ଓଡ଼ିଶାରୁ ଚିଙ୍ଗୁଡ଼ି ରପ୍ତାନି ଗୁରୁତର ପ୍ରଭାବିତ: ଦେଢ଼ ହଜାର କୋଟିର କ୍ଷତି ‌ଆଶଙ୍କା, କାରଖାନାରେ କର୍ମଚାରୀଙ୍କ ‌ଘୋର ଅଭାବ

ଅମଳକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ବର: କରୋନା ପାଇଁ ଏବେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି ରହିଛି। ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଅନ୍ୟାନ୍ୟ ଶିଳ୍ପ ପରି କରୋନାର ପ୍ରଭାବ ରାଜ୍ୟର ଚିଙ୍ଗୁଡ଼ି ଚାଷ ଉପରେ ଗୁରୁତର ମାତ୍ରାରେ ପଡ଼ିଛି। ରାଜ୍ୟର ଚିଙ୍ଗୁଡ଼ି ରପ୍ତାନି ବିଶେଷ ଭାବେ ପ୍ରଭାବିତ ହୋଇଛି। କରୋନା ପାଇଁ ରାଜ୍ୟର ଚିଙ୍ଗୁଡ଼ି ଶିଳ୍ପକୁ ପ୍ରାୟ ଦେଢ଼ ‌ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ରାଜ୍ୟର ପ୍ରମୁଖ ଚିଙ୍ଗୁଡ଼ି ବ୍ୟବସାୟୀମାନେ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତମାସ ଶେଷ ଆଡ଼କୁ କୃଷକମାନେ ଚିଙ୍ଗୁଡ଼ି ଅମଳ କରିବେ। ଯଦି ଅମଳରେ ସମସ୍ୟା ଦେଖାଦିଏ ତାହେଲେ ଚିଙ୍ଗୁଡ଼ି ଚାଷୀମାନଙ୍କର ପ୍ରାୟ ୫୦୦ରୁ ୬୦୦ କୋଟି ଟଙ୍କାର କ୍ଷତି ହେବ। ଏଥିସହିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣଠାରୁ ଆରମ୍ଭ କରି ପରିବହନ ଏବଂ ବ୍ୟବସାୟ ସହ ଜଡ଼ିତ ଥିବା ହଜାର ହଜାର ଲୋକଙ୍କ କର୍ମସଂସ୍ଥାନ ପ୍ରଭାବିତ ହେବ। ରପ୍ତାନି ପ୍ରଭାବିତ ହେବା ସହିତ କାରଖାନା ବନ୍ଦ ଆଦି କାରଣରୁ ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପକୁ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରାୟ ଦେଢ଼ ହଜାର କୋଟିର କ୍ଷତି ହେବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ସଂଘ, ଓଡ଼ିଶା ଅଞ୍ଚଳର ସଭାପତି ଡ. କମଲେଶ ମିଶ୍ର କୁହନ୍ତି, ଚିଙ୍ଗୁଡ଼ି ଚାଷୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ଯୋଗୁଁ ଆତଙ୍କିତ ‌ଅବସ୍ଥାରେ ଅଛନ୍ତି। ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରକ୍ରିୟାକରଣ ଶିଳ୍ପରେ କାମ କରୁଥିବା କର୍ମଚାରୀମାନେ ଗାଁକୁ ପଳାଇଛନ୍ତି। ୬ ମାସ ପର୍ଯ୍ୟନ୍ତ କରୋନା ଜନିତ ଅଚଳାବସ୍ଥା ଜାରି ରହିଲେ ବ୍ୟବସାୟ ଗତବର୍ଷ ତୁଳନାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ ବୋଲି ଡ. ମିଶ୍ର ପୂର୍ବାନୁମାନ କରିଛନ୍ତି। ଓଡ଼ିଶାରୁ ବର୍ଷକୁ ପ୍ରାୟ ୩୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ବିଦେଶକୁ ରପ୍ତାନି ହୋଇଥାଏ। ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ ପ୍ରାୟ ୨୦ରୁ ୨୫ ପ୍ରତିଶତ ହାରରେ ଆଗକୁ ବଢ଼ୁଥିବାରୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଚିଙ୍ଗୁଡ଼ି ରପ୍ତାନି ଶିଳ୍ପ ପ୍ରାୟ ୩୪୦୦ରୁ ୩୬୦୦ କୋଟି ଟଙ୍କାର ଆକାର ନେଇଥାନ୍ତା। କିନ୍ତୁ କରୋନା ପାଇଁ ବର୍ତ୍ତମାନ ଚିଙ୍ଗୁଡ଼ି ରପ୍ତାନି ପ୍ରାୟତଃ ବନ୍ଦ ହୋଇଯାଇଛି ଏବଂ ଚାଷ ବହୁମାତ୍ରାରେ ପ୍ରଭାବିତ‌ ହୋଇଛି। ସରକାର ଯଦିଓ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷଣା କରିଛନ୍ତି ତଥାପି ରାଜ୍ୟରେ ଚିଙ୍ଗୁଡ଼ିର ପ୍ରକ୍ରିୟାକରଣ ହୋଇପାରୁନାହିଁ। ପ୍ରକ୍ରିୟାକରଣ ଶିଳ୍ପରେ ଏବେ କର୍ମଚାରୀ ନାହାନ୍ତି। ଗାଁକୁ ପଳାଇଛନ୍ତି। ଭୟରେ ଗାଁରୁ ଆସି ପାରୁନାହାନ୍ତି। ଯାହା ବି କର୍ମଚାରୀ ରହିଛନ୍ତି ସେମାନଙ୍କୁ ନେଇ ମାଲିକମାନେ କାରଖାନା ଚଳାଉ ନାହାନ୍ତି। ସେମାନଙ୍କ ମନରେ ଏକ ଭୟ ରହୁଛି ଯଦି କିଛି ହୁଏ ତାହେଲେ କାରଖାନାକୁ ସିଲ୍ କରି ଦିଆଯାଇ ପାରେ। ଆସନ୍ତା ୧୫ ଦିନ ପରେ ଓଡ଼ିଶାରେ ଚିଙ୍ଗୁଡ଼ି ଚାଷୀମାନେ ଅମଳ କରିଥାନ୍ତେ। କିନ୍ତୁ ଏହା ହୋଇପାରିବା ଦେଖାଯାଉ ନାହିଁ। ବର୍ତ୍ତମାନର କରୋନା ପାଇଁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷତି ସହିବେ ଏବଂ ପ୍ରକ୍ରିୟାକରଣ ଏବଂ ରପ୍ତାନିକୁ ମିଶାଇଲେ ଚିଙ୍ଗୁଡ଼ି ଶିଳ୍ପର କ୍ଷତି ପ୍ରାୟ ଦେଢ଼ ହଜାର କୋଟି ଟଙ୍କା ରହିବ ବୋଲି ଡ ମିଶ୍ର ଆନୁମାନିକ ଆକଳନ କରିଛନ୍ତି। ଚିଙ୍ଗୁଡ଼ି ରପ୍ତାନି ପ୍ରଭାବିତ ହେବା ଯୋଗୁ ଚାଷୀଙ୍କୁ ଛାଡ଼ିଲେ ଚିଙ୍ଗୁଡ଼ି ଶିଳ୍ପ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମସଂସ୍ଥାନ ପାଇଥିବା ୧୦ରୁ ୧୨ ହଜାର ଲୋକଙ୍କ ରୋଜଗାର ପ୍ରଭାବିତ ହେବ। ଏହାପରେ ନୂଆ ଚାଷ ମଧ୍ୟ ଆରମ୍ଭ ହୋଇପାରିବ ନାହିଁ। ୬ ମାସ ପର୍ଯ୍ୟନ୍ତ ଯଦି ଏହି ସମସ୍ୟା ଲାଗି ରହେ ତାହେଲେ ଗତ ବ‌ର୍ଷ ତୁଳନାରେ ୭୦ରୁ ୮୦ ପ୍ରତିଶତ ବ୍ୟବସାୟ କମିଯିବାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ବତ୍ତର୍ମାନ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀଙ୍କୁ କିଭଳି ସୁରକ୍ଷା ଦିଆଯିବ ଏବଂ ଆଗାମୀ ଦିନରେ ଚାଷ ଓ ବ୍ୟବସାୟକୁ କିଭଳି ଜାରି ରଖାଯାଇ ପାରିବ ସେଥିପାଇଁ ସରକାର ଚାଷୀ, ବ୍ୟବସାୟୀ ଓ ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାକୁ ଆଗେଇ ଆସିବା ଉଚିତ ବୋଲି ଡ. ମିଶ୍ର ମତ ଦେଇଛନ୍ତି। ସେହିଭଳି ରାଜ୍ୟର ପ୍ରମୁଖ ଚିଙ୍ଗୁଡ଼ି ବ୍ୟବସାୟୀ ତଥା ଫାଲ୍‌କନ୍‌ ଗ୍ରୁପ୍‌ ଅଧ୍ୟକ୍ଷ ତାରାରଂଜନ ପଟ୍ଟନାୟକ କୁହନ୍ତି କରୋନା ପାଇଁ ବର୍ତ୍ତମାନ ବିଦେଶରୁ ଗ୍ରାହକ ସେମାନଙ୍କ ଅର୍ଡର ବାତିଲ କରୁଛନ୍ତି, ମଦର ପ୍ରନ୍ ଆସି ପାରୁନାହିଁ। ଯେଉଁ ରପ୍ତାନି ହୋଇଛି ତାହାର ପେମେଣ୍ଟ ବି ମିଳି ପାରୁନି। ଏଥିସହିତ ସାର୍ଟିଫିକେସନରେ ସମସ୍ୟା ରହିଛି। ଡ୍ରାଇଭର ମିଳୁ ନଥିବାରୁ ମାଲ ପରିବହନ ହୋଇ ପାରୁନାହିଁ। ଚିଙ୍ଗୁଡ଼ି ଶିଳ୍ପରେ ଏସବୁ ସମସ୍ୟା ଲାଗି ରହିଛି। ଏଥିସହିତ ଚାଷୀ ଚିଙ୍ଗୁଡ଼ି ଅମଳ କରିବା ପରେ ତାହା କାରଖାନାକୁ ଆସେ। ସେଗୁଡ଼ିକର ପକ୍ରିୟାକରଣ ‌ହୋଇଥାଏ। ପ୍ରକ୍ରିୟାକରଣ ପାଇଁ କାରଖାନାରେ ଏବେ କର୍ମଚାରୀ ନାହାନ୍ତି। ତେଣୁ ପ୍ରକ୍ରିୟାକରଣ ୟୁନିଟ୍‌ ଗୁଡ଼ିକ ବନ୍ଦ ଥିବାବେଳେ ଫିଡ୍‌ କାରଖାନା ଗୁଡ଼ିକ ୨୫ ପ୍ରତିଶତ କ୍ଷମତାରେ ଚାଲୁଛି ବୋଲି ସେ କହିଛନ୍ତି। ଯଦିଓ ସରକାର କାରଖାନା ଚଲାଇବାକୁ ଅନୁମତି ଦେଇଛନ୍ତି ତଥାପି ଲୋକ ଆସୁନାହାନ୍ତି। ତେଣୁ କାରଖାନା ଚାଲି ପାରୁନାହିଁ। ମେ, ଜୁନ୍ ବେଳକୁ କରୋନା ନକମିଲେ ଅବସ୍ଥା ସାଂଘାତିକ ହୋଇଯିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି। ଯଦି କରୋନା ରୋଗୀଙ୍କ ସଂଖ୍ୟା ଆଉ ନବଢ଼େ ତାହେଲେ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଆଉ କିଛି ଦିନ ପରେ କ୍ଷତିର ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯେଉଁ ଚାଷୀମାନେ ଏବେ ଚାଷ କରିଛନ୍ତି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଚେଷ୍ଟା କରାଯାଉଛି। କର୍ମଚାରୀମାନଙ୍କ ଦରମାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍‌, ବ୍ୟାଙ୍କ ସୁଧ ଆଦି ବାବଦରେ ବିପୁଳ ପରିମାଣର ରାଶି ଦେବାକୁ ପଡ଼ିବ। ଯଦି ରୋଗ ଏପ୍ରିଲ ପରେ ଲାଗି ରହେ ତାହେଲେ ହଜାର ହଜାର ଚିଙ୍ଗୁଡ଼ି ଚାଷୀ ଏବଂ ବ୍ୟବସାୟୀ ଜୀବିକା ହରାଇବେ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର