ବିର୍ଲାଙ୍କ ଗୁହାରି ଶୁଣିଲାନି ପିଏମ୍‌ଓ

ସ୍ପେକ୍ଟ୍ରମ୍ ପେମେଣ୍ଟ୍‌ ପାଇଁ ଅଧିକ ମହଲତ ମାଗୁଥିଲେ

ନୂ୍ଆଦିଲ୍ଲୀ: ରିଲାଏନ୍ସ ଜିଓ ଆଗମନ ପରେ ମୋବାଇଲ୍ କଂପାନିଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏଥିରୁ କୁମାର ମଙ୍ଗଳମ୍ ବିର୍ଲାଙ୍କ ଭୋଡାଫୋନ୍ ଆଇଡିଆ ମଧ୍ୟ ବାଦ୍ ପଡ଼ିନାହିଁ। ସ୍ପେକ୍ଟ୍ରମ୍ ଫି’ ବାବଦରେ ଭୋଡାଫୋନ୍ ଆଇଡିଆକୁ ୯୫୦୦ କୋଟି ଟଙ୍କାର ‌ପେମେଣ୍ଟ୍ ଦେବାକୁ ହେବ। ଏହି ପେମେଣ୍ଟ୍‌ର ସମୟ ସୀମା ଆଉ କିଛି ମାସ ବଢ଼ାଇବା ନିମନ୍ତେ ଗୁହାରି କରିବା ପାଇଁ ବିର୍ଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଯାଇଥିଲେ। ସେଠାରେ ବିଭିନ୍ନ ଅଧିକାରୀଙ୍କୁ ଭେଟିଲେ ଓ ତାଙ୍କୁ ନିଜ କଂପାନିର ଦୁଃଖ କାହାଣୀ ଶୁଣାଇଲେ। ମାତ୍ର ପିଏମ୍‌ଓର ଅଧିକାରୀମାନେ ତାଙ୍କ କଥାକୁ ଏତେଟା ଗୁରୁତ୍ବ ଦେଇନଥିବା ଜଣାପଡ଼ିଛି। ପିଏମ୍‌ଓର ଜଣେ ଅଧିକାରୀ ବିର୍ଲାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, କେବଳ ଗୋଟିଏ କଂପାନି ପାଇଁ ସରକାର ନିୟମ ବଦଳାଇପାରିବେ ନାହିଁ। ଟେଲିକମ୍ ଶିଳ୍ପ ପାଇଁ ଯେଉଁ ଆର୍ଥିକ ପ୍ୟାକେଜ୍ ଦାବି କରାଯାଉଛି ତାହାକୁ ନେଇ ମଧ୍ୟ ସବୁ କଂପାନି ଏକଜୁଟ ନାହାନ୍ତି। ଗୋଟିଏ କଂପାନିର କିଛି ଅସୁବିଧା ହେଉନାହିଁ ବୋଲି ସେ କହିଛନ୍ତି। ସ୍ପେକ୍ଟ୍ରମ୍ ଫି’ ବାବଦରେ ଭୋଡାଫୋନ୍‌ ଆଇଡିଆକୁ ମାର୍ଚ ସୁଦ୍ଧା ୩୫୦୦ କୋଟି ଟଙ୍କା ଓ ପରବର୍ତି ସମୟରେ ଆଉ ୬୦୦୦ କୋଟି ଟଙ୍କାର ପେମେଣ୍ଟ୍‌ କରିବାକୁ ହେବ। ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ଭୋଡାଫୋନ୍‌ ଓ ଆଇଡିଆ ମଧ୍ୟରେ ମିଶ୍ରଣ ହୋଇଥିଲା। ଆଇଡିଆର ମାଲିକ ଥିଲେ ବିର୍ଲା। ତେଣୁ ତାଙ୍କୁ ମିଶ୍ରଣ ପରେ ଗଠନ ହୋଇଥିବା କଂପାନିର ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି।

୨୦୧୦ରୁ ଆରମ୍ଭ ହୋଇଥିଲା ସମସ୍ୟା
୨୦୧୦ରେ ଯେତେବେଳେ ୪ଜି ସ୍ପେକ୍ଟ୍ରମ୍ ବା ବ୍ରଡ୍‌ବ୍ୟାଣ୍ଡ୍ ଓୟାରଲେସ୍‌ ଆକ୍‌ସେସ୍‌ (ବିଡବ୍‌ଲ୍ୟୁଏ) ସ୍ପେକ୍ଟ୍ରମ୍ ନିଲାମ କରାଗଲା, ସେହି ପୁରୁଣା କଂପାନିଗୁଡ଼ିକ ଦୁଇ କିମ୍ବା ତିନିଟି ସର୍କଲ୍‌ ପାଇଁ ୪ଜି ‌ସ୍ପେକ୍ଟ୍ରମ୍ କିଣିଥିଲେ। ‌ଯେହେତୁ ସେମାନେ ୩ଜି ସ୍ପେକ୍ଟ୍ରମ୍ କିଣିବାରେ ବିପୁଳ ଟଙ୍କା ଖର୍ଚ କରିଦେଇଥିଲେ, ତେଣୁ ୪ଜି ସ୍ପେକ୍ଟ୍ରମ୍ ପାଇଁ ସେମାନଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା। ସେହି ନିଲାମରେ ‘ଇନ୍‌ଫୋଟେଲ୍‌’ ନାମକ ଏକ କଂପାନି ଦେଶର ସବୁ ସର୍କଲ୍‌ରେ ୪ଜି ସ୍ପେକ୍ଟ୍ରମ୍ କିଣିଥିଲା। ଇନ୍‌ଫୋଟେଲ୍‌ର ପ୍ରକୃତ ମାଲିକ କିଏ କେହି ଜାଣିପାରିନଥିଲେ। ମୁକେଶ ଅମ୍ବାନି ସେହି କଂପାନି ପଛରେ ଥିଲେ। ନିଜ ବ୍ୟବସାୟ ରଣନୀତିକୁ ପ୍ରତିଦ୍ବନ୍ଦୀମାନଙ୍କ ଠାରୁ ଲୁଚାଇବା ପାଇଁ ସେ ଇନ୍‌ଫୋଟେଲ୍‌ ଜରିଆରେ ୪ଜି ସ୍ପେକ୍ଟ୍ରମ୍ କିଣିଥିଲେ। କିଛି ଦିନ ପରେ ଉକ୍ତ କଂପାନିକୁ କିଣିନେଲେ ଓ ୪ଜି ନେଟ୍‌ୱର୍କ ସ୍ଥାପନ କରିବାରେ ପୁଞ୍ଜି ଖଟାଇଲେ। ଜିଓ ଆସିବା ପରେ ସବୁ ଗ୍ରାହକ ୪ଜି ମୋହରେ ପଡ଼ିଯିବେ ବୋଲି ପୁରୁଣା କଂପାନିଗୁଡ଼ିକ ଆକଳନ କରିପାରିନଥିଲେ। ଏତେ ଶୀଘ୍ର ୪ଜି ସେବା ଉପଲବ୍ଧ ହୋଇଗଲା ଯେ, ନିଜର ସବୁ ସମ୍ବଳକୁ ୩ଜି ନେଟୱର୍କ ବିକଶିତ କରିବାରେ ନିବେଶ କରିଥିବା ପୁରୁଣା କଂପାନିଗୁଡ଼ିକ ଭାବିବା ପାଇଁ ସମୟ ପାଇଲେ ନାହିଁ। କିଛି ମାସ ଭିତରେ ୩ଜି ସେବା ଅଲୋଡ଼ା ‌ହୋଇଗଲା।

କାହିଁକି ପୁରୁଣା କଂପାନି ଦେବାଳିଆ ହୋଇଗଲେ
ଜିଓକୁ ବାଦ ଦେଲେ ଦେଶର ପ୍ରାୟ ସବୁ ପୁରୁଣା ମୋବାଇଲ୍‌ କଂପାନି ଏକପ୍ରକାର ଦେବାଳିଆ ହୋଇପଡ଼ିଛନ୍ତି। ସେଥିପାଇଁ ସେମାନଙ୍କ ଦୂରଦୃଷ୍ଟିର ଅଭାବକୁ ଦାୟୀ କରାଯାଇପାରିବ। ସେମାନଙ୍କ ସମସ୍ୟା ୨୦୧୦ର ସ୍ପେକ୍ଟ୍ରମ୍ ନିଲାମରୁ ଆରମ୍ଭ ହୋଇଥିଲା। ସେତେବେଳେ ଦେଶରେ ୩ଜି ମୋବାଇଲ୍‌କୁ ନେଇ ଉତ୍ସାହ ରହିଥିଲା। ମାତ୍ର ୨୦୧୦‌ରେ ଉଭୟ ୩ଜି ଓ ୪ଜି ସ୍ପେକ୍ଟ୍ରମ ନିଲାମ ହୋଇଥିଲା। ଭବିଷ୍ୟତରେ ୪ଜି ଆଗରେ ରହିବ ବୋଲି ପୁରୁଣା କଂପାନିଗୁଡ଼ିକ ଆକଳନ କରିପାରିନଥିଲେ। ୩ଜି ସ୍ପେକ୍ଟ୍ରମ କିଣିବାକୁ ସେମାନେ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କଲେ ଓ ବିପୁଳ ପରିମାଣର ଋଣ ନେଇ ୩ଜି ସ୍ପେକ୍ଟ୍ରମ କିଣିନେଲେ। ଆଜି ପର୍ଯ୍ୟନ୍ତ ସେମାନେ ସେହି ଋଣ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧିତ ଖବର