ପ୍ରସ୍ତୁତ ହେଉଛି ଫାଇଲ୍‌, କଳା ତାଲିକାଭୁକ୍ତ କରିବାକୁ ଉଦ୍ୟମ ଆରମ୍ଭ

ଏଫ୍‌ଏଟିଏଫ୍‌ରେ ଆବେଦନ କରିବ ଭାରତ, ପ୍ରମାଣ ଯୋଗାଡ଼ କରୁଛନ୍ତି ତଦନ୍ତ ଏଜେନ୍ସି

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ପ୍ରମାଣଗୁଡ଼ିକୁ ଭାରତ ସଂଗ୍ରହ କରୁଛି। ଭାରତର ସମସ୍ତ ତଦନ୍ତ ଏଜେନ୍ସି ଏବେ ପ୍ରମାଣ ଯୋଗାଡ଼ରେ ଲାଗିଛନ୍ତି। ଖୁବ୍‌ଶୀଘ୍ର ଏକ ଫାଇଲ୍‌ ପ୍ରସ୍ତୁତ କରାଯିବ ଏବଂ ତାହାକୁ ଆତଙ୍କବାଦୀ ପାଣ୍ଠି କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ବିଶ୍ବ ସ୍ତରୀୟ ସଂସ୍ଥା ‘ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ’ (ଏଫ୍ଏଟିଏଫ୍) ନିକଟରେ ଉପସ୍ଥାପନ କରାଯିବ। ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ପ୍ରମାଣଗୁଡ଼ିକୁ ଭାରତ ଉପସ୍ଥାପନ କରିବ ଏବଂ ଏହି ଦେଶକୁ କଳାତାଲିକାଭୁକ୍ତ କରିବାକୁ ଏଫ୍‌ଏଟିଏଫ୍‌ ନିକଟରେ ଦାବି କରିବ। ପାକିସ୍ତାନର ଜୈସ୍‌-ଏ-ମହମ୍ମଦ ଦ୍ବାରା କରାଯାଇଥିବା ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ହିଁ ଏହି ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଛି ବୋଲି ଭାରତ ଦାବି କରୁଛି। ଜୈସ୍‌ ସଂଗଠନ ସହିତ ପାକିସ୍ତାନର ବିଭିନ୍ନ ଏଜେନ୍ସିଗୁଡ଼ିକର କିଭଳି ସମ୍ପର୍କ ରହିଛି ତାହାର ମଧ୍ୟ ପର୍ଦାଫାଶ କରିବ ଭାରତ।

ଆସନ୍ତା ସପ୍ତାହରେ ପ୍ୟାରିସ୍‌ ଠାରେ ଏଫ୍‌ଏଟିଏଫ୍‌ର ପରବର୍ତି ବୈଠକ ବସିବ। ସେହି ବୈଠକରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ସଂଗ୍ରହ କରାଯାଉଥିବା ପ୍ରମାଣଗୁଡ଼ିକୁ ଉପସ୍ଥାପନ କରାଯିବ। ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଭାରତ ଦୃଢ଼ ଭାବେ ଦାବି କରିବ ବୋଲି ଜଣାପଡ଼ିଛି। ଏଫ୍‌ଏଟିଏଫ୍‌ ଦ୍ବାରା କଳା ତାଲିକାଭୁକ୍ତ ହେବାର ଅର୍ଥ ହେଉଛି ମନି ଲଣ୍ଡରିଂ ଓ ଆତଙ୍କବାଦୀ ପାଣ୍ଠିକୁ ନିୟନ୍ତ୍ରଣ କରିବାରେ ପାକିସ୍ତାନ ସହଯୋଗ କରୁନାହିଁ। ଏହା ହେଲେ ଆଇଏମ୍ଏଫ୍, ବିଶ୍ବବ୍ୟାଙ୍କ, ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ, ୟୁରୋପୀୟ ସଂଘ ଭଳି ବିଶ୍ବ ସ୍ତରୀୟ ସଂଗଠନ ପାକିସ୍ତାନର ରେଟିଂ କମ୍ କରିବେ ଏବଂ ମୁଡିସ୍‌, ଫିଚ୍‌ ଏବଂ ଏସ୍‌ଆଣ୍ଡପି ଭଳି ସଂସ୍ଥା ଦେଶର କ୍ରେଡିଟ୍‌ ରେଟିଂକୁ ହ୍ରାସ କରିବେ। ଏବେ ଏଫ୍‌ଏଟିଏଫ୍‌ର କଳା ତାଲିକାରେ ମାତ୍ର ଦୁଇଟି ଦେଶ ଅଛନ୍ତି। ତାହା ହେଉଛି ଇରାନ ଓ ଉତ୍ତର କୋରିଆ। ୨୦୧୮ ଜୁଲାଇରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର