ପଲିମର ପାଇଁ ପୂର୍ବାଞ୍ଚଳରେ ବିପୁଳ ସୁଯୋଗ

ଭୁବନେଶ୍ୱର: ନିତି ଆୟୋଗର ଆକଳନ ଅନୁଯାୟୀ ଡଲାର ହିସାବରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦ ବର୍ଷ ଭିତରେ ୮ ଲକ୍ଷ କୋଟି ଡଲାରରୁ ଅଧିକ ହେବ। ସେହି ସମୟରେ ପୂର୍ବ ଭାରତର ଜିଡିପି ୨ ଲକ୍ଷ ୫୦ ହଜାର କୋଟି ଡଲାରରେ ପହଞ୍ଚିବ ଆକଳନ କରାଯାଇଛି। ଅର୍ଥନୀତିରେ ହେବାକୁ ଥିବା ଏହି ଅଭିବୃଦ୍ଧି ପୂର୍ବ ଭାରତରେ ପଲିମର ଶିଳ୍ପର ଅଭିବୃଦ୍ଧି ପାଇଁ ବିପୁଳ ସୁଯୋଗ ପ୍ରଦାନ କରିବ ବୋଲି ଭାରତୀୟ ପ୍ଲାଷ୍ଟିକ୍‌ ମହାସଂଘର ସଭାପତି ଆଲୋକ ତିବ୍ରେଓ୍ଵାଲ୍‌ କହିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୧୪-୧୫ ନିୟୁତ ଟନ୍‌ ପଲିମର୍‌ ଉତ୍ପାଦନ ହେଉଛି। ଆଗାମୀ କିଛି ବର୍ଷ ଭିତରେ ସେହି ପରିମାଣ ୪୫-୫୦ ନିୟୁତ ଟନ୍‌ରେ ପହଞ୍ଚିବ।

ପଲିମର ବ୍ୟବାରରେ ୧%ର ବୃଦ୍ଧି ଆଣିବାକୁ ହେଲେ ୧.୫ ନିୟୁତ ଟନ୍‌ର ପଲିମର୍‌ ନିର୍ମାଣ କରିବାକୁ ପଡୁଛି। ପଲିମର୍‌ ଶିଳ୍ପରେ କିଭଳି ସୁଯୋଗ ରହିଛି ତାହା ଏଥିରୁ ଅନୁମାନ କରାଯାଇପାରିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ପଲିମର୍‌ ଶିଳ୍ପ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ସେ ଅନୁମାନ ଲଗାଇଛନ୍ତି। ଏବେ ଅଧିକାଂଶ ପଲିମର୍‌ ଦେଶର ପଶ୍ଚିମ ଭାଗରେ ପ୍ରକ୍ରିୟାକରଣ କରାଯାଉଛି। ପୂର୍ବ ଭାରତରେ ରହିଛି ବୃହତ ଉପକୂଳ ଯାହା ସହଜରେ ବିଦେଶକୁ ପଲିମର୍‌ ରପ୍ତାନି କରିବା ପାଇଁ ବ୍ୟବସାୟୀମାନଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି।
ପଲିମର୍‌ ଉତ୍ପାଦନକାରୀଙ୍କ ପାଇଁ ପୂର୍ବ ଭାରତର ମେଡିକାଲ୍‌, କୃଷି, ଖାଦ୍ୟ, ବୟନ ଶିଳ୍ପ, ଜଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର