ପିଏନ୍‌ବି ଠକେଇ: ୧୭,୬୦୦ କୋଟିର ଚଡ଼କ

ବ୍ୟାଙ୍କ୍‌ ଅଧିକାରୀଙ୍କ ସମେତ ୩ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରୁ ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି କରିଥିବା ଠକେଇ ମାମଲାରେ ବ୍ୟାଙ୍କ ଗୁଡ଼ିକ ଉପରେ ଅତିକମ୍‌ରେ ୨.୭୪ ବିଲିଅନ ଡଲାର (ପ୍ରାୟ ୧୭,୬୦୦ କୋଟି ଟଙ୍କା)ର ଚଡ଼କ ପଡ଼ିପାରେ। ଆୟକର ବିଭାଗ ପକ୍ଷରୁ ଆଜି ଏହି ଆକଳନ କରାଯାଇଛି। ତେବେ ଏହି ରାଶି ଆହୁରି ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଇଛି। ୨୦୧୭ ମାର୍ଚ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡ଼ିକ ନିରବ ମୋଦି ଓ ତାଙ୍କ ମାମୁଙ୍କ ଦ୍ୱାରା ପରିଚାଳିତ କମ୍ପାନି ଗୁଡ଼ିକୁ ୧୭,୬୦୦ କୋଟି ଟଙ୍କାର ଋଣ ଓ ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି। ଆୟକର ବିଭାଗ ସୂତ୍ରରୁ ଏହି ଏହି ତଥ୍ୟ ମିଳିଛି। ନିରବ ମୋଦି ଏବେ କେଉଁଠି ରହୁଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ କେତେକ ଟିଭି ଚ୍ୟାନେଲ ତାଙ୍କୁ ନ୍ୟୁୟର୍କର ଜେଡ୍‌ବ୍ଲ୍ୟୁ ମାରିଅଟ୍‌ ଏସେକ୍ସ ହାଉସ୍‌ ହୋଟେଲର ୩୬ତମ ମହଲାରେ ଠାବ କରିଥିବା କୁହାଯାଉଛି। ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କକୁ ମୁହଁ କରିଥିବା ଏହି ହୋଟେଲ୍‌ର ଏକ ସୁଟ୍‌ରେ ମୋଦି ରହୁଛନ୍ତି। ଅନ୍ୟପକ୍ଷରେ ଏହି ଠକେଇ ମାମଲାର ତଦନ୍ତ ସିବିଆଇ ଠାରୁ ଆରମ୍ଭ କରି ପ୍ରବର୍ତନ ନିର୍ଦେଶାଳୟ ଓ ଆୟକର ବିଭାଗ ଆଦି କରୁଛନ୍ତି। ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଦ୍ୱାରା ପରିଚାଳିତ କମ୍ପାନି ଗୁଡ଼ିକ ଟିକସ ଫାଙ୍କିଛନ୍ତି କି ନାହିଁ? ଯଦି ଫାଙ୍କିଛନ୍ତି ତାହେଲେ ଏହି ରାଶି କେତେ ତାହାକୁ ଆୟକର ବିଭାଗ ଏବେ ଦେଖୁଛି। ଏତଦ୍‌ବ୍ୟତୀତ ସେମାନଙ୍କ ଦ୍ୱାରା ବେଆଇନ ପରିମାଣର ଅର୍ଥ ବେଆଇନଭାବେ ନିବେଶ କରାଯାଇଛି ତାହାକୁ ମଧ୍ୟ ଆୟକର ବିଭାଗ ଅନୁଧ୍ୟାନ କରୁଛି।

