କରୋନା ମୁକାବିଲା ପାଇଁ ଲୋକଙ୍କୁ କେବଳ ଘରେ ରଖିଲେ ଚଳିବନି: ରାଜନ

ନୂଆଦିଲ୍ଲୀ: କରୋନା ଭୂତାଣୁ ବ୍ୟାପବାକୁ ରୋକିବା ଲାଗି ଭାରତ ସରକାର ସାରା ଦେଶକୁ ୨୧ ଦିନ ପାଇଁ ତାଲା ବନ୍ଦ କରିଛନ୍ତି। ଭୂତାଣୁକୁ ରୋକିବା ଲାଗି କେବଳ ଲୋକମାନଙ୍କୁ ଘରେ ରଖିବା ଯଥେଷ୍ଟ ନୁହେଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଲା ବନ୍ଦ କାରଣରୁ ଲୋକମାନେ କର୍ମ କ୍ଷେତ୍ରକୁ ଯାଇନପାରି ଘରେ ରହୁଛନ୍ତି। ସେମାନେ ଯେଉଁ ସ୍ଥାନରେ ରହୁଛନ୍ତି ତାହା ଏକ ଏକାନ୍ତବାସ କରିବା ଭଳି ସ୍ଥାନ ହୋଇନପାରେ। ବସ୍ତି ଭଳି ସ୍ଥାନ ବି ଅଛି ଯେଉଁଠାରେ ଲୋକମାନେ ଏକାଠି ହୋଇ ରହୁଛନ୍ତି। ତାଲା ବନ୍ଦ ଦ୍ବାରା ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ ନାହିଁ। କିନ୍ତୁ ଏହା ଦ୍ବାରା ସମାଜର ଗରିବ ଲୋକଙ୍କ ପାଇଁ ଅନେକ କଠିନ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଦେଶରେ ୨୧ ଦିନିଆ ତାଲା ବନ୍ଦ ଘୋଷଣା କରାଯାଇଥିବାରୁ ବେପାର ବଣିଜ ଠାରୁ ଆରମ୍ଭ କରି ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। କୋଟି କୋଟି ଲୋକ କାମରୁ ବାହାରି ଆସିଛନ୍ତି। ଅନେକ ଲୋକ ଖାଦ୍ୟ ଓ ଔଷଧ ଭଳି ମୌଳିକ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି। ଭାରତର ଜନସଂଖ୍ୟା ସାନ୍ଦ୍ରତା ଅଧିକ ଥିବାରୁ ସେଠାରେ କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଛି। ଦେଶର ଦୁର୍ବଳ ଭିତ୍ତିଭୂମି ଯୋଗୁଁ ସରକାର କରୋନାର ଠିକ୍ ଭାବେ ମୁକାବିଲା କରିପାରିବେ ନାହିଁ। ସବୁ ପ୍ରକାର ସମ୍ବଳକୁ ଏକଜୁଟ କରି ଏହି ସଙ୍କଟକୁ ସାମ୍ନା କରିବାକୁ ହେବ ବୋଲି ରାଜନ କହିଛନ୍ତି।

ଜୀବିକା ହରାଇଥିବା ଲୋକମାନଙ୍କ ହାତରେ ଟଙ୍କା ଦେବାକୁ ସେ ଆହ୍ବାନ ଦେଇଛନ୍ତି। ଏହା ହେଲେ ସେମାନେ ତାହାକୁ ଖାଦ୍ୟପଦାର୍ଥ କିଣିବା ପାଇଁ ଖର୍ଚ୍ଚ କରିପାରିବେ ବୋଲି ସେ କହିଛନ୍ତି। ସାରା ବିଶ୍ବ ଏହି ସଙ୍କଟର କିଭଳି ମୁକାବିଲା କରିବା ଦରକାର ବୋଲି ପ୍ରଶ୍ନ କରାଯିବାରୁ ରାଜନ କହିଛନ୍ତି ଯେ, ବିଶ୍ବର ସବୁ ସ୍ଥାନରୁ ଏହି ଭୂତାଣୁ ହଟିବା ଦରକାର। ଯଦି ତାହା ନହେବ ତେବେ ପୁଣି ଥରେ ଏଭଳି ସ୍ଥିତି ଫେରିବା ଆଶଙ୍କା ରହିଛି। ବର୍ତ୍ତମାନ ବିଭିନ୍ନ ଦେଶ ପ୍ରଥମେ ନିଜ ପାଇଁ ମେଡିକାଲ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଛନ୍ତି। କେବଳ ସେତିକି କଲେ ଚଳିବ ନାହିଁ। ଅନ୍ୟମାନଙ୍କ କଥା ବି ବିଚାର କରିବାକୁ ହେବ। ବିଶେଷ କରି ଅଳ୍ପ ଉନ୍ନତ ଦେଶଗୁଡ଼ିକ ବିଷୟରେ ଧନୀକ ଶ୍ରେଣୀର ଦେଶଗୁଡ଼ିକ ଚିନ୍ତା କରିବା ଦରକାର। ସେମାନଙ୍କ ପାଇଁ ସମ୍ବଳ ଯୋଗାଇ ଦେବା ଦରକାର ବୋଲି ରାଜନ କହିଛନ୍ତି।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ପ୍ୟାକେଜ ଘୋଷଣା କରିବା ପୂର୍ବରୁ ରାଜନଙ୍କ ସାକ୍ଷାତକାର ଗଣମାଧ୍ୟମରେ ପ୍ରକାଶ ପାଇସାରିଥିଲା।

ସମ୍ବନ୍ଧିତ ଖବର