ବାଧୁଛି ମହଙ୍ଗା ସେବା : କଟିଗଲେ ୨ ଲକ୍ଷ ମୋବାଇଲ୍ ଗ୍ରାହକ

ପ୍ରତି ୧୦୦ରେ ୭୬ ଜଣଙ୍କ ପାଖରେ ମୋବାଇଲ୍
ବିଏସ୍‌ଏନ୍‌ଏଲ୍‌ ଯୋଡ଼ିଲା, ଅନ୍ୟମାନେ ହରାଇଲେ

ଭୁବନେଶ୍ବର : ମୋବାଇଲ୍ କଂପାନିଗୁଡ଼ିକ ସେବାର ଦାମ୍‌ ବଢ଼ାଇବା ପରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି। ପ୍ରାୟ ସବୁ କଂପାନିର ମୋବାଇଲ୍ ରିଚାର୍ଜ ଦାମ୍ ବହୁତ ବଢ଼ିଯାଇଥିବାରୁ ଏକାଧିକ ମୋବାଇଲ ରଖିିଥିବା ଗ୍ରାହକମାନେ ‌ଗୌଣ ନମ୍ବରଗୁଡ଼ିକୁ ବନ୍ଦ କରିଦେଇଥିବା ଅନୁମାନ କରାଯାଉଛି। ସେଥିପାଇଁ ୨୦୧୯ ଡିସେମ୍ବରରେ ଓଡ଼ିଶା ମୋବାଇଲ୍‌ ନେଟ୍‌ୱର୍କରୁ ୨ ଲକ୍ଷ ୭ ହଜାର ୩୨୬ ମୋବାଇଲ୍‌ ଗ୍ରାହକ ବାହାରି ଯାଇଛନ୍ତି।

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୧୯ ଡିସେମ୍ବରରେ ଓଡ଼ିଶାର ମୋଟ୍‌ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୦ ଲକ୍ଷ ୧୩ ହଜାର ୨୦୬କୁ ହ୍ରାସ ପାଇଛି। ସେହିବର୍ଷ ନଭେମ୍ବରରେ ରାଜ୍ୟରେ ୩ କୋଟି ୩୨ ଲକ୍ଷରୁ ଅଧିକ ଗ୍ରାହକ ଥିଲେ। ଏଥି ସହିତ ରାଜ୍ୟର ଟେଲି ସାନ୍ଧ୍ରତା ମଧ୍ୟ ୭୬.୦୨ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ ରାଜ୍ୟରେ ଏବେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ୍ ରହିଛି। ଟ୍ରାଇର ରିପୋର୍ଟ ଅନୁଯାୟୀ, ୨୦୧୯ ଡିସେମ୍ବରରେ ରାଜ୍ୟରେ କେବଳ ବିଏସ୍‌ଏନ୍‌ଏଲ୍‌ ନୂତନ ଗ୍ରାହକ ଯୋଡ଼ିପାରିଛି। ଅନ୍ୟ ସବୁ କଂପାନି ଗ୍ରାହକ ହରାଇଛନ୍ତି। ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ ଲକ୍ଷ ୨ ହଜାର ୬୯୪ କମିଥିବା ବେଳେ ଭୋଡାଫୋନ୍ ଆଇଡିଆ ୭୧,୫୪୭ ଓ ଏୟାରଟେଲ୍‌ ୧ ଲକ୍ଷ ୫୧ ହଜାର ୭୦୯ ଜଣ ଗ୍ରାହକ ହରାଇଛନ୍ତି। ଏହି ମାସରେ ସରକାରୀ କଂପାନି ବିଏସ୍ଏନ୍‌ଏଲ୍‌ ୧ ଲକ୍ଷ ୧୮ ହଜାର ୫୯୬ ନୂତନ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଗ୍ରାହକ ହରାଇଥିଲେ ମଧ୍ୟ ରିଲାଏନ୍ସ ଜିଓ ରାଜ୍ୟର ଏକ ନମ୍ବର ମୋବାଇଲ୍‌ ସେବା ପ୍ରଦାନକାରୀ କଂପାନି ଭାବେ ଉଭା ହୋଇଛି। ଏହା ପଛକୁ ରହିଛି ଏୟାରଟେଲ୍। ରାଜ୍ୟରେ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ସଂଖ୍ୟାରେ ୩୦୬୯ ହ୍ରାସ ଘଟିଛି। ୨୦୧୯ ଡିସେମ୍ବର ସୁଦ୍ଧା ମୋଟ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ସଂଖ୍ୟା ୨ ଲକ୍ଷ ୧୪ ହଜାର ୮୩୭ରେ ପହଞ୍ଚିଛି। ସେହିବର୍ଷ ନଭେମ୍ବରରେ ସେମାନଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାର ୯୦୬ ଥିଲା।

ସାରା ଦେଶରେ ମଧ୍ୟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଛି। ଦେଶର ମୋଟ୍‌ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୦୧୯ ଡିସେମ୍ବରରେ ୧୧୫.୧୪ କୋଟିକୁ ହ୍ରାସ ପାଇଛି। ୨୦୧୯ ନଭେମ୍ବରରେ ୧୧୫ କୋଟି ୫୪ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ ଥିଲେ। ମାସକ ଭିତରେ ୩୧ ନିୟୁତ ୫୦ ଲକ୍ଷରୁ ଅଧିକ ମୋବାଇଲ୍‌ ଗ୍ରାହକ ନିଜର ସେବା ବନ୍ଦ କରିଦେଇଛନ୍ତି। ସହରାଞ୍ଚଳରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୦.୫୨% ହ୍ରାସ ଘଟିଥିବା ବେଳେ ଗ୍ରାମାଞ୍ଚଳରେ ୦.୦୪% ବଢ଼ିଛି।

ସମ୍ବନ୍ଧିତ ଖବର