ମାଲ୍ୟାଙ୍କ ଚିଠିକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକର ବିପୁଳ ଟଙ୍କା ଠକେଇ କରି ଦେଶ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ଯେଉଁ ଚିଠିକୁ ସାର୍ବଜନୀନ କରିଥିଲେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପିର ମୁଖପାତ୍ର ସମ୍ବିତ୍‌ ପାତ୍ର ଆଜି ଏହା ଉପରେ ପ୍ରତିକି୍ରୟା ରଖି କହିଛନ୍ତି ଯେ, ମାଲ୍ୟାଙ୍କ ହୃଦୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ ଋଣ ଟଙ୍କା ଫେରାଇବାକୁ ଚାହୁଁନଥିଲେ। ଯେଉଁମାନେ ଆଇନ ସହ ଖେଳିବାକୁ ଚେଷ୍ଟା କରନ୍ତି ସେମାନଙ୍କ ପଛରେ ଆଇନ ପଡ଼ିଯାଏ। ଆଇନ ଏବେ ତାଙ୍କ ପଛରେ ପଡ଼ିଯାଇଥିବାରୁ ମାଲ୍ୟା ଋଣ ଅର୍ଥ ଫେରାଇବାକୁ ଚାହୁଁଛନ୍ତି ବୋଲି ସମ୍ବିତ୍‌ କହିଛନ୍ତି। ପଳାତକ ଅର୍ଥନୈତିକ ଅପରାଧୀ ବିଲ୍‌ ଓ ଇନ୍‌ସଲ୍‌୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଭଳି କଠୋର ନିୟମ ଲାଗୁ ହେବା ପରେ ମାଲ୍ୟା ବହୁତ ଚିନ୍ତିତ ହୋଇପଡ଼ିଛନ୍ତି ବୋଲି ସମ୍ବିତ୍‌ କହିଛନ୍ତି।

ମାଲ୍ୟାଙ୍କୁ ପଳାତକ ଅପରାଧୀ ଘୋଷଣା କରିବା ଓ ଭାରତରେ ଥିବା ତାଙ୍କର ସବୁ ସମ୍ପତ୍ତି ଜବତ କରିବାକୁ ଇଡି ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ଇଡି ପକ୍ଷରୁ କୋର୍ଟରେ ଆବେଦନ ମଧ୍ୟ କରାଯାଇଛି। କିଛି ମାସ ତଳେ କାର୍ଯ୍ୟକାରୀ ହୋଇଥିବା ପଳାତକ ଅର୍ଥନୈତିକ ଅପରାଧୀ ଆଇନ ବଳରେ ଇଡି ଏହାର ପଦକ୍ଷେପ ଗ୍ରହଣ କରୁଛି। ତାହା ମାଲ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।ଯଦି ଇଡିର ଉଦ୍ୟମରେ କୋର୍ଟ ମୋହର ଲଗାଇବେ ତେବେ ମାଲ୍ୟା ତାଙ୍କର ଅନେକ ସମ୍ପତ୍ତି ହରାଇବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ସବୁ ଆଡୁ ନିରାଶ ହେବା ପରେ ମାଲ୍ୟା ଏବେ ନିଜ କାହାଣୀ ଶୁଣାଇବା ସହାନୁଭୂତି ହାସଲ କରିବାକୁ ପ୍ରୟାସ କରୁଛନ୍ତି। ନିଜର ୧୩ ହଜାର ୯୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରି ମାଲ୍ୟା ବକେୟା ଋଣ ପରିଶୋଧ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ସେ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଛନ୍ତି। ମାଲ୍ୟା ଏହା ମଧ୍ୟ ଜଣାଇଛନ୍ତି ଯେ, ଯଦି ତାଙ୍କର ଏହି ଉଦ୍ୟମକୁ ଇଡି କିମ୍ବା ସିବିଆଇ ବିରୋଧ କରିବେ, ତେବେ ଏହା ପଛରେ କିଛି ଗୁପ୍ତ ଏଜେଣ୍ଡା ରହିଛି ବୋଲି ଜଣାପଡ଼ିଯିବ। ଭାରତରୁ ପଳାୟନ ପରେ ବହୁତ ଦିନ ଚୁପ୍‌ ରହିଥିବା ମାଲ୍ୟା ହଠାତ୍‌ ଏଭଳି ସକ୍ରିୟା ହେବାକୁ ଅନେକ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେ ଉଭୟ ଭାରତ ଓ ବ୍ରିଟେନ୍‌ରେ ଆଇନ ଲଢ଼େଇ ଲଢ଼ୁଛନ୍ତି। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ମାଲ୍ୟା ଯେଉଁ ଚିଠି ଲେଖିଥିଲେ ତାହାକୁ ଗତକାଲି ସେ ନିଜ ଟ୍ଵିଟର୍‌ ଆକାଉଣ୍ଟ୍‌ ଜରିଆରେ ସାର୍ବଜନୀନ କରିଥିଲେ।

ସମ୍ବନ୍ଧିତ ଖବର