ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମୋ ଚିନ୍ତାଧାରା ଥିଲା: ଯଶୋବନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ଜାତୀୟ ରାଜପଥ ବିକାଶ ଯୋଜନା(ଏନ୍‌ଏଚ୍‌ଡିପି) ମୋ ଚିନ୍ତାଧାରା ଥିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଦାବି କରିଛନ୍ତି। ନିଜ ଆତ୍ମଜୀବନୀ ‘ରିଲେଣ୍ଟ୍‌ଲେସ୍‌’ରେ ‌ସେ ଲେଖିଛନ୍ତି ଯେ, ଜାତୀୟ ରାଜପଥ ବିକାଶ ଯୋଜନା ମୋ ପାଇଁ ନୂଆ ନଥିଲା। ୧୯୭୦ରେ ଜର୍ମାନିରେ କାମ କରୁଥିବା ବେଳେ ମୁଁ ସେହି ଚିନ୍ତାଧାରାକୁ ନେଇ କାମ ଆରମ୍ଭ କରିଥିଲି। ଜର୍ମାନିରେ ସରକାର ନିୟନ୍ତ୍ରିତ ରାଜପଥ ବ୍ୟବସ୍ଥା ‘ଅଟୋବାହ୍‌ନସ’ ବେଶ ଲୋକପ୍ରିୟ ଥିଲା। ସେହି ଢାଞ୍ଚାକୁ ମୁଁ ଭାରତରେ ଲାଗୁ କରିବାକୁ ଚାହୁଥିଲି ବୋଲି ଯଶୋବନ୍ତ ଲେଖିଛନ୍ତି। ୧୯୯୮ରେ ଜାତୀୟ ରାଜପଥ ବିକାଶ ଯୋଜନା (ଏନ୍‌ଏଚ୍‌ଡିପି)ର ଶୁଭାରମ୍ଭ କରାଯାଇଥିଲା ଯାହାର ଏକ ପ୍ରମୁଖ ଅଂଶ ଥିଲା ସ୍ବର୍ଣ୍ଣ ଚତ୍ତୁର୍ଭୁଜ ଯୋଜନା। ଏହି ଯୋଜନା ଦେଶର ଜାତୀୟ ରାଜପଥ ରୂପରେଖ ବଦଳାଇ ଦେଇଥିଲା। ‌କେବଳ ଏହି ଯୋଜନା ନୁହେଁ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ମଧ୍ୟ ମୋ ଚିନ୍ତାଧାରା ଥିଲା ବୋଲି ଯଶୋବନ୍ତ ଦାବି କରିଛନ୍ତି। ଗତବର୍ଷ ବିଜେପିରୁ ଇସ୍ତଫା ଦେଇଥିବା ଏହି ପୂର୍ବତନ ଅର୍ଥମନ୍ତ୍ରୀ ନିଜ ଆତ୍ମଜୀବନୀ ପୁସ୍ତକରେ ଲେଖିଛନ୍ତି ଯେ, ଏକ ବୈଠକରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ଆଲୋଚନା ବେଳେ ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପାଇଁ ଏକ ନୂତନ ସ୍କିମ୍ ଆରମ୍ଭ କରିବାକୁ ମୁଁ ପ୍ରସ୍ତାବ ଦେଇଥିଲି ଏବଂ ସେଥିପାଇଁ ଅଲଗା ପାଣ୍ଠିର ବ୍ୟବସ୍ଥା କରିବାକୁ କହିଥିଲି। ଯୋଜନାର ନାମ ଅଟଳ ବିହାରୀ ବାଜପେୟୀ ଗ୍ରାମ ସଡ଼କ ଯୋଜନା ରଖାଯାଉ ବୋଲି ମୁଁ ପ୍ରସ୍ତାବ ଦେଇଥିଲି। ଯଦିଓ ‌ସେହି ପ୍ରସ୍ତାବକୁ ବାଜପେୟୀ ଗ୍ରହଣ କରିଥିଲେ କିନ୍ତୁ ସ୍କିମ୍‌ର ନାମକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ କିଛି ଲୋକ ଏହି ଦୁଇ ସ୍କିମ୍‌ର ଜନକ ବୋଲି ପ୍ରଚାର କରି ବାହାବା ନେଉଛନ୍ତି। ଯଦିଓ କିଛି ଲୋକ ଏହି ସ୍କିମ୍‌କୁ ପ୍ରସ୍ତୁତ କରିଥିଲେ କିମ୍ବା କାର୍ଯ୍ୟକାରୀ କରିଥିଲେ, କିନ୍ତୁ ସେମାନଙ୍କ ମୁଣ୍ଡରୁ ଏହି ଚିନ୍ତାଧାରା ସୃଷ୍ଟି ହୋଇନଥିଲା ବୋଲି ଯଶୋବନ୍ତ ଲେଖିଛନ୍ତି। ଏହି ଦୁଇ ସ୍କିମ୍‌ର ଶ୍ରେୟ ବାଜପେୟୀଙ୍କୁ ଦିଆଯିବା ବେଳେ ସେ ମନ ଦୁଃଖ କରିନଥିଲେ ବୋଲି କହିଛନ୍ତି। ଏହା ପଛର କାରଣ ବି‌ଷୟରେ ସେ ଜଣାଇଛନ୍ତି ଯେ ବାଜପେୟୀ କେବଳ ସରକାରର ମୁଖ୍ୟ ନଥିଲେ, ସେ ଆମର ସବୁଠୁ ବଡ଼ ନେତା ଥିଲେ। ତାଙ୍କୁ ସ୍କିମ୍‌ର ଶ୍ରେୟ ଦେବା ବେଳେ ମୋତେ ଖରାପ ଲାଗିନଥିଲା ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧିତ ଖବର