ତେଲ ବଜାରରେ ସଙ୍କଟ: ବିଗିଡ଼ିଯିବ ଅର୍ଥନୀତି ଗଣିତ, ବଢ଼ିବ ଆମଦାନି ବିଲ୍

ନୂଆଦିଲ୍ଲୀ: ତେଲ ବଜାରରେ ସଙ୍କଟ ଦେଖାଦେଇଥିବାରୁ ଭାରତର ଅର୍ଥନୀତି ଗଣିତ ପ୍ରତି ବିପଦ ସୃଷ୍ଟି ହୋଇଛି। ଚଳିତ ବର୍ଷ ଚଳନ୍ତୀ ଜମା ନିଅଣ୍ଟକୁ ସରକାର ଯେଉଁ ସ୍ତରରେ ରଖିବାକୁ ଚାହୁଥିଲେ ସେହି ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ଦେଖାଦେଇଛି। ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିଲେ ଆମଦାନି ବାବଦରେ ହେଉଥିବା ଖର୍ଚ୍ଚ ବହୁତ ବଢ଼ିଯିବ। ତେଲ କିଣିବା ଲାଗି ଭାରତକୁ ଅଧିକ ୨୦୦ କୋଟି ଡଲାର ଖର୍ଚ୍ଚ କରିବାକୁ ପଡ଼ିପାରେ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତି ସୃଷ୍ଟି ହେଲେ ଦେଶର ଚଳନ୍ତୀ ଜମା ନିଅଣ୍ଟ ବେଲଗାମ ହୋଇଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ କହିଛନ୍ତି ଯେ, ତେଲ ଦରରେ କୌଣସି ପ୍ରକାର ବୃଦ୍ଧି ହେଲେ ତାହା ଦେଶର ଚଳନ୍ତୀ ଜମା ନିଅଣ୍ଟ ପ୍ରତି ବିପଦ ସୃଷ୍ଟି ହେବ। ତେଲ ବଜାର ସଙ୍କଟ ଯୋଗୁ ସର୍ବାଧିକ ପ୍ରଭାବିତ ହେବ ଟଙ୍କା। ଏହାର ମୂଲ୍ୟ ଡଲାର ତୁଳନାରେ ବହୁତ କମିଯିବ ବୋଲି ସିଙ୍ଗାପୁରର ଡିବିଏସ୍‌ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ ଆକଳନ କରିଛି। ତେଲ କିଣିବା ଲାଗି ଆମଦାନିକାରୀମାନେ ଅଧିକ ଡଲାର କିଣିବେ। ଏହାର ପ୍ରଭାବରେ ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ହୋଇପଡ଼ିବ। ଆଜି ଏକ ଆମେରିକୀୟ ଡଲାର ଦାମ୍ ୬୮ ପଇସା ବଢ଼ିଯାଇଛି। ଏକ ଡଲାର କିଣିବା ଲାଗି ୭୧ ଟଙ୍କା ୨୦ ପଇସା ଗଣିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର