କେବେ କମିବ ତେଲ ଦର?

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଅଣାୟତ୍ତ ସ୍ଥିିତିରେ ପହଞ୍ଚିଗଲଣି। କିନ୍ତୁ ଦର କେବେ ହ୍ରାସ ପାଇବ ତାହାର ଉତ୍ତର କାହାରି ପାଖରେ ନାହିଁ। ତେଲ ଉପରେ ଲଗାଯାଇଥିବା ଟିକସକୁ କୌଣସି ପରିସ୍ଥିତିରେ ହ୍ରାସ କରାଯିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ରୋକଠୋକ୍‌ ଜଣାଇ ଦେଇଛନ୍ତି। ତେଣୁ ଟିକସ ହ୍ରାସ ଯୋଗୁଁ ଦର କମିବାର କୌଣସି ସମ୍ଭାବନା ନାହିଁ କହିଲେ ଭୁଲ ହେବ ନାହିଁ। ତେଲର ପ୍ରକୃତ ଦାମ୍‌୍‌ଠାରୁ ଟିକସ ପରିମାଣ ଅଧିକ ରହୁଛି। କିନ୍ତୁ କେନ୍ଦ୍ର କିମ୍ବା ରାଜ୍ୟ କେହି ଟିକସ କମ୍‌ କରିବାକୁ ଚାହୁନାହାନ୍ତି। ଟିକସ କମାଇଲେ ସେମାନଙ୍କ ଆୟ ପ୍ରଭାବିତ ହେବ। ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୭୮ ଟଙ୍କା ୮୫ ପଇସା ଓ ଡିଜେଲ ଦର ୭୭ ଟଙ୍କା ୫୫ ପଇସା ଥିଲା। ବିଗତ ସାତ ଦିନ ଭିତରେ ପେଟ୍ରୋଲ୍‌ ଦର ୧ ଟଙ୍କା୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ୧ ଟଙ୍କା ୭୮ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍‌ ଦରଠାରୁ ଡିଜେଲ୍‌ ମୂଲ୍ୟ ମାତ୍ର ୧ ଟଙ୍କା ୫୨ ପଇସା କମ୍‌ ରହିଛି।

ଟିକସ ଛାଡ଼ିବାକୁ ସରକାର ନାରାଜ
ଶସ୍ତା ହେଉନି ଅଶୋଧିତ ତେଲ, ଡଲାର
ଜିଏସ୍‌ଟି ଦାବି ଦୋହରାଇଲେ ଧର୍ମେନ୍ଦ୍ର

ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିର ଦୁଇ ପ୍ରମୁଖ କାରକ ହେଉଛି ଅଶୋଧିତ ତୈଳ ଦର ଓ ଡଲାର ମୂଲ୍ୟ। ଉଭୟ ଅଶୋଧିତ ତୈଳ ଦର ଓ ଡଲାର ଶସ୍ତା ହେଲେ ହିଁ ଭାରତରେ ତେଲ ଦର ହ୍ରାସ ପାଇବ। କିନ୍ତୁ ନିକଟ ଭବିଷ୍ୟତରେ ସେଭଳି କୌଣସି ଚମତ୍କାର ହେବା ଭଳି ମନେ ହେଉନାହିଁ। ଏବେ ଏକ ଡଲାର ମୂଲ୍ୟ ୭୨ ଟଙ୍କା ପାଖାପାଖି ସ୍ତରରେ ରହିଛି। ଏକ ବ୍ୟାରେଲ୍‌ ଅଶୋଧିତ ତୈଳ ମୂଲ୍ୟ ୭୬.୪୨ ଡଲାର ରହିଛି। କିଛି ଦିନ ଭିତରେ ଯଦିଓ ଅଶୋଧିତ ତେଲ ଦରରେ ସାମାନ୍ୟ ହ୍ରାସ ପାଇଛି କିନ୍ତୁ ତାହାର ଲାଭ ଭାରତକୁ ମିଳୁନାହିଁ। କାରଣ ଶସ୍ତା ହୋଇଥିବା ଅଶୋଧିତ ତେଲ କିଣିବା ପାଇଁ ଭାରତକୁ ମହଙ୍ଗା ଡଲାର ଗଣିବାକୁ ପଡ଼ୁଛି। ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଜିଏସ୍‌ଟି ଲଗାଇବାକୁ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଦାବି କରିଥିଲେ। ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତେଲ ଉପରେ ଜିଏସ୍‌ଟି ଶୀଘ୍ର ଲାଗୁ ହେବା ଦରକାର ବୋଲି କହିଛନ୍ତି। କିନ୍ତୁ ଜିଏସ୍‌ଟି ନିଷ୍ପତ୍ତି ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଜ୍ୟଗୁଡ଼ିକ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ଅଶୋଧିତ ତୈଳ ଓ ଡଲାର ମୂଲ୍ୟରେ କୌଣସି ପ୍ରକାର ହ୍ରାସ ନହେବା ପର୍ଯ୍ୟନ୍ତ ସରକାର ନିଜ ଆଡ଼ୁ କୌଣସି ପଦକ୍ଷେପ ଗ୍ରହଣ କରିବେ ନାହିଁ। ଏହା ସ୍ପଷ୍ଟ ଜଣାପଡ଼ୁଛି। ଦେଶରେ ଯେତେବେଳେ ନିର୍ବାଚନ ପାଖେଇ ଆସେ ଜନମତ ହାସଲ କରିବା ପାଇଁ ସରକାର ତେଲ ଦର ବୃଦ୍ଧି ଉପରେ ଅଦୃଶ୍ୟ ରୋକ ଲଗାଇ ଦିଅନ୍ତି। କର୍ଣ୍ଣାଟକ ନିର୍ବାଚନ ବେଳେ ସେଭଳି ହୋଇଥିଲା। ତେଣୁ ଶସ୍ତାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ପାଇବାକୁ ହେଲେ ଲୋକମାନଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ତେଲ, ସାବୁନ୍‌ ଦାମ୍‌ ବଢ଼ିବ
ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ହେଉଥିବା ଲଗାତାର ବୃଦ୍ଧି ଅନ୍ୟ କ୍ଷେତ୍ରକୁ ପ୍ରଭାବିତ କରିବା ଆରମ୍ଭ କଲାଣି। ତେଲ, ସାବୁନ ଆଦି ଦୈନନ୍ଦିନ ବ୍ୟବହାରଯୋଗ୍ୟ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ନିଜ ଉତ୍ପାଦର ମୂଲ୍ୟ ବଢ଼ାଇବା ଆରମ୍ଭ କରିଦେଲେଣି। ଅନ୍ୟ କଂପାନିଗୁଡ଼ିକ ଦର ବଢ଼ାଇବା ଉପରେ ବିଚାର କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବର-ଡିସେମ୍ବର ଅବଧିରେ ତେଲ, ସାବୁନ ଆଦିର ଦାମ୍‌ ୫-୮% ବଢ଼ିବ ବୋଲି ଆକଳନ କରାଯାଇଛି। ବିସ୍କୁଟ କଂପାନି ବ୍ରିଟାନିଆ ପକ୍ଷରୁ ବିଭିନ୍ନ ଉତ୍ପାଦ ମୂଲ୍ୟରେ ୫% ବୃଦ୍ଧି କରାଯାଇଛି। ବିଗତ ଦୁଇ ବର୍ଷ ଭିତରେ ଏହା ସବୁଠୁ ବଡ଼ ଧରଣର ଦରବୃଦ୍ଧି। କିଛି ଦିନ ପୂର୍ବରୁ ହିନ୍ଦୁସ୍ତାନ ୟୁନିଲିଭର ପକ୍ଷରୁ ଡିଟରଜେଣ୍ଟ୍‌, ସାବୁନ୍‌ ଓ କିଛି ସ୍କିନ୍‌ କେୟାର ଉତ୍ପାଦ ମୂଲ୍ୟରେ ୫-୭% ବୃଦ୍ଧି ଘୋଷଣା କରାଯାଇଛି। ପାରାସୁଟ୍‌ ଓ ମାରିକୋ ପକ୍ଷରୁ କେଶ ତୈଳ ମୂଲ୍ୟରେ ବୃଦ୍ଧି ଘୋଷଣା କରାଯାଇଛି। କୋଲ୍‌ଗେଟ୍‌ ପାମୋଲିଭ୍‌ ପକ୍ଷରୁ ଗତ ମାସରେ କିଛି ସାମଗ୍ରୀ ମୂଲ୍ୟରେ ୪% ବୃଦ୍ଧି କରାଯାଇଥିଲା। ପାର୍ଲେ ପକ୍ଷରୁ ବିଭିନ୍ନ ସାମଗ୍ରୀ ମୂଲ୍ୟରେ ୭-୮% ବୃଦ୍ଧି ଘୋଷଣା କରିବାକୁ ବିଚାର କରାଯାଉଛି। ଖୁବ୍‌ଶୀଘ୍ର ଏନେଇ କଂପାନି ନିଷ୍ପତ୍ତି ଗ୍ରହଣ କରିବ। ଏଫ୍‌ଏମ୍‌ସିଜି କଂପାନିଗୁଡ଼ିକ ପାଇଁ ଡିଜେଲ୍‌ ଦର ଓ ଟଙ୍କା ମୂଲ୍ୟ ସମସ୍ୟା ସୃଷ୍ଟି କରିଛି। ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ ବଢ଼ିଛି। ଅନ୍ୟପକ୍ଷରେ ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁ ପ୍ୟାକେଜିଂରେ ବ୍ୟବହାର ହେଉଥିବା ବୋତଲ ଓ ଟ୍ୟୁବ୍‌ ଦର ମଧ୍ୟ ବଢ଼ିଛି। କଂପାନିଗୁଡ଼ିକ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଦର ବଢ଼ିବା ଯୋଗୁ ସେମାନେ ନିଜ ଉତ୍ପାଦର ଦରଦାମ୍‌ ବଢ଼ାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର