ଆଉ ୯୬୦ କୋଟି ଠକିନେଇଛନ୍ତି ମାମୁ-ଭଣଜା, ପିଏନବି ଠକେଇ ପରିମାଣ ୧୩,୬୦୦ କୋଟିକୁ ବୃଦ୍ଧି

ମୁମ୍ବାଇ : ଦେଶର ସବୁଠୁ ବଡ଼ ଠକ ନୀରବ ମୋଦି ଠକେଇ ପରିମାଣ ଦିନକୁ ଦିନ ବଡ଼ ହୋଇଚାଲିଛି । ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି ନେଇଥିବା ଋଣ ପରିମାଣ ଏବେ ୧୩ ହଜାର କୋଟି ଟପିଯାଇଛି । ପିଏନବି ପକ୍ଷରୁ ନିରବ ମୋଦି ଓ ମେହୁଲ ଚୋକସୀଙ୍କ କମ୍ପାନି ଗୀତାଞ୍ଜଳି ଜୁଏଲର୍ସକୁ ଦିଆଯାଇଥିବା ଆଉ ୯୬୦ କୋଟି ଟଙ୍କାର ଋଣ ସାମନାକୁ ଆସିଛି । ଏ ସଂପର୍କରେ ବ୍ୟାଙ୍କ ପକ୍ଷରୁ ଆଜି ସିବିଆଇକୁ ଅବଗତ କରାଯାଇଛି । ଏହା ଫଳରେ ନିରବ ମୋଦି-ପିଏନବି ଠକେଇ ପରିମାଣ ୧୩,୬୦୦ କୋଟିକୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ କେବଳ ମେହୁଲ ଚୋକସୀଙ୍କ ଗୀତାଞ୍ଜଳୀ ଜୁଏଲର୍ସ ନେଇଥିବା ଋଣ ପରିମାଣ ୭୦୮୦ କୋଟି ଟପିଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ପିଏନବି ଠକେଇ ଧରା ପଡିଥିଲା । ଲେଟର ଅଫ୍ ଅଣ୍ଡରଟେକିଂ (ଏଲ୍ଓୟୁ) ଜରିଆରେ ନିରବ ମୋଦି ପିଏନ୍ବିର ମୁମ୍ବାଇଠାରେ ଥିବା ବ୍ରେଡି୍ ହାଉସ୍ ଶାଖା ଜରିଆରେ ୧୧,୪୦୦ ହଜାର କୋଟି ଟଙ୍କା ଠକି ନେଇଛନ୍ତି ବୋଲି ପିଏନବି କହିଥିଲା । ତେବେ ଫେବ୍ରୁଆରୀ ୨୭ରେ ପିଏନବି ପକ୍ଷରୁ ଆଉ ୧୩ଶହ କୋଟିର ଋଣ ନିଆଯାଇଥିବା ଧରା ପଡିଲା । ଏବେ ଆଉ ୯୬୦ କୋଟି ଧରାପଡିବା ପରେ ମୋଟ ଠକେଇ ଋଣ ପରିମାଣ ୧୩,୬୦୦ କୋଟି ଟପିଯାଇଛି । ସେ ଏବଂ ତାଙ୍କ ମାମୁଁ ମେହୁଲ ଚୋକ୍ସି ଦେଶ ଛାଡ଼ି ଚାଲିଯାଇଛନ୍ତି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର