ଏଫ୍‌ଆର୍‌ଡିଆଇ ବିଲ୍‌କୁ ବିରୋଧ: ଅନଲାଇନ୍‌ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଫାଇନାନ୍ସିଆଲ ରିଜୋଲ୍ୟୁସନ୍‌ ଆଣ୍ଡ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ (ଏଫ୍‌ଆର୍‌ଡିଆଇ) ବିଲ୍‌ ବିରୋଧରେ ଚାଲିଥିବା ଅନ୍‌ଲାଇନ୍‌ ଅଭିଯାନକୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। ଚେଞ୍ଜ୍‌ ଡଟ୍‌ ଓଆର୍‌ଜିରେ ଶିଳ୍ପା ଶ୍ରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନକୁ ଏହି ସଫଳତା ମିଳିଛି। ଶିଳ୍ପା ଶ୍ରୀଙ୍କ ଏହି ଅଭିଯାନର ଶୀର୍ଷକ ରହିଛି କୁପରିଚାଳିତ ବ୍ୟାଙ୍କକୁ ଉଦ୍ଧାର କରିବା ପାଇଁ ‘ନିରୀହ ଜମାକାରୀଙ୍କ ଅର୍ଥକୁ ବ୍ୟବହାର କରନାହିଁ’। ଏହି ଅନ୍‌ଲାଇନ୍‌ ଅଭିଯାନରେ ଏପର୍ଯ୍ୟନ୍ତ ପାଖାପାଖି ୭୦ ହଜାର ଦସ୍ତଖତ ମିଳିଲାଣି। ଦେବାଳିଆ ଦ୍ୱାରଦେଶରେ ପହଞ୍ଚିଥିବା ଗୋଟିଏ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଜମାକାରୀଙ୍କ ଅର୍ଥ ବ୍ୟବହାର ଲାଗି ପ୍ରସ୍ତାବିତ ଏଫ୍‌ଆର୍‌ଡିଆଇ ବିଲ୍‌ରେ ବ୍ୟବସ୍ଥା ରହିଛି। ଜମାକାରୀମାନେ ବ୍ୟାଙ୍କରେ ସେମାନଙ୍କ ଅର୍ଥ ଜମା କରିଥିଲେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ତାହାକୁ ଫାଙ୍କି ଦେଇପାରିବେ। ଆମେ ଆମର କଷ୍ଟ ଉପାର୍ଜିତ ଅର୍ଥକୁ ପରବର୍ତୀ ପିଢ଼ି ବା ପିଲାମାନଙ୍କ ପାଇଁ ସଞ୍ଚୟ କରିଥିଲେ ମଧ୍ୟ ତାହା କାମରେ ଆସିବ ନାହିଁ। ତେଣୁ ପ୍ରସ୍ତାବିତ ଏଫ୍‌ଆର୍‌ଡିଆଇ ବିଲ୍‌ରୁ ‘ବେଲ୍‌ ଇନ୍‌’ ବ୍ୟବସ୍ଥାକୁ ବାଦ୍‌ ଦେବା ଲାଗି ଏହି ଅଭିଯାନ ମାଧ୍ୟମରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଜଣାଯାଉଛି ବୋଲି ଆବେଦନରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ଅଗଷ୍ଟରେ ଲୋକସଭାରେ ଏହି ବିଲ୍‌କୁ ସରକାର ଆଗତ କରିଥିଲେ। ଏହାପରେ ଉକ୍ତ ବିଲ୍‌କୁ ସଂସଦର ଯୁଗ୍ମ କିମିଟି ନିକଟକୁ ପଠାଇ ଦିଆଯାଇଛି। ଆସନ୍ତା ଶୀତ ଅଧିବେଶନରେ ଏହି ବିଲ୍‌ ପୁଣି ସଂସଦକୁ ଆସିବ।

ସମ୍ବନ୍ଧିତ ଖବର