୧୪ ଦିନ ରିମାଣ୍ଡ୍‌ରେ ଗଲେ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରୁ ନିରବ ମୋଦି କରିଥିବା ମହାଠକେଇ ମାମଲାରେ ସିବିଆଇ ଆଜି ପ୍ରଥମ ଥର ପାଇଁ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପିଏନ୍‌ବିର ପୂର୍ବତନ ଡେପୁଟି ଜେନେରାଲ ମ୍ୟାନେଜର ଗୋକୁଳନାଥ ସେଟ୍ଟିଙ୍କ ସମେତ ତତ୍କାଳୀନ ସିଙ୍ଗଲ ଓ୍ଵିଣ୍ଡୋ ଅପରେଟର ମନୋଜ ଖରାଟ ଏବଂ ନିରବ ମୋଦି ଗ୍ରୁପ୍‌ କମ୍ପାନିର ସ୍ୱୀକୃତିପ୍ରାପ୍ତ ଦସ୍ତଖତକାରୀ ହେମନ୍ତ ଭଟ୍ଟ ରହିଛନ୍ତି। ସେମାନଙ୍କୁ ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ମାମଲାର ଗମ୍ଭୀରତାକୁ ଉପଲବ୍ଧ କରି ବିଚାରପତି ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ଅର୍ଥାତ୍‌ ଆସନ୍ତା ମାର୍ଚ ୩ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରଖିବା ଲାଗି ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସିବିଆଇ ଅଧିକାରୀମାନେ ପଶ୍ଚିମ ମୁମ୍ବାଇ ଅଧୀନ ମାଲାଡଠାରେ ରୁସ୍ତମଜି ଓଜୋନ କମ୍ପ୍ଲେକ୍ସରେ ଥିବା ଶ୍ରୀ ସେଟ୍ଟିଙ୍କ ଫ୍ଲାଟ୍‌କୁ ଗତ ଗୁରୁବାର ଓ ଶୁକ୍ରବାର ଯାଇଥିଲେ। ସେଠାରେ ଅଧିକାରୀମାନେ ଶ୍ରୀ ସେଟ୍ଟିଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଥିଲେ। ଏହି ଫ୍ଲାଟକୁ ଶ୍ରୀ ସେଟ୍ଟି କେବେ କିଣିଛନ୍ତି, ଏଥିପାଇଁ ସେ କେଉଁ ଉପାୟରେ ଅର୍ଥ ପଇଠ କରିଛନ୍ତି ଏବଂ ସେହି ଅର୍ଥର ଉତ୍ସ କ’ଣ ତାହା ଜାଣିବା ଲାଗି ସିବିଆଇ ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି। ଏତଦ୍‌ବ୍ୟତୀତ ଶ୍ରୀ ସେଟ୍ଟିଙ୍କ ବ୍ୟାଙ୍କ ଆକାଉଣ୍ଟ, ଲକର ଓ ଅନ୍ୟାନ୍ୟ ସମ୍ପତ୍ତି ବିଷୟରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି। ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି ଯେ, ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀମାନେ ନିରଦ ମୋଦିଙ୍କ କମ୍ପାନି ସହିତ ଭିତିରି ବୁଝାମଣା କରି ପିଏନ୍‌ବିକୁ ୪୮୮୬.୭୦ କୋଟି ଟଙ୍କା ଠକିଛନ୍ତି। ଏହି ଅଭିଯୁକ୍ତ ଅଧିକାରୀମାନେ ପିଏନ୍‌ବି ନାମରେ ଜାଲ୍‌ ଏଲ୍‌ଓୟୁ (ଲେଟର ଅଫ୍‌ ଅଣ୍ଡରଟେକିଂ) ଜାରି କରିଥିଲେ ବୋଲି ସିବିଆଇ ସନ୍ଦେହ କରୁଛି। ବ୍ୟାଙ୍କର ସିବିଏସ୍‌ ବ୍ୟବସ୍ଥାରେ ଏହି ଅଧିକାରୀମାନେ ଜାଣିଶୁଣି ଏହି ଏଲ୍‌ଓୟୁକୁ ଏଣ୍ଟି୍ର କରି ନଥିଲେ ବୋଲି ସିବିଆଇର ଜଣେ ପ୍ରବକ୍ତା କହିଛନ୍ତି। ନୂଆ ଏଫ୍‌ଆଇଆର୍‌ରେ ଏହି ୩ଜଣଙ୍କ ବ୍ୟତୀତ ଅନ୍ୟ ଯେଉଁମାନଙ୍କ ନାମ ରହିଛି ସେମାନଙ୍କ ମଧ୍ୟରେ ଗୀତାଞ୍ଜଳି ଜେମ୍‌ସ୍‌ ଲିମିଟେଡ, ଜିଲି ଇଣ୍ଡିଆ ଲିମିଟେଡ, ନକ୍ଷତ୍ର ବ୍ରାଣ୍ଡ୍‌ ଲିମିଟେଡ, କ୍ରିଷ୍ଣନ୍‌ ସଙ୍ଗମେଶ୍ୱରନ୍‌ କମ୍ପାନିର ନିର୍ଦେଶକ, ନାଜୁରା ୟାଶ ଆଜାନେ, ଦିନେଶ ଗୋପାଳଦାସ ଭାଟିଆ, ଆଦିତ୍ୟ ଶିବରମଣ ନୈୟର ଏବଂ ଧନେଶ ବ୍ରଜଲାଲ ସେଠ୍‌। ଉଲ୍ଲେଖଯୋଗ୍ୟ ଯେ, ସବିଆଇ ପୂର୍ବରୁ ଏ ନେଇ ୨୮୦ କୋଟି ଟଙ୍କାର ଏକ ଠକେଇ ମାମଲା ରୁଜୁ କରିଥିଲା। ତେବେ ଏହି ମାମଲା ପରିସରକୁ ଏବେ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କୁ ପ୍ରଦାନ କରାଯାଇଥିବା ୬୪୯୮ କୋଟି ଟଙ୍କାର ଏଲ୍‌ଓୟୁକୁ ଅଣାଯାଇଛି। ୨୯୩ଟି ଏଲ୍‌ଓୟୁ ମାଧ୍ୟମରେ ୧୧,୪୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ କରି ପିଏନ୍‌ବି ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ କରାଯାଇଛି।

ଜବତ ସମ୍ପତ୍ତି ୫୬୭୪ କୋଟିରେ ପହଞ୍ଚିଲା
ମୁମ୍ବାଇ: ପିଏନ୍‌ବିର ମହାଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଆଜି ଦେଶର ୨୧ଟି ସ୍ଥାନରେ ଚଢ଼ଉ କରିିଛି। ତୃତୀୟ ଦିନ ପାଇଁ ଇଡି ଚଢ଼ଉ କରି ଇଡି ଆଜି ୨୫ କୋଟି ଟଙ୍କା ମୂଲ୍ୟର ହୀରା, ସୁନା, ଅନ୍ୟାନ୍ୟ ମୂଲ୍ୟବାନ ପ୍ରସ୍ତର ଓ ଧାତୁ ଓ ଗହଣା ଜବତ କରିଛି। ଫଳରେ ଜବତ ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ୫୬୭୪ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଥମ ଦିନ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କ କମ୍ପାନି କାର୍ଯ୍ୟାଳୟ, ସୋ’ରୁମ୍‌ ଓ ଓ୍ଵାର୍କସପ୍‌ ଆଦିରେ ଚଢ଼ଉ କରି ଇଡି ୫୧୦୦ କୋଟି ଟଙ୍କା ଜବତ କରିଥିବାବେଳେ ଦ୍ୱିତୀୟ ଦିନ ୫୪୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଆଜି ପୁଣି ୨୫ କୋଟି ଟଙ୍କା ଜବତ କରିଥିବାରୁ ମୋଟ ଜବତ ସମ୍ପତ୍ତି ମୂଲ୍ୟ ୫୬୭୪ କୋଟି ଟଙ୍କାରେ ପହଞ୍ଚିଛି।

ଚଳିତବର୍ଷ ଆଇପିଓ ଆଣିଥାନ୍ତେ ମାମୁ,ଭଣଜା
ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମାଧ୍ୟମରେ ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ପ୍ରାୟ ୧୧,୪୦୦ କୋଟି ଟଙ୍କା ଠକି ନେଇଥିବା ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସି ଚଳିତବର୍ଷ ପୁଞ୍ଜି ବଜାର ମାଧ୍ୟମରେ ନିବେଶକଙ୍କଠାରୁ ଟଙ୍କା ସଂଗ୍ରହ ଯୋଜନା ରଖିଥିଲେ। ଏହି ଚର୍ଚିତ ମାମୁ ଭଣଜା ଦ୍ୱୟ ଫାୟାର ଷ୍ଟାର୍‌ ଡାଇମଣ୍ଡ୍‌ସ ଓ ଗୀତାଞ୍ଜଳି ଜେମ୍‌ସ କମ୍ପାନି ନାମରେ ଲୋକଙ୍କଠାରୁ ପୁଞ୍ଜି ସଂଗ୍ରହ କରିଥାନ୍ତେ। ତେବେ ସେମାନଙ୍କ କଳା କାରନାମା ଏବେ ଧରା ପଡ଼ିଯାଇଛି। ଏହାବ୍ୟତୀତ ଠକେଇ ଘଟଣା ପଦାକୁ ଆସିବା ପୂର୍ବରୁ ଉଭୟ ଦେଶଛାଡ଼ି ଚାଲିଯାଇଥିବାରୁ ସେମାନଙ୍କ ଆଇପିଓ ଯୋଜନା ଫସର ଫାଟିଯାଇଛି।

ସମ୍ବନ୍ଧିତ ଖବର