ବିଟ୍‌କଏନ୍‌ ଏକ୍ସଚେଞ୍ଜ ଉପରେ ଚଢ଼ଉ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିଟ୍‌କଏନ୍‌ ଏକ୍ସଚେଞ୍ଜ ଉପରେ ଟିକସ ଅଧିକାରୀମାନେ ଚଢ଼ଉ କରିଛନ୍ତି। ଆୟକର ବିଭାଗର ବାଙ୍ଗାଲୋର ତଦନ୍ତ ଶାଖା ନେତୃତ୍ୱରେ ଟିକସ ଅଧିକାରୀଙ୍କ ଟିମ୍‌ ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ, କୋଚି ଏବଂ ଗୁରୁଗ୍ରାମ ଆଦି ସହରରେ ଥିବା ବିଟକଏନ୍‌ ଏକ୍ସଚେଞ୍ଜ ଉପରେ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ ଟିକସ ଅଧିକାରୀମାନେ ବିଟକଏନ୍‌ କାରବାର ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। କେଉଁମାନେ ବିଟକଏନ୍‌ କାରବାର ସହ ଜଡ଼ିତ, ନିବେଶକ ଓ ବ୍ୟବସାୟୀଙ୍କ ପରିଚୟ, କେତେକ ପରିମାଣର କାରବାର ହେଉଛି, ଅପରପକ୍ଷର ପରିଚୟ ଏବଂ କେଉଁ ବ୍ୟାଙ୍କ ଖାତାକୁ ବ୍ୟବହାର କରାଯାଉଥିବା ଭଳି ତଥ୍ୟ ସେମାନେ ସଂଗ୍ରହ କରିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ବିଟକଏନ୍‌ କାରବାର ଉପରେ ଏଭଳି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକ ବିଟକଏନ୍‌ର ମୂଲ୍ୟ ୧୦ ହଜାର ଡଲାରରୁ ଅଧିକ ହୋଇଯାଇଛି। ଏହା ଜରିଆରେ କଳାଧନକୁ ଧଳା କରାଯାଉଥିବା ସରକାରଙ୍କ ସନ୍ଦେହ ହେଉଛି। ବିଟ୍‌କଏନ୍‌ କାରବାର ଉପରେ କାହାର ନିୟନ୍ତ୍ରଣ ନାହିଁ। ତେଣୁ ଏଭଳି କାରବାର ବହୁତ ବିପଦପୂର୍ଣ୍ଣ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଅନେକ ଥର ଚେତାବନୀ ପ୍ରଦାନ କରିସାରିଲାଣି। ବିଟକଏନ୍‌କୁ ନେଇ ସରକାରଙ୍କର କ’ଣ ଆଭିମୁଖ୍ୟ ରହିଛି ତାହା ଜାଣିବାକୁ ସୁପ୍ରିମକୋର୍ଟ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି।

ବିଶ୍ୱର ଏଭଳି କୌଣସି ରାଷ୍ଟ୍ର ନାହିଁ ଯାହା ବିଟ୍‌କଏନ୍‌ ଉପରେ ନିୟନ୍ତ୍ରଣ ହାସଲ କରିପାରିଛି। ଏହାକୁ ନେଇ ବିଶ୍ୱର ପ୍ରାୟ ସବୁ ଦେଶର ସରକାର ଚିନ୍ତିତ ରହିଛନ୍ତି। ବିଶ୍ୱରେ ଯେତିକି ପରିମାଣର ବିଟକଏନ୍‌ ରହିଛି ତାହାର ମୂଲ୍ୟ ୨୦,୦୦୦ କୋଟି ଡଲାର ହେବ। ବିଟକଏନ୍‌ର ମୂଲ୍ୟ ବିଗତ ଦୁଇ ମାସ ଭିତରେ ୨୦୦% ବଢ଼ିଛି।

ବିଲ୍‌ ଗେଟସ୍‌ ସବୁ ବିଟ୍‌କଏନ୍‌ କିଣିପାରିବେନି
• ବିଲ୍‌ ଗେଟସ୍‌ ଚାହିଁଲେ ସବୁ ବିଟକଏନ୍‌ କିଣିପାରିବେନି
• ବିଲ୍‌ ଗେଟସ୍‌, ଓ୍ଵାରେନ୍‌ ବଫେ ଏବଂ ରାଣୀ ଏଲିଜାବେଥ୍‌ ଏକାସଙ୍ଗେ ମିଶିଲେ ବି ସବୁ ବିଟ୍‌କଏନ୍‌ କିଣିପାରିବେନି
• ବିଟକଏନ୍‌ର ମୂଲ୍ୟ ୫ ବର୍ଷ ଭିତରେ ୨,୦୦,୦୦୦% ବଢ଼ିଛି
• ବିଟକଏନ୍‌ରେ ମ୍ୟାକ୍‌ଡୋନାଲ୍‌ଡକୁ କିଣିହେବ
• ଆଲ୍‌ଜେରିଆ, ଇରାକ, ନ୍ୟୁଜିଲ୍ୟାଣ୍ଡ୍‌, ରୋମାନିଆ ଭଳି ରାଷ୍ଟ୍ରର ଅର୍ଥନୀତିଠାରୁ ବିଟ୍‌କଏନ୍‌ ବଜାର ବଡ଼
• ଗୋଲଡ୍‌ମ୍ୟାନ୍‌ ସଚସ୍‌ ଓ ୟୁଏସ୍‌ବି ଭଳି ବିଶ୍ୱର ଦୁଇଟି ବଡ଼ ବ୍ୟାଙ୍କଠାରୁ ବିଟ