ମୁମ୍ବାଇ: ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଦର କମିଯିବ। ପେଟ୍ରୋଲରେ ୧୫ ପ୍ରତିଶତ ମିଥାନଲ୍ ମିଶାଇବା ନେଇ କେନ୍ଦ୍ର ସରକାର ଖୁବ୍ଶୀଘ୍ର ଏକ ନୀତି ଘୋଷଣା କରିବେ। ନୂଆ ନୀତି ଘୋଷଣା ହେଲେ ପେଟ୍ରୋଲ ଦର କମିଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଥାନଲ ମିଶ୍ରଣ ଦ୍ୱାରା ପେଟ୍ରୋଲ ଦର କମିଯିବା ସହିତ ପ୍ରଦୂଷଣର ମାତ୍ରା ମଧ୍ୟ ହ୍ରାସ ଘଟିବ ବୋଲି ସେ କହିଛନ୍ତି। ମିଥାନଲ୍ କୋଇଲାରୁ ପ୍ରସ୍ତୁତ ହେବ। ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ଥିବାବେଳେ ଏହାର ଲିଟର ପିଛା ଦର ପ୍ରାୟ ୨୨ ଟଙ୍କା ରହିବ। ଚୀନ୍ ପ୍ରତି ଲିଟର ମିଥାନଲ ଉତ୍ପାଦନ ବାବଦରେ ୧୭ ଟଙ୍କା ଖର୍ଚ କରୁଛି ବୋଲି ଗଡ଼କରୀ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୁମ୍ବାଇ ନିକଟରେ ଥିବା ଦୀପକ ଫର୍ଟିଲାଇଜର୍ସ ଏବଂ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଭଳି କାରଖାନା ମିଥାନଲ ଉତ୍ପାଦନ କରିପାରିବେ ବୋଲି ସେ କହିଛନ୍ତି। ଭଲ୍ଭୋ ଭଳି କମ୍ପାନି ମଧ୍ୟ ମିଥାନଲରେ ଚାଲି ପାରୁଥିବା ଇଞ୍ଜିନ ନିର୍ମାଣ କରିଛି। ମୁମ୍ବାଇରେ ଭଲଭୋ ଏହି ଇଞ୍ଜିନ ଲାଗିଥିବା ୨୫ଟି ବସ୍ ଚଳାଇବା ପ୍ରୟାସ କରିବ। ମିଥାନଲ ଭଳି ଇଥାନଲ୍ର ମଧ୍ୟ ବ୍ୟାପକ ବ୍ୟବହାର ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟ ଦେଶରେ ୭୦ ହଜାର କୋଟି ଟଙ୍କାରେ ବିଶୋଧନାଗାର ସ୍ଥାପନ ପରିବର୍ତେ ଇଥାନଲର ଉପଯୋଗ କରିବା ଲାଗି ସେ ଉକ୍ତ ମନ୍ତ୍ରାଳୟକୁ ପରାମର୍ଶ ଦେଇଥିବା କହିଛନ୍ତି। ଦେଶରେ ପ୍ରତିବର୍ଷ ଅଧିକ ୨୨ ପ୍ରତିଶତ କାର ବିକ୍ରି ହେଉଛି। ଏହା ହିଁ ଚିନ୍ତାର କାରଣ ବୋଲି ସେ କହିଛନ୍ତି।