ପିଏନବି ଠକେଇ : ୧୧ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ହାଜତକୁ ପଠାଇଲେ ସିବିଆଇ କୋର୍ଟ

ମୁମ୍ବାଇ: ବହୁକୋଟି ଟଙ୍କାର ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ହାଜତକୁ ପଠାଇଦେଇଛନ୍ତି । ଏହି ୧୧ ଜଣଙ୍କ ମଧ୍ୟରେ ଅଛନ୍ତି ପିଏନବିର ଡେପୁଟୀ ମ୍ୟାନେଜର ଗୋକୁଳନାଥ ସେଟ୍ଟୀ, ପିଏନବିର ସିଙ୍ଗଲ ଓ୍ଵିଣ୍ଡୋ ଅପରେଟର ମନୋଜ ଖରାତ, ପିଏନବିର ତତକାଳୀନ ଫରେକ୍ସ ମ୍ୟାନେଜର ବେଛୁ ତିଓ୍ଵାରୀ, ନିରବ ମୋଦି କମ୍ପାନିର କ୍ଷମତାପ୍ରାପ୍ତ ଅଧିକାରୀ ହେମନ୍ତ ଭାଟ, ଗୀତାଞ୍ଜଳୀ ଗ୍ରୁପର ବ୍ୟାଙ୍କିଙ୍ଗ ବିଭାଗ ଭିପି ବିପୁଲ ଚିନ୍ତାଲିଆ ପ୍ରମୁଖ । ଏମାନେ ନିରବ ମୋଦି ଓ ମେହୁଲ ଚୋକସୀଙ୍କୁ ୧୩୬୦୦ କୋଟି ଟଙ୍କାର ଠକେଇ କରିବାରେ ସହାୟତା କରିଥିବା ସିବିଆଇ ଅଭିଯୋଗ କରୁଛି । ମୋଦିଙ୍କ କମ୍ପାନି ୬୫୦୦ କୋଟି ଓ ଚୋକସୀଙ୍କ କମ୍ପାନି ୭୦୮୦ କୋଟି ଟଙ୍କାର ଋଣ ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ପିଏନବି ଠକେଇ ଧରା ପଡିଥିଲା । ଲେଟର ଅଫ୍ ଅଣ୍ଡରଟେକିଂ (ଏଲ୍ଓୟୁ) ଜରିଆରେ ନିରବ ମୋଦି ପିଏନ୍ବିର ମୁମ୍ବାଇଠାରେ ଥିବା ବ୍ରେଡି୍ ହାଉସ୍ ଶାଖା ଜରିଆରେ ୧୧,୪୦୦ ହଜାର କୋଟି ଟଙ୍କା ଠକି ନେଇଛନ୍ତି ବୋଲି ପିଏନବି କହିଥିଲା । ତେବେ ଫେବ୍ରୁଆରୀ ୨୭ରେ ପିଏନବି ପକ୍ଷରୁ ଆଉ ୧୩ଶହ କୋଟିର ଋଣ ନିଆଯାଇଥିବା ଧରା ପଡିଲା । ଏବେ ଆଉ ୯୬୦ କୋଟି ଧରାପଡିବା ପରେ ମୋଟ ଠକେଇ ଋଣ ପରିମାଣ ୧୩,୬୦୦ କୋଟି ଟପିଯାଇଛି । ସେ ଏବଂ ତାଙ୍କ ମାମୁଁ ମେହୁଲ ଚୋକ୍ସି ଦେଶ ଛାଡ଼ି ଚାଲିଯାଇଛନ୍ତି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର