ଅଧିକ ନୋଟ୍ ଛପାଇବା ସହଜ ନୁହେଁ, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଯିବ

ରେଟିଂ ହ୍ରାସ ପାଇବ, ପୁଞ୍ଜିନିବେଶ ଆସିବା କମିଯିବ

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ବେଳେ ଗରିବ ଲୋକମାନେ ନାହିଁନଥିବା ଅସୁବିଧା ସାମ୍ନା କରୁଛନ୍ତି। ଏଭଳି ପରିସ୍ଥିତିରେ ସମ୍ବଳକୁ ନେଇ ଯେଉଁ ଅଭାବ ରହିଛି ତାହାକୁ ଦୂର କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକ ନୋଟ୍ ଛପାଇବା ଦରକାର ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଛନ୍ତି। ସେମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା କାର୍ଯ୍ୟ କରିବା ଏତେ ସହଜ ନୁହେଁ ବୋଲି ଜିଓଜିତ ଫାଇନାନ୍ସିଆଲ୍ ସର୍ଭିସେସ୍‌ର ଅର୍ଥନୀତିଜ୍ଞ ଦୀପ୍ତି ମେରି ମାଥ୍ୟୁ କହିଛନ୍ତି। ସେ ଏକ ନିବନ୍ଧରେ ଲେଖିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ପାଇଁ ଅଧିକ ନୋଟ୍‌ ଛପାଇବା ଏତେ ସହଜ କାର୍ଯ୍ୟ ନୁହେଁ। ସରକାରଙ୍କ ସମ୍ବଳ ଅଭାବକୁ ରିଜର୍ଭ ବ୍ୟାଙ୍କ ଜରିଆରେ ଦୂର କରିବା ପ୍ରଥା ୧୯୯୭ ପର୍ଯ୍ୟନ୍ତ ପ୍ରଚଳନରେ ଥିଲା। ରିଜର୍ଭ ବ୍ୟାଙ୍କ ପ୍ର‌ାଥମିକ ବଜାରରୁ ସିଧାସଳଖ ସରକାରୀ ସିକ୍ୟୁରିଟି କିଣି ସରକାରଙ୍କ ଖର୍ଚ୍ଚ ବାହାର କରୁଥିଲା। ସେଥିପାଇଁ ଆଡ୍‌-ହକ୍ ଟ୍ରେଜେରି ବିଲ୍‌ ଜାରି କରାଯାଉଥିଲା। ଏହି ବିଲ୍ ଜରିଆରେ ପାଣ୍ଠି ଯୋଗାଡ଼ କରିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଲାଗି ୧୯୯୪ ଓ ୧୯୯୭ରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ବିତ୍ତୀୟ ଦାୟିତ୍ବ ଓ ବଜେଟ୍ ପରିଚାଳନା ଅଧିନିୟମ ୨୦୦୩ କାର୍ଯ୍ୟକାରୀ ହେବା ପରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୨୦୦୬ ଏପ୍ରିଲ୍‌ ୧ ପରଠାରୁ ପ୍ରାଥମିକ ବଜାରରୁ କୌଣସି ସରକାରୀ ସିକ୍ୟୁରିଟିକୁ ରିଜର୍ଭ ବ୍ୟାଙ୍କ ହାସଲ କରିନାହିଁ।

ମାଥ୍ୟୁଙ୍କ ମତରେ ଅଧିକ ନୋଟ୍‌ ଛପାଇବାର ଅନେକ ଖରାପ ଦିଗ ମଧ୍ୟ ରହିଛି। ଏହା ଦରଦାମ୍ ବୃଦ୍ଧିର କାରଣ ହେବ। କରୋନା ସଙ୍କଟ ପ୍ରଭାବରେ ଏବେ ସାମଗ୍ରୀ ଓ ସେବାଗୁଡ଼ିକର ଚାହିଦା ନାହିଁ। କିନ୍ତୁ ଅର୍ଥନୀତିରେ ସୁଧାର ହେବା ପରେ ଯଦି ଲୋକମାନଙ୍କ ପାଖରେ ବିପୁଳ ଟଙ୍କା ରହିଥିବ ତେବେ ଦରଦାମ୍ ବହୁତ ବଢ଼ିବ। ସେହି ସମୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଧ୍ୟ ଦୁର୍ବଳ ହୋଇଯିବ। ଆମେରିକା ଯଦି ଅଧିକ ଡଲାର ଛପାଇବ ତେବେ ବିଶ୍ବ ବଜାରରେ ଡଲାର ଦାମ୍ ପ୍ରଭାବିତ ହେବ ନାହିଁ। କିନ୍ତୁ ଭାରତ ଭଳି ଦେଶ ଯଦି ଅଧିକ ଟଙ୍କା ଛପାଇବ ତେବେ ଆନ୍ତର୍ଜାତିକ ବଜାରରେ ଏହାର ମୁଦ୍ରା ଦାମ୍ ବହୁତ କମିଯିବ। ସେଭଳି ହେଲେ କୌଣସି ନିବେଶକ ଭାରତରେ ପୁଞ୍ଜିନିବେଶ କରିବାକୁ ଚାହିବେ ନାହିଁ। କାରଣ ସେମାନେ ଆଶନୁରୂପ ରିଟର୍ଣ୍ଣ ପାଇବାରୁ ବଞ୍ଚିତ ହେବେ। ଯେଉଁ ବିଦେଶୀ ନିବେଶକମାନେ ଭାରତରେ ପୁଞ୍ଜିନିବେଶ କରିଛନ୍ତି ସେମାନେ ନିବେଶ ବୁଡ଼ିଯିବା ଭୟରେ ଅନ୍ୟ ଦେଶକୁ ଚାଲିଯିବେ। ରପ୍ତାନିକାରୀମାନେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବେ।

ଟଙ୍କା ଦୁର୍ବଳ ହେଲେ ସେଥିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ରଖିଥିବା ଡଲାରକୁ ବିକ୍ରି କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ପ୍ରୟାସ କରିବ। ଜରୁରୀକାଳୀନ ସ୍ଥିତିରେ ରିଜର୍ଭ ବ୍ୟାଙ୍କ ସେଭଳି ପଦକ୍ଷେପ ନେଇଥାଏ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ପଦକ୍ଷେପ ଗ୍ରହଣ କରିବା ରିଜର୍ଭ ବ୍ୟାଙ୍କ ପକ୍ଷେ ସମ୍ଭବପର ହୋଇନପାରେ। ରିଜର୍ଭ ବ୍ୟାଙ୍କ ଯଦି ଅଧିକ ନୋଟ୍ ଛପାଇବ ତେବେ ଦେଶର ଅର୍ଥନୀତିର ‌ଅନେକ କ୍ଷେତ୍ର ଦୁର୍ବଳ ହୋଇଯିବ। ରେଟିଂ ଏଜେନ୍ସିଗୁଡ଼ିକ ଭାରତର ରେଟିଂ ହ୍ରାସ କରିବେ। ଫଳରେ ଦେଶକୁ ଆଉ ପୂର୍ବଭଳି ପୁଞ୍ଜିନିବେଶ ଆସିବ ନାହିଁ। ଏହି ସବୁ କାରଣ ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ନୋଟ୍ ଛପାଇ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ବିପଦପୂର୍ଣ୍ଣ କାର୍ଯ୍ୟ ହେବ ବୋଲି ମାଥ୍ୟୁ କହିଛନ୍ତି।

ସମ୍ବନ୍ଧିତ ଖବର