ମୋଦିଙ୍କ ଅମଳରେ ସର୍ବାଧିକ ସ୍ତରରେ ପହଞ୍ଚିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛି । ମଙ୍ଗଳବାରଦିନ ପେଟ୍ରୋଲ ଦର ଲିଟରପିଛା ୭୨ ଟଙ୍କା ୩୮ ପଇସାରେ ପହଞ୍ଚିଛି, ଯାହାକି ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ସର୍ବାଧିକ ଦର । ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା ୬୩ଟଙ୍କା ୨୦ ପଇସାରେ ପହଞ୍ଚିଛି । ଦର ହ୍ରାସ ପାଇଁ ତେଲ ଉପରୁ ଉତ୍ପାଦଶୁଳକ ହ୍ରାସ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଅନୁରୋଧ କରିଛି ।

ଦେଶରେ ତେଲଦର ବଢିଚାଲିଥିବାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢିବାର ସମ୍ଭାବନା ରହିଛି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଦରଦାମ ବୃଦ୍ଧି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଏଥିଲାଗି ଅର୍ଥମନ୍ତ୍ରାଳୟ ଆଗାମୀ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ କାଟ୍‌ କରିବାର ସମ୍ଭାବନା ରହିଛି । ତେବେ ଅଧିକ ଉତ୍ପାଦ ଶୁଳକ କାଟିଲେ ସରକାରଙ୍କ ଆର୍ଥିକ ନିଅଣ୍ଟ ବିଗିଡ଼ିଯିବାର ଆଶଙ୍କା ରହିଛି ।

ସମଗ୍ର ଦକ୍ଷିଣ ଏସିଆ ଦେଶମାନଙ୍କ ମଧ୍ୟରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ, କାରଣ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଶି ତେଲଦରର ପ୍ରାୟ ୪୦ରୁ ୫୦ ପ୍ରତିଶତ ଟିକସ ଆକାରରେ ଆଦାୟ କରନ୍ତି ।

ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ କରିବା ବିକଳ୍ପ ଉପରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର