେ ୨୦ ପଇସା ଓ ଡିଜେଲ ମୂଲ୍ୟରେ ୨୩ ପଇସା ବୃଦ୍ଧି ହୋଇଛି। ମଙ୍ଗଳବାର ପେଟ୍ରୋଲ୍‌ ଦର ୭୮ ଟଙ୍କା ୧୮ ପଇସା ଓ ଡିଜେଲ୍‌ ମୂଲ୍ୟ ୭୬ ଟଙ୍କା ୫୪ ପଇସା ଥିଲା।

ତେଲ ଦରକୁ ନେଇ ବିବ୍ରତ ନହେବା ପାଇଁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ସେ କହିଛନ୍ତି ଯେ, କିଛି ଦିନରେ କିମ୍ବା କିଛି ସପ୍ତାହ ମଧ୍ୟରେ ତେଲ ଦରରେ ହେଉଥିବା ପରିବର୍ତ୍ତନକୁ ନେଇ ସରକାର ଅଧିକ ଚିନ୍ତିତ ହେବା ଅନୁଚିତ। ସେ କହିଲେ, ଅତୀତରେ ତେଲ ଦରରେ ଏଭଳି ସାମୟିକ ବୃଦ୍ଧି ହୋଇଥିଲା ଓ ପୁଣି ସେଥିରେ ସୁଧାର ହୋଇଥିଲା। ତୈଳ ଦରରେ ଦିନିକିଆ କିମ୍ବା ସାପ୍ତାହିକ ପରିବର୍ତ୍ତନ ଉପରେ ସରକାର ନଜର ରଖିପାରିବେ। କିନ୍ତୁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ନୁହେଁ ବୋଲି ରାଜୀବ କହିଛନ୍ତି। ସେ କହିଲେ, ଜୁନ୍‌୍‌ରେ ତେଲ ଦର ବଢ଼ିଥିଲା ଓ ଜୁଲାଇରେ କମିଗଲା। ସେହିଭଳି ଭାବେ ଏବେ ଦର ବଢ଼ୁଛି। ତେଣୁ ତେଲ ଦରରେ ହେଉଥିବା ସାମୟିକ ପରିବର୍ତ୍ତନ ପାଇଁ ସରକାର ନୀତି ନିୟମରେ କୌଣସି ପରିବର୍ତ୍ତନ ଆଣିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ, ମୁଁ ପେଟ୍ରୋଲ୍‌ ଓ ଡିଜେଲ୍‌ ବିରୋଧୀ ନୁହେଁ। କୌଣସି ଶିଳ୍ପ ବନ୍ଦ ହୋଇଯାଉ ବୋଲି ମୁଁ ଚାହେଁନାହିଁ। ଭାରତୀୟ ଅଟୋମୋବାଇଲ୍‌ ନିର୍ମାତା ସଂଘର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। କିଛି ମାସ ତଳେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ବିକଳ୍ପ ଇନ୍ଧନ ବିଷୟରେ ଚିନ୍ତା କର ଅନ୍ୟଥା ଗାଡ଼ିରେ ବୋଲ୍‌ଡୋଜର୍‌ ଚଢ଼ାଇ ଦେବି। ଆଜି ସେହି ବୟାନ ଉପରେ ସଫେଇ ଦେଇ ସେ ଏହା କହିଛନ୍ତି। ଇଥାନଲ୍‌ ଭଳି ବିକଳ୍ପ ଇନ୍ଧନ ପ୍ରତି ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଇଥାନଲ୍‌ ପାଇଁ ଭାରତ କେତେ ପ୍ରସ୍ତୁତ?
ପେଟ୍ରୋଲ୍‌ରେ ଇଥାନଲ୍‌ ମିଶାଇ ବିକ୍ରି କରିବା ଉପରେ ସରକାର ଅଧିକ ଜୋର ଦେଉଛନ୍ତି। ଏବେ ଲିଟର ପିଛା ପେଟ୍ରୋଲ୍‌ରେ ୨-୩% ଜୈବ ଇନ୍ଧନ ମିଶାଯାଉଛି। ୨୦୩୦ ସୁଦ୍ଧା ଏହି ହାରକୁ ୨୦%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଇଥାନଲ୍‌ ଭଳି ଜୈବ ଇନ୍ଧନ ଉପରେ ସରକାରଙ୍କ ଅତ୍ୟଧିକ ଗୁରୁତ୍ୱ ଜଳ ଓ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଯେଉଁ ସବୁ ସାମଗ୍ରୀରୁ ଇଥାନଲ୍‌ ପ୍ରସ୍ତୁତ ହେବ ତାହାକୁ ଉତ୍ପାଦନ କରିବା ପାଇଁ ବିପୁଳ ପରିମାଣର ପାଣି ଦରକାର। ଏହା ଦେଶର ଜଳ ସମ୍ପଦ ପ୍ରତି ବିପଦ ସୃଷ୍ଟି କରିବ। ଭାରତରେ ଚାଷ କାମ ବେଳେ ଭୂପୃଷ୍ଠରେ ଥିବା ଜଳକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। ଯଦି ଆଖୁ କିମ୍ବା ଜାଟ୍ରୋଫା ଆଦି ଚାଷରେ ଅଧିକ ପାଣି ବ୍ୟବହାର କରାଯିବ ତେବେ ଭୂପୃଷ୍ଠରେ ଥିବା ଜଳ ଉତ୍ସ ଉପରେ ଚାପ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଇଥାନଲ୍‌ ଉତ୍ପାଦନରେ ଏବେବି ଭାରତ ଅନ୍ୟ ଦେଶମାନଙ୍କଠାରୁ ବହୁ ପଛରେ ରହିଛି। ଆମେରିକାରେ ବର୍ଷକୁ ସର୍ବାଧିକ ୪,୧୫, ୦୭,୦୦୦ ଟନ୍‌ର ଇଥାନଲ୍‌ ଉତ୍ପାଦନ କରାଯାଇଥାଏ। ଇଥାନଲ୍‌ ଉତ୍ପାଦନରେ ଏହା ଏକ ନମ୍ବର ସ୍ଥାନରେ ରହିଛି। ବ୍ରାଜିଲ୍‌ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ ଆମେରିକା ଯେତିକି ଇଥାନଲ୍‌ ଉତ୍ପାଦନ କରୁଛି ବ୍ରାଜିଲ୍‌ ତାହାର ଅଧାରୁ କମ୍‌ ମଧ୍ୟ ଉତ୍ପାଦନ କରିପାରୁନାହିଁ। ଏହି ତାଲିକାରେ ଚୀନ୍‌, କାନାଡା, ଫ୍ରାନ୍ସ, ଥାଇଲ୍ୟାଣ୍ଡ୍‌, ଜର୍ମାନି, ରୁଷିଆ ଓ ସ୍ପେନ୍‌ ଭଳି ଦେଶ ଭାରତ ଠାରୁ ଆଗରେ ରହିଛନ୍ତି। ଭାରତରେ ବର୍ଷକୁ ମାତ୍ର ୩୦୧୦୦ ଟନ୍‌ ଇଥାନଲ୍‌ ଉତ୍ପାଦନ କରାଯାଉଛି। ପେଟ୍ରୋଲ୍‌ରେ ୨୦% ଇଥାନଲ୍‌ ମିଶ୍ରଣ କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ହାସଲ କରିବାକୁ ହେଲେ ଅଧିକ ଜମିରେ ଆଖୁ ଚାଷ କରିବାକୁ ପଡ଼ିବ। ଏବେ ଦେଶରେ ଯେତିକି ଜମିରେ ଚାଷ କାମ ହେଉଛି ତାହାର ଏକ ଦଶମାଂଶ ଜମିରେ କେବଳ ଆଖୁ ଭଳି ଇଥାନଲ୍‌ ଉତ୍ପାଦନ ହୋଇପାରୁଥିବା ଜିନିଷ ଚାଷ କଲେ ହିଁ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଯଦି ଅଧିକ ଜମି ଅନ୍ୟତ୍ର ଚାଷ ପାଇଁ ସ୍ଥାନାନ୍ତରିତ ହୋଇଯିବ ତେବେ ଦେଶରେ ଥିବା କୋଟି କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.