ପେଟ୍ରୋଲ୍‌ ୭୧ ତଳକୁ ଖସିଲା

ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୧ ଟଙ୍କାରୁ କମ୍ ହୋଇଛି। ଇଣ୍ଡିଆନ୍ ଅଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ସୋମବାର ପାଇଁ ପେଟ୍ରୋଲ୍ ମୂଲ୍ୟ ୭୦ ଟଙ୍କା ୮୭ ପଇସା ରହିଛି। ସେହିପରି ଡିଜେଲ୍‌ର ଲିଟର ପିଛା ଦର ୭୧ ଟଙ୍କା ୪୩ ପଇସା ହୋଇଛି। ଆନ୍ତର୍ଜାତିିକ ବଜାରରେ ଆଶୋଧିତ ତୈଳ ଦର ୬୦ ଡଲାର ପାଖାପାଖି ହ୍ରାସ ପାଇବା ଓ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କା ତଳକୁ ଖସିଯିବା ପରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ହ୍ରାସ ପାଉଛି। ଆଗାମୀ ଦିନରେ ମଧ୍ୟ ଏହି ଦର ହ୍ରାସର ଧାରା ଜାରି ରହିବ ବୋଲି ଅନୁମାନ କରାଯାଉଛି। ନଭେମ୍ବର ପହିଲାରେ ପେଟ୍ରୋଲ୍‌ ଦର ୭୮ ଟଙ୍କା ୨୨ ପଇସା ଓ ଡିଜେଲ୍ ଦର ୭୯ ଟଙ୍କା ୧୭ ପଇସା ଥିଲା। ମାସକ ଭିତରେ ପେଟ୍ରୋଲ୍ ଦାମ୍ ୭ ଟଙ୍କା ୩୫ ପଇସା ଓ ଡିଜେଲ୍ ଦର ୭ ଟଙ୍କା ୭୪ ପଇସା ହ୍ରାସ ପାଇଛି। ଏବେବି ଭୁବନେଶ୍ବରରେ ପେଟ୍ରୋଲ୍‌ ଠାରୁ ଡିଜେଲ୍‌ ଦାମ୍ ଅଧିକ ରହିଛି। ଅଶୋଧିତ ତେଲ ପାଇଁ ନଭେମ୍ବର ମାସଟି ବହୁତ ଖରାପ ଥିଲା। ଏହା ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। କାରଣ ବିଗତ ୧୦ ବର୍ଷ ଭିତରେ କେବେବି ଅଶୋଧିତ ତେଲ ଦରରେ ଗୋଟିଏ ମାସରେ ଏତେ କମିନଥିଲା। ମାତ୍ର ଏହାକୁ ନେଇ ଭାରତ ଭଳି ତେଲ ଆମଦାନି କରୁଥିବା ଦେଶଗୁଡ଼ିକ ବହୁତ ଖୁସି ହୋଇଯାଇଛନ୍ତି। କାରଣ ସେମାନଙ୍କୁ ତେଲ କିଣିବା ପାଇଁ କମ୍ ଖର୍ଚ କରିବାକୁ ପଡ଼ୁଛି। ଗତ ‌ଅକ୍ଟୋବରରେ ତେଲ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଥିଲା। ଗୋଟିଏ ପଟେ ଇରାନ ଉପରେ ଆମେରିକାର ବାଣିଜ୍ୟ କଟକଣା ଲାଗୁ ହେବାକୁ ଯାଉଥିବା ବେଳେ ଅଶୋଧିତ ତେଲ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଥିଲା ତାହା ଭାରତ ଭଳି ଦେଶ ପାଇଁ ମୁଣ୍ଡବ୍ୟଥା ସାଜିଥିଲା।

ସମ୍ବନ୍ଧିତ ଖବର