ପିଏନ୍‌ବି ଠକେଇ: ନିରବଙ୍କ ୧୦ କୋଟିର ୯ ଦାମୀ କାର୍‌ ଜବତ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଓ ତାଙ୍କ କମ୍ପାନିର ୯ଟି ବିଳାସପୂର୍ଣ୍ଣ କାର୍‌ ଆଜି ପ୍ରବର୍ତନ ନିର୍ଦେଶାଳୟ ଜବତ କରିଛି। ଜବତ ହୋଇଥିବା ୯ଟି ଦାମୀ କାର୍‌ ଗୁଡ଼ିକ ମଧ୍ୟରେ ଗୋଟିଏ ରୋଲ୍‌ସ ରୟେସ୍‌ ଘୋଷ୍ଟ୍‍, ୨ଟି ମର୍ସିଡିଜ୍‌ ବେଞ୍ଜ ଜିଏଲ୍‌ କ୍ଲାସ୍‌, ଗୋଟିଏ ପୋର୍ଶେ ପାନାମେରା, ୩ଟି ହୋଣ୍ଡା କାର୍‌ ଓ ଗୋଟିଏ ଟୟୋଟା ଫର୍ଚ୍ୟୁନର ରହିଛି। ଏହି କାର୍‌ ଗୁଡ଼ିକର ମୂଲ୍ୟ ୧୦କୋଟି ଟଙ୍କାରୁ ଅଧିକ ହେବ। ଇଡି ଅଧିକାରୀମାନେ ମଧ୍ୟ ନିରବ ମୋଦି ଏବଂ ମେହୁଲ ଚୋକ୍‌ସି ଗ୍ରୁପ୍‌ର ୯୪.୫୨ କୋଟି ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍‌ ଓ ସେୟାର ଜବତ କରିଛନ୍ତି। ମନି ଲଣ୍ଡରିଂ ଆଇନ ଅଧୀନରେ ଏଗୁଡ଼ିକ ଜବତ କରାଯାଇଛି। ଜବତ ହୋଇଥିବା ମୋଟ ମ୍ୟୁଚୁଆଲ ଫଣ୍ଡ୍‌ ଓ ସେୟାର ମଧ୍ୟରୁ କେବଳ ଚୋକ୍‌ସିଙ୍କର ମ୍ୟୁଚୁଆଲ ଫଣ୍ଡ ଓ ସେୟାରର ମୂଲ୍ୟ ହେଉଛି ୮୬.୭୨ କୋଟି ଟଙ୍କା। ଏତଦ୍‌ବ୍ୟତୀତ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ସନ୍ଦିଗ୍ଧ ଜାଲ୍‌ କମ୍ପାନି ବିରୋଧରେ ଇଡି ଏହାର ତଦନ୍ତଙ୍କୁ ଜୋରଦାର କରିଛି। ଏମାନଙ୍କ ସହ ଜଡ଼ିତ ପ୍ରାୟ ୧୨୦ ଜାଲ୍‌ କମ୍ପାନି ବିରୋଧରେ ଇଡି ତଦନ୍ତ କରୁଛି। ବୁଧବାର ଇଡିର ଅଧିକାରୀମାନେ ବିଭିନ୍ନ ଟିମ୍‌ରେ ବିଭକ୍ତ ହୋଇ ମୁମ୍ବାଇର ଅପେରା ହାଉସ୍‌, ପେଦାର ରୋଡ୍‌, ଗୋରେଗାଓଁ (ପୂର୍ବ) ଓ ପୋଓ୍ଵାଇରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ବୁଧବାର ଅଧିକାରୀମାନେ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛନ୍ତି। ଇଡି ପକ୍ଷରୁ ମୋଟ ୫୭୩୬ କୋଟି ଟଙ୍କାର ମୂଲ୍ୟବାନ ଗହଣା ଓ ପ୍ରସ୍ତର କବତ କରାଗଲାଣି। ଏଲ୍‌ଓୟୁ କିଭଳି ଜାରି କରାଯାଇଥିଲା ଏବଂ ସେଗୁଡ଼ିକର ଅପବ୍ୟବହାର କରାଯାଇଥିଲା ସେ ନେଇ ପିଏନ୍‌ବିର ବରିଷ୍ଠ ଅଧିକାରୀମାନଙ୍କୁ ଇଡି ପଚରାଉଚରା ଚଳାଇଛି।

 

ଏମ୍‌ଡିକୁ ପୁଣି ପଚରାଉଚରା
ପିଏନ୍‌ବି ଏମ୍‌ଡି ତଥା ସିଇଓ ସୁନୀଲ ମେହଟ୍ଟାଙ୍କୁ ଆୟକର ବିଭାଗ ପକ୍ଷରୁ ପୁଣି ପଚରାଉଚରା କରାଯାଇଛି। ଆୟକର ବିଭାଗ ଏହାର କାର୍ଯ୍ୟାଳୟକୁ ଶ୍ରୀ ମେହେଟ୍ଟାଙ୍କୁ ଗତକାଲି ଡାକି ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ପ୍ରଶ୍ନ ପଚାରିଛି। ଶ୍ରୀ ମେହଟ୍ଟାଙ୍କୁ ପଚାରିବା ଲାଗି ଆୟକର ବିଭାଗର ଅଧିକାରୀମାନେ ଦିଲ୍ଲୀସ୍ଥିତ ପିଏନ୍‌ବିର ମୁଖ୍ୟାଳୟକୁ ସୋମବାର ଯାଇଥିଲେ। ମଙ୍ଗଳବାର ତାଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଛି।

୧୪୧୫ କର୍ମଚାରୀଙ୍କ ବଦଳି
ମୁମ୍ବାଇ: ୧୧,୪୦୦ କୋଟି ଟଙ୍କାର ଠକେଇ ଘଟଣା ପଦାକୁ ଆସିବା ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ପ୍ରାୟ ୧୮ ହଜାର ଅଫିସର ଓ କର୍ମଚାରୀଙ୍କୁ ବଦଳି କରିଛି ବୋଲି ବୁଧବାର କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଗୁରୁବାରଏହି ରିପୋର୍ଟକୁ ଅସ୍ୱୀକାର କରିଛି ପିଏନ୍‌ବି। ବ୍ୟାଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଗତ ୧୯ ତାରିଖରୁ ଇତିମଧ୍ୟରେ କେବଳ ୧୪୧୫ ଜଣ କର୍ମଚାରୀଙ୍କୁ ବଦଳି କରାାଇଛି।

୧୦ ହଜାର ଗ୍ରାହକଙ୍କ କାର୍ଡ ତଥ୍ୟ ଲିକ୍‌!
ନୂଆଦିଲ୍ଲୀ: ପିଏନ୍‌ବିର ୧୦ ହଜାର ଗ୍ରାହକଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ତଥ୍ୟ ଲିକ୍‌ ହୋଇଛି। ଏସିଆ ଟାଇମ୍‌ସରେ ଏ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ପିଏନ୍‌ବି ଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତିନି ମାସ ପର୍ଯ୍ୟନ୍ତ ବିକ୍ରି ପାଇଁ ଇଣ୍ଟରନେଟ୍‌ରେ ଉପଲବ୍ଧ ଥିଲା। ପିଏନ୍‌ବି ଗ୍ରାହକଙ୍କ କାର୍ଡରେ ଥିବା ନାମ, କାର୍ଡର ଏକ୍ସପାଏରି ଡେଟ୍‌, ବ୍ୟକ୍ତିଗତ ପରିଚୟ ନମ୍ବର ଏବଂ କାର୍ଡ ଭେରିଫିକେସନ୍‌ ଭାଲ୍ୟୁ ଆଦି ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା।

ମେହୁଲ ୨୨ କମ୍ପାନିର ମାଲିକ

 
ମୁମ୍ବାଇ: ପିଏନ୍‌ବିରୁ ଜାଲ୍‌ ଏଲଓୟୁ ମାଧ୍ୟମରେ ୧୧,୪୦୦ କୋଟି ଟଙ୍କା ଠକି ନେଇଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ନାମରେ ୨୨ଟି କମ୍ପାନି ରହିଥିବା ଜଣାଯାଇଛି। ହୀରା ବ୍ୟବସାୟୀଙ୍କ ମଧ୍ୟରେ ସେ ସାଧାରଣତଃ ପପୁ ନାମରେ ପରିଚିତ ଥିଲେ। ଗୁଜରାଟର ଏକ ଛୋଟ ସହର ପାଲାନପୁରରେ ରହୁଥିବାବେଳେ ତାଙ୍କୁ ଏହି ନାମରେ ଅଧିକାଂଶ ଡାକୁଥିଲେ। ମୁମ୍ବାଇରେ ଜଣେ ଟ୍ରେଡରଭାବେ ତାଙ୍କର ବ୍ୟବସାୟ ଆରମ୍ଭ ହୋଇଥିଲା। କିନ୍ତୁ ପରେ ୨୨ଟି କମ୍ପାନିର ମାଲିକ ହୋଇଥିଲେ। ହୀରା ବ୍ୟବସାୟୀମାନେ ସାଧାରଣତଃ ନିଜର ପରିଚୟର ପ୍ରଚାର ପ୍ରସାର କରିବାକୁ ଭଲ ପାଉ ନଥିବାବେଳେ ମେହୁଲ ଏହାର ବ୍ୟତିକ୍ରମ ଥିଲେ। ବଲିଉଡ୍‌ ଜଗତର ଲୋକଙ୍କ ସଂସ୍ପର୍ଶରେ ସେ ଆସୁଥିଲେ। ସେମାନଙ୍କୁ ନେଇ ବଡ଼ ବଡ଼ ପାର୍ଟିର ଆୟୋଜନ କରୁଥିଲେ ଏବଂ କାମ ହାସଲ କରିବା ଲାଗି ଦାମୀ ଉପହାର ଦେଉଥିଲେ। କ୍ଷମତାରେ ଥିବା ଲୋକଙ୍କ ସମ୍ପକୀୟ ପରିବାର ଗୁଡ଼ିକୁ ତାଙ୍କ କମ୍ପାନି ସହିତ ବାନ୍ଧି ରଖିବା ପାଇଁ ଏକ ପ୍ରକାର ଚୁକ୍ତି ମଧ୍ୟ କରୁଥିଲେ ବୋଲି ଜଣେ ମତ ଦେଇଛନ୍ତି।

ନିରବଙ୍କୁ ଉତ୍ତର ଦେଲା ପିଏନ୍‌ବି

ନୂଆଦିଲ୍ଲୀ: ପିଏନ୍‌ବିକୁ ଗତ କିଛିଦିନ ପୂର୍ବେ ନିରବ ମୋଦି ଦେଇଥିବା ଇ-ମେଲ୍‌ର ଉତ୍ତର ପିଏନ୍‌ବି ପକ୍ଷରୁ ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ତାଙ୍କ କମ୍ପାନିକୁ ଜାରି ହୋଇଥିବା ଏଲ୍‌ଓୟୁ ଗୁଡ଼ିକ ଜାଲ୍‌ ଥିଲା। କେତେଜଣ ବ୍ୟାଙ୍କ ଅଧିକାରୀଙ୍କ ମାଧ୍ୟମରେ ବେଆଇନ ଏବଂ ଅଣସ୍ୱୀକୃତ ଭାବେ ଜାରି କରାଯାଉଥିବା ଏଲ୍‌ଓୟୁକୁ ତୁମେ ପାଉଥିଲା। କୌଣସି ମତେ ବ୍ୟାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୁବିଧା ତୁମ ୩ କମ୍ପାନିଙ୍କୁ ପ୍ରଦାନ କରାଯାଇ ନଥିଲା। ନିରବ ମୋଦିଙ୍କୁ ଏହି ଚିଠି ପିଏନ୍‌ବିର ଜେନେରାଲ ମ୍ୟାନେଜର (ଅନ୍ତର୍ଜାତୀୟ ବ୍ୟାଙ୍କିଂ ଶାଖା) ଅଶ୍ୱିନୀ ବତ୍ସ ଲେଖିଛନ୍ତି। ଯେତେବେଳେ ଏହି ବେଆଇନ କାର୍ଯ୍ୟ ବ୍ୟାଙ୍କର ନଜରକୁ ଆସିଲା ସେତେବେଳେ ଏ ନେଇ ଆଇନ କାର୍ଯ୍ୟକାରୀ ସଂସ୍ଥା ଗୁଡ଼ିକୁ ସୂଚନା ଦିଆଯାଇଥିଲା। ଏହି ଜାଲ୍‌ ଏଲ୍‌ଓୟୁ ମାମଲାରେ ଫେମା ଆଇନ ଓ ଆଣ୍ଟି ମନି ଲଣ୍ଡରିଂ ଆଇନର ଉଲ୍ଲଂଘନ ହୋଇଥିବା ବିଷୟ ଇ-ମେଲ୍‌ରେ ଦର୍ଶାଯାଇଛି। କମ୍ପାନି ନେଇଥିବା ଟଙ୍କା ଫେରାଇବା ସଂକ୍ରାନ୍ତରେ ଏକ ଦୃଢ଼ ଓ କାର୍ଯ୍ୟକାରୀ ହୋଇପାରିଲା ଭଳି ଯୋଜନା ଦେବାକୁ କୁହାଯାଇଛି। ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ଆପଣ ସବୁ ଅର୍ଥ ଫେରାଇବା ନେଇ ଯେଉଁ ଚିଠି ପୂର୍ବରୁ ଦେଇଛନ୍ତି ସେଥିରେ ଅର୍ଥ ଫେରାଇବାର କୌଣସି ତରିକା ଦିଆଯାଇ ନାହିଁ।

ଜିଲି ଇଣ୍ଡିଆ ନିର୍ଦେଶକଙ୍କ ଘର ସିଲ୍‌
ପିଏନ୍‌ବିର ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଗତକାଲି ‘ଜିଲି ଇଣ୍ଡିଆ ଲିମିଟେଡ ନିର୍ଦେଶକ ଅନିୟାଥ୍‌ ଶିବରମନ୍‌ଙ୍କ ଘର ସିଲ୍‌ କରିଛି। ମହାରାଷ୍ଟ୍ରର ଥାନେ ଜିଲାର କଲ୍ୟାଣଠାରେ ଥିବା ଶ୍ରୀ ଶିବରମନ୍‌ଙ୍କ ଘରକୁ ଇଡି ସିଲ୍‌ କରିଛି। ପିଏନ୍‌ବି ସଂକ୍ରାନ୍ତ ଅନେକ ଗୁରୁତ୍ୱପୂୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ଇଡି ଅଧିକାରୀମାନେ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର