ମାଲ୍ୟାଙ୍କ ୟଟ୍, ଦାମୀ କାର୍ ଜବତ ପାଇଁ ପ୍ରୟାସ

ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କ ହାତରୁ ଗୋଟିଏ ପରେ ଗୋଟିଏ ଦାମୀ ସମ୍ପତ୍ତି ଖସିବାକୁ ବସିଛି। ଋଣ ପରିଶୋଧ କରି ନଥିବା ମାମଲାରେ ୟୁବିଏସ୍ ଗ୍ରୁପ୍ ପକ୍ଷରୁ ମାଲ୍ୟାଙ୍କ ଲଣ୍ଡନସ୍ଥିତ ବିଳାସପୂର୍ଣ୍ଣ ଘରକୁ ହରାଇବାକୁ ବସିଛନ୍ତି। ଏହାପରେ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ଲଣ୍ଡନର ‌ଏକ ଅଦାଲତ ନିର୍ଦେଶ ଦେଇଥିଲେ। ଏବେ ବ୍ୟାଙ୍କ ଗୁଡ଼ିକ ମାଲ୍ୟାଙ୍କ ଦୁଇଟି ସୁପରୟଟ୍ ଏବଂ ଦାମୀ କାର ଗୁଡ଼ିକୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଚଳାଇଛନ୍ତି। ‌କିଛି ଭାରତୀୟ ବ୍ୟାଙ୍କ ପକ୍ଷରୁ ଏ ନେଇ ଆବେଦନ କରାଯାଇଛି। ଏହି ବିଳାସପୂର୍ଣ୍ଣ କାର ଓ ସୁପରୟଟ୍ ଗୁଡ଼ିକ ପ୍ରକୃତରେ କାହା ମାଲିକା‌ନାରେ ରହିଛି ତାହା ଜାଣିବା ଲାଗି ବ୍ୟାଙ୍କ ଗୁଡ଼ିକ ଅଦାଲତଠାରୁ ଏ ସମ୍ପର୍କିତ ଦସ୍ତାବିଜ୍ ‌ମାଗିଛନ୍ତି। ତେବେ ଏହି ଦୁଇଟି ୟଟ୍ ତାଙ୍କ ମାଲିକାନାରେ ନଥିବା ସନ୍ଦେହ କରାଯାଉଛି। ‌ପୂର୍ବରୁ ସେଗୁଡ଼ିକ ବିକ୍ରି ହୋଇଯାଇଛି। କିନ୍ତୁ ଏହି ୟଟ୍ ଦୁଇଟିରେ ମାଲ୍ୟାଙ୍କର ଅନେକ ଦାମୀ କଳାକୃତି ରହିଥିଲା। ‌ବିକ୍ରି ହେବା ପୂର୍ବରୁ ସେଗୁଡ଼ିକୁ ବାହାର କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବ୍ୟାଙ୍କ ଗୁଡ଼ିକ ଅଦାତଲରେ କରିଥିବା ଆବେଦନ ଅନୁଯାୟୀ ଏସବୁ ସାମଗ୍ରୀ ମାଲ୍ୟାଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସେ ଦାବି କରୁଛନ୍ତି। ‌କିନ୍ତୁ ଏହି ଶୁଣାଣି ବେ‌ଳେ ଅଦାଲତରେ ୬୩ ବର୍ଷୀୟ ମାଲ୍ୟା ଉପସ୍ଥିତ ନଥିଲେ। ତାଙ୍କର ମତାମତ ପାଇଁ ଇ-ମେଲ୍ କରାଯାଇଥିଲେ ମଧ୍ୟ ଏହାର ଉତ୍ତର ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ସେ ଦେଇନାହାନ୍ତି। ୟଟ୍ ଦୁଇଟି ମଧ୍ୟରୁ ଗୋଟିଏର ନାମ ଇଣ୍ଡିଆନ୍ ଏମ୍ପ୍ରେସ୍ ଥିବାବେଳେ ଅନ୍ୟଟିର ନାମ ଫୋର୍ସ ଇଣ୍ଡିଆ ରହିଛି। ଇଣ୍ଡିଆନ୍ ଏମ୍ପ୍ରେସର ଲମ୍ବ ୯୫ ମିଟର ଥିବାବେଳେ ଫୋର୍ସ ଇଣ୍ଡିଆର ଲମ୍ବ ୫୦ ମିଟର ରହିଛି। ଏତଦବ୍ୟତୀତ ମାଲ୍ୟାଙ୍କର ଦାମୀ କାର ପ୍ରତି ମଧ୍ୟ ଦୁର୍ବଳତା ରହିଛି। ତାଙ୍କ ନିକଟରେ ୨୭ଟି ଦାମୀ କାର ରହିଥିବା କୁହାଯାଉଛି। ବ୍ୟାଙ୍କ ଗୁଡ଼ିକ ଏହି କାର ସମ୍ପର୍କିତ ବିସ୍ତୃତ ତଥ୍ୟ ମଧ୍ୟ ଜାଣିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର