ମହଙ୍ଗା ମାଡ଼ରୁ ମିଳିବନି ନିସ୍ତାର

ତେଲ ଉପରୁ ଟିକସ କମାଇବାକୁ ସରକାର ଅମଙ୍ଗ

ନୂଆଦିଲ୍ଲୀ: ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ ଦର ଅଣାୟତ୍ତ ହୋଇପଡ଼ିଛି। ଏହି ଦୁଇ ପ୍ରକାର ଇନ୍ଧନ କିଣିବା ବେଳେ ଲୋକମାନଙ୍କୁ ବହୁତ ବାଧୁଛି। ପେଟ୍ରୋଲର ଲିଟର ପିଛା ଦର ମୁମ୍ବାଇରେ ୮୨ ଟଙ୍କା ୩୫ ପଇସାରୁ ଅଧିକ ହୋଇଗଲାଣି। ସେହିପରି ଡିଜେଲ ଦର ମଧ୍ୟ ୭୦ ଟଙ୍କା ଟପିଗଲାଣି। ତେଲର ଏହି ମହଙ୍ଗା ମାଡ଼ରୁ ଏତେ ଶୀଘ୍ର ନିସ୍ତାର ମିଳିବ ନାହିଁ। ଆନ୍ତର୍ଜାତିକ ବଜାରରେ ଯାହା ସ୍ଥିତି ରହିଛି ଯଦି ତାହାକୁ ବିଚାରକୁ ନିଆଯିବ ତେବେ ଆଗାମୀ କିଛି ଦିନ ଭିତରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର କମିଯିବ ବୋଲି ଭାବିବା ଭୁଲ। ତେଲ ଉପରୁ ଆଦାୟ କରାଯାଉଥିବା ଟିକସ କମ୍‌ କରିବାକୁ ସରକାର ଚାହୁଁନାହାନ୍ତି। ଯଦି କେନ୍ଦ୍ର ସରକାର ଟିକସ କମାଇବେ ତେବେ ୧୩ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। ଏହା ଦେଶର ବିତ୍ତୀୟ ନିଅଣ୍ଟକୁ ବିଗାଡ଼ି ଦେବ ଯାହା ହେଉ ବୋଲି ସରକାର ଚାହିଁବେ ନାହିଁ। ବିତ୍ତୀୟ ନିଅଣ୍ଟ ହେଉଛି ସରକାରଙ୍କ ରାଜସ୍ୱ ଓ ଖର୍ଚ ମଧ୍ୟରେ ରହୁଥିବା ଅନ୍ତର ବା ନିଅଣ୍ଟ। ରାଜ୍ୟଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଟିକସ ପରିମାଣ କମ୍‌ କରନ୍ତୁ ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି। ଯେହେତୁ ରାଜ୍ୟଗୁଡ଼ିକର ଟିକସ ସିଂହ ଭାଗ ଏହି ଦୁଇ ଇନ୍ଧନ ବିକ୍ରିରୁ ଆସୁଛି ତେଣୁ ସେମାନେ ଟିକସ କମ୍‌ କରିବାକୁ ଚାହୁଁନାହାନ୍ତି। ଟିକସକୁ ନେଇ ରାଜ୍ୟଗୁଡ଼ିକ ଚୁପ୍‌ ରହିବାକୁ ଉଚିତ ମଣୁଛନ୍ତି। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରାଯାଇଛି। ଏହି ୧୫ ମାସ ଭିତରେ ପେଟ୍ରୋଲ ଉପରେ ୧୧ ଟଙ୍କା ୭୭ ପଇସା ଓ ଡିଜେଲ ଉପରେ ୧୩ ଟଙ୍କା ୪୭ ପଇସାର ଅତିରିକ୍ତ ଟିକସ ବସାଯାଇଛି। ଟିକସ ପରିମାଣ ବଢ଼ାଇ ସରକାର ମାଲାମାଲ ହୋଇଛନ୍ତି। ତେଲରୁ ମିଳୁଥିବା ରାଜସ୍ୱ ପରିମାଣ ଦୁଇ ଗୁଣ ବଢ଼ିଯାଇଛି। ୨୦୧୪-୧୫ରେ ତେଲରୁ ୯୯ ହଜାର କୋଟି ଟଙ୍କାର ଟିକସ ମିଳିିଥିଲା। ୨୦୧୬-୧୭ ବେଳକୁ ତାହା ୨ ଲକ୍ଷ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି। ଭାରତର ତେଲ ଦର ସମ୍ପୂର୍ଣ୍ଣ ରୂପେ ଆନ୍ତର୍ଜାତିକ ବଜାର ଦର ଉପରେ ନିର୍ଭରଶୀଳ। ଏବେ ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିଚାଲିଛି। ତେଣୁ ଭାରତୀୟ କଂପାନିଗୁଡ଼ିକୁ ତେଲ କିଣିବାକୁ ମୋଟା ଅଙ୍କର ଅର୍ଥ ଖର୍ଚ କରିବାକୁ ପଡୁଛି। ଖର୍ଚ ବଢ଼ିବା ସହିତ କଂପାନିଗୁଡ଼ିକ ତେଲର ଖୁଚୁରା ଦର ବଢ଼ାଉଛନ୍ତି।

ବର୍ତ୍ତମାନ ସ୍ଥିତିରେ ଦର କମିବା ସମ୍ଭାବନା କମ୍‌
୨୦୦୮ ଜୁଲାଇ ୧୧ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୭.୨୭ ଡଲାର ଥିଲା। ସେତେବେଳେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୫୦ ଟଙ୍କା ୬୨ ପଇସା ଥିଲା। ୨୦୧୪ରେ ମୋଦି ସରକାର ଶାସନ ଭାର ଗ୍ରହଣ କରିବା ବେଳେ ତେଲର ବ୍ୟାରେଲ ପିଛା ଦର ୩୦ ଡଲାର ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଏହାର ପ୍ରଭାବ କିନ୍ତୁ ପେଟ୍ରୋଲ୍‌ର ଖୁଚୁରା ମୂଲ୍ୟରେ ପ୍ରଦର୍ଶିତ ହୋଇନଥିଲା। ଏହାର ଏକ ପ୍ରମୁଖ କାରଣ ହେଉଛି ସରକାର ବାରମ୍ବାର ଟିକସ ପରିମାଣ ବଢ଼ାଇ ଚାଲିଥିଲେ। ଏବେ ତେଲର ଆନ୍ତର୍ଜାତିକ ବଜାରରେ ଦର ୭୩ ଡଲାରରୁ ଅଧିକ ରହିଛି। ଆଗାମୀ ଦିନରେ ଅଶୋଧିତ ତେଲ ଦର ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ତାହା ହେଲେ ଗ୍ରାହକଙ୍କୁ ପେଟ୍ରୋଲ୍‌ ଓ ଡିଜେଲ୍‌ ପାଇଁ ଆହୁରି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଆନ୍ତର୍ଜାତିକ ସ୍ତରରେ ଲାଗି ରହିଥିବା ଭୌଗଳିକ ଓ ରାଜନୈତିକ ସମସ୍ୟା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି। ତେଲ ଉତ୍ପାଦନକାରୀ ଦେଶଗୁଡ଼ିକ ଅଶୋଧିତ ତୈଳ ଦରକୁ ୧୦୦ ଡଲାର ପାଖାପାଖି ନେଇଯିବାକୁ ଚାହୁଁଛନ୍ତି। ଅନ୍ୟ ପକ୍ଷରେ ଆମେରିକା ଯୋଗାଉଥିବା ସେଲ୍‌ ଗ୍ୟାସ୍‌ର ମୂଲ୍ୟ ୮୦-୯୦ ଡଲାର ତଳକୁ କେବେ ବି ଖସିପାରିବ ନାହିଁ। ସେଥିପାଇଁ ବର୍ତ୍ତମାନ ପରିସ୍ଥିତିରେ ଏହା ଅଶୋଧିତ ତୈଳର ଏକ ଉତ୍ତମ ବିକଳ୍ପ ନୁହେଁ।

 

ସମ୍ବନ୍ଧିତ ଖବର