ଆମେରିକା ବିରୋଧରେ ମେଳି

ଏକଜୁଟ ହେବେ ୧୬ ଦେଶ, ଗଠନ ହେବ ସର୍ବବୃହତ ବାଣିଜ୍ୟ ସଂଘ

ଟୋକିଓ: ଯୁକ୍ତରାଷ୍ଟ୍ର ଆମେରିକାର ଦାଦାଗିରି ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ବିଶେଷ କରି ବାଣିଜ୍ୟ କ୍ଷେତ୍ରରେ ଆମେରିକା ଯେଉଁ ସ୍ଥାନ ହାସଲ କରିଛି ତାହାକୁ କୌଣସି ଦେଶ ଚ୍ୟାଲେଞ୍ଜ୍‌ କରିବା ପରିସ୍ଥିତିରେ ନାହାନ୍ତି। ଏକାକୀ କୌଣସି ଦେଶ ଆମେରିକା ଉପରେ ଚାପ ସୃଷ୍ଟି କରିପାରିବ ନାହିଁ। ତେଣୁ, ଏବେ ଆମେରିକା ବିରୋଧରେ ୧୬ଟି ଦେଶ ଏକଜୁଟ ହୋଇଛନ୍ତି। ସେମାନେ ମିଶି ବିଶ୍ୱର ବିଶ୍ୱର ସର୍ବବୃହତ ବାଣିଜ୍ୟ ସଂଘ ଗଠନ କରିବେ। ଏଥିରେ ଭାରତ, ଚୀନ୍‌୍‌, ଜାପାନ ଭଳି ଦେଶ ରହିବେ। ଜାପାନର ରାଜଧାନୀ ଟୋକିଓଠାରେ ଏହି ସବୁ ଦେଶର ପ୍ରତିନିଧିମାନେ ଏକତ୍ରୀତ ହୋଇ ନୂତନ ସଂଘ ଗଠନ କରିବା ବିଷୟରେ ବ୍ୟାପକ ବିଚାରବିମର୍ଶ କରିଛନ୍ତି। ଆମେରିକାକୁ ବାଦ ଦେଇ ଏହି ସବୁ ଦେଶ ନିଜ ନିଜ ଭିତରେ ବାଣିଜ୍ୟ କାରବାର ବଢ଼ାଇବାକୁ ଚାହୁଁଛନ୍ତି। ଆମେରିକା ଏବେ ରକ୍ଷଣଶୀଳ ମନୋଭାବ ରଖି କାମ କରୁଛି। ସେଠାକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କେବଳ ଆମେରିକା ବିଷୟରେ ଚିନ୍ତା କରୁଛନ୍ତି। ଚୀନ୍‌ ଓ ଭାରତର ବିଭିନ୍ନ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରି ଆମେରିକା ଏକ ନୂଆ ପ୍ରକାରର ବାଣିଜ୍ୟ ଲଢ଼େଇ ଆରମ୍ଭ କରିଛି। ଯଦି ଏହି ୧୬ଟି ରାଷ୍ଟ୍ର ମିଶି ନୂଆ ବାଣିଜ୍ୟ ସଂଘ ଗଠନ କରିବାରେ ସଫଳ ହେବେ ତେବେ ସେମାନେ ଆମେରିକା ଉପରେ ଚାପ ପକାଇପାରିବେ। କାରଣ, ବର୍ତ୍ତମାନ ପରିସ୍ଥିତିରେ କୌଣସି ଦେଶ ଏକାକୀ ଲଢ଼େଇ କରି ଆମେରିକା ଉପରେ ଚାପ ପକାଇ ପାରିବ ନାହିଁ। ନୂଆ ସଂଘକୁ ନେଇ ବର୍ଷ ଶେଷ ସୁଦ୍ଧା ବୁଝାମଣା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଜାପାନର ବାଣିଜ୍ୟ ମନ୍ତ୍ରୀ ହିରୋସିଗେ ସେକୋ କହିଛନ୍ତି। ଯଦି ସଂଘ ସଫଳତା ସହିତ ଗଠନ ହୋଇଯିବ ତେତେବ ସେଥିରେ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ ମଧ୍ୟ ସାମିଲ ହେବେ।

ନୂଆ ସଂଘ ଗଠନ କରିବା ବାଟରେ ଭାରତ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଭାରତ ଚାହୁଁଛି ଯେ, ସାମଗ୍ରୀ ଓ ସେବା ଉପରେ ଟିକସ ହ୍ରାସ ବିଷୟରେ ଚିନ୍ତା କରିବା ବେଳେ ପ୍ରତିଭାବାନ୍‌ ଲୋକମାନେ ଯେଭଳି ମୁକ୍ତ ଭାବେ ବିଭିନ୍ନ ଦେଶରେ କାମ କରିପାରିବେ ସେ ବିଷୟରେ ମଧ୍ୟ ଚିନ୍ତା କରାଯିବା ଦରକାର। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କୁଶଳୀ କର୍ମଚାରୀମାନଙ୍କୁ ମୁକ୍ତ ଭାବେ ଚଳପ୍ରଚଳ କରିବାର ସ୍ୱାଧୀନତା ପ୍ରଦାନ କରିବା ସପକ୍ଷରେ ଭାରତ ଯୁକ୍ତି ଉପସ୍ଥାପନ କରିଛି।

ଅଶି ଦଶକ ଲଢ଼େଇରେ ଆମେରିକା ହାରିଥିଲା
ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ପ୍ରଥମ ରାଷ୍ଟ୍ରପତି ନୁହନ୍ତି ଯିଏ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଲଢ଼େଇ ଆରମ୍ଭ କରିଛନ୍ତି। ଅଶି ଦଶକରେ ମଧ୍ୟ ଆମେରିକା ସେଭଳି ପଦକ୍ଷେପ ଗ୍ରହଣ କରିଥିଲା। ଜାପାନ ସହିତ ବାଣିଜ୍ୟ ନିଅଣ୍ଟ ବହୁତ ବଢ଼ିଯିବା ପରେ ସେହି ସମୟର ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ବାଣିଜ୍ୟ ଲଢ଼େଇ ଆରମ୍ଭ କରିଥିଲେ। ଅଟୋମୋବାଇ୍‌, ଇସ୍ପାତ ଓ ସେମି କଣ୍ଡକ୍ଟରକୁ ସେ ଟାର୍ଗେଟ୍‌ କରି ଶୁଳ୍କ ପରିମାଣ ବହୁତ ବଢ଼ାଇ ଦେଇଥିଲେ। ଏହି ବାଣିଜ୍ୟ ଲଢ଼େଇରେ ଆମେରିକାର ଗ୍ରାହକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ଆମେରିକାରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିଯାଇଥିଲା। ଅନେକ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଯେଉଁ ସବୁ ଶିଳ୍ପ କ୍ଷେତ୍ରକୁ ଆମେରିକା ସହାୟତା କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା ସେହି କ୍ଷେତ୍ରରେ କାମ କରୁଥିବା କଂପାନିଗୁଡ଼ିକ ବିଶେଷ ଲାଭବାନ ହୋଇପାରିନଥିଲେ। ଟ୍ରମ୍ପ୍‌ଙ୍କ ବ୍ୟବସାୟ ନୀତିକୁ ବିଶେଷଜ୍ଞମାନେ ରେଗାନ୍‌ଙ୍କ ୧୯୮୦ର ବାଣିଜ୍ୟ ନୀତି ସହିତ ତୁଳନା କରୁଛନ୍ତି।

ସମ୍ବନ୍ଧିତ ଖବର