ଡାକ ବିଭାଗ ଖୋଲିବ ବୀମା କଂପାନି

ନୂଆଦିଲ୍ଲୀ: ଡାକ ବିଭାଗ ପକ୍ଷରୁ ନିକଟରେ ପେମେଣ୍ଟ୍‌ ବ୍ୟାଙ୍କ ଖୋଲାଯାଇଛି। ଏଥି ସହିତ ଦେଶର ବିଭିନ୍ନ ଡାକ ଘରେ ବ୍ୟାଙ୍କ ସେବା ଉପଲବ୍ଧ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପେମେଣ୍ଟ୍‌ ବ୍ୟାଙ୍କକୁ ନେଇ ଉତ୍ସାହିତ ଥିବା ଡାକ ବିଭାଗ ଆଗାମୀ ଦିନରେ ଆର୍ଥିକ ସେବା କ୍ଷେତ୍ରରେ ଏହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ରଖିଛି। ଆଗାମୀ ଦୁଇ ବର୍ଷ ଭିତରେ ଏକ ବୀମା କଂପାନି ଖୋଲିବା ଉପରେ ଡାକ ବିଭାଗ ବିଚାର କରୁଛି। ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା କରିଛନ୍ତି ଯେ, ପେମେଣ୍ଟ୍‌ ବ୍ୟାଙ୍କ ଓ ପାର୍ସଲ୍‌ ଡାଇରେକ୍ଟୋରେଟ୍‌ ପରେ ଡାକ ବିଭାଗ ଆମାଗୀ ଦୁଇ ବର୍ଷ ଭିତରେ ଏକ ବୀମା କଂପାନି ଖୋଲିବ। ଡାକ ବିଭାଗ ନିଜକୁ ସମ୍ପୂର୍ଣ୍ଣ ବଦଳାଇବା ଯୋଜନା ଉପରେ କାମ କରୁଛି। ପେମେଣ୍ଟ୍‌ ବ୍ୟାଙ୍କ ଜରିଆରେ ଏହା ନିଜକୁ ସମ୍ପ୍ରସାରିତ କରିସାରିଛି। ଶ୍ରୀ ସିହ୍ନା କହିଛନ୍ତି ଯେ ବୀମା କଂପାନି ଗଠନ କରିବା ପାଇଁ ଖୁବ୍‌ଶୀଘ୍ର କନ୍‌ସଲ୍‌ଟାଣ୍ଟ୍‌ ନିଯୁକ୍ତ କରାଯିବ। ଏ ନେଇ ଆସନ୍ତା ସପ୍ତାହରେ ପ୍ରସ୍ତାବ ଆସିବ। ଚଳିତ ମାସ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ ବ୍ୟାଙ୍କ (ଆଇପିପିବି)’କୁ ଉନ୍ମୋଚନ କରିଥିଲେ। ଏହି ବ୍ୟାଙ୍କ ଖୋଲିବାର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ସେବାକୁ ଘରେ ଘରେ ପହଞ୍ଚାଇବା। ତିନି ଲକ୍ଷ ପୋଷ୍ଟମ୍ୟାନ୍‌ ଓ ଗ୍ରାମୀଣ ଡାକ ସେବକ ଲୋକମାନଙ୍କ ଘରେ ପହଞ୍ଚି ବ୍ୟାଙ୍କ ସେବା ପ୍ରଦାନ କରିବେ। ଚଳିତ ବର୍ଷ ଏପ୍ରିଲ୍‌ରେ ଡାକ ବିଭାଗ ପକ୍ଷରୁ ପାର୍ସଲ୍‌ ଡାଇରେକ୍ଟୋରେଟ୍‌ ଖୋଲାଯାଇଥିଲା। ଏହି ସଂସ୍ଥା ଜରିଆରେ ଡାକ ବିଭାଗ ଲଜିଷ୍ଟିକ୍‌ କ୍ଷେତ୍ରରେ ନିଜର ସ୍ଥିତିକୁ ଦୃଢ଼ କରିଛି।

ସମ୍ବନ୍ଧିତ ଖବର