ଭାରତରେ ବ୍ୟାଙ୍କିଙ୍ଗ୍‌ ସଙ୍କଟ: ଆଇଏମ୍‌ଏଫ୍‌ର ଉଦ୍‌ବେଗ

ଓ୍ଵାସିଂଟନ: ଭାରତର ବ୍ୟାଙ୍କିଙ୍ଗ ଶିଳ୍ପରେ ଦେଖାଦେଇଥିବା ସଙ୍କଟକୁ ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଉଦ୍‌ବେଗ ପ୍ରକାଶ କରିଛି। ଏହାର ପ୍ରବକ୍ତା ଗେରି ରାଇସ୍‌ କହିଛନ୍ତି ଯେ, ବ୍ୟାଙ୍କିଙ୍ଗ ସମସ୍ୟାର ସମାଧାନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନ୍‌ପିଏ ସମସ୍ୟାକୁ ଦୂର କରି ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌କୁ ସଜାଡ଼ିବା ଓ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ଆଣିବା ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଦେଶରେ ପୁଞ୍ଜିନିବେଶ ଓ ଅର୍ଥନୈତିକ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ହେଲେ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏନ୍‌ପିଏକୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ମାଧ୍ୟମରେ ସମାଧାନ କରିବା ଭଲ ପଦକ୍ଷେପ। ଏହି ପ୍ରକ୍ରିୟା ଏବେ ପ୍ରାରମ୍ଭିକ ସ୍ତରରେ ରହିଛି ଓ ଆମେ ଏ ଦିଗରେ ଉତ୍ସାହଜନକ ଉନ୍ନତି ହେବା ଆଶା କରୁଛୁ ବୋଲି ପ୍ରବକ୍ତା ଜଣକ କହିଛନ୍ତି। ୨୦୧୭ ଡିମ୍ବେସର ସୁଦ୍ଧା ଭାରତର ଏନ୍‌ପିଏ ପରମିଶର ୮ ଲକ୍ଷ ୩୧ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୨୫% ବଢ଼ାଇବାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହାକୁ ସେ ସ୍ୱାଗତ କରିଛନ୍ତି। ମହଙ୍ଗା ତେଲ ଯୋଗୁଁ ଦରଦାମ ସ୍ଥିତି ଉଚ୍ଚ ସ୍ତରରେ ରହିଥିବା ବେଳେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଖରାପ ରହିଛି। ଏଭଳି ପରିସ୍ଥିତିରେ ସୁଧ ହାର ବଢ଼ାଇବା ନିଷ୍ପତ୍ତି ଗ୍ରହଣ କରି ରିଜର୍ଭ ବ୍ୟାଙ୍କ ଉଚିତ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ଏନ୍‌ପିଏ ସମସ୍ୟା ସମାଧାନ ପାଇଁ ନୂଆ କମିଟି ଗଠିତ
ମୁମ୍ବାଇ): ସରକାର ଏକ ଆସେଟ୍‌ ରିକନ୍‌ଷ୍ଟ୍ରକ୍ସନ୍‌ କଂପାନି ଗଠନ କରିବାକୁ ଚାହୁଁଛନ୍ତି। ଏ ବାବଦରେ ସୁପାରିସ ପ୍ରଦାନ କରିବା ନିମନ୍ତେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ପୂର୍ବତନ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସୁନିଲ ମେହତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟି ଦୁଇ ସପ୍ତାହ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବ ବୋଲି ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପିୟୂଷ ଗୋୟଲ କହିଛନ୍ତି।

ଋଣ ସୁଧ ବଢ଼ିଲା
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୨୫% ବୃଦ୍ଧି ଘୋଷଣା କରିବା ପରେ ଷ୍ଟେଟ୍‌ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ନିଜର ଏମ୍‌ସିଏଲ୍‌ଆର୍‌ ଓ ଋଣ ସୁଧ ହାର ବଢ଼ାଇ ସାରିଲେଣି। ଆଜି ସିଣ୍ଡିକେଟ୍‌ ବ୍ୟାଙ୍କ, ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ସୁଧ ହାର ବୃଦ୍ଧି କରାଯାଇଛି। ଗତକାଲି ଇଣ୍ଡିଆନ୍‌ ବ୍ୟାଙ୍କ ଓ କରୁର୍‌ ବୈଶ ବ୍ୟାଙ୍କ ସୁଧ ହାର ବଢ଼ାଇଥିଲେ।

ସମ୍ବନ୍ଧିତ ଖବର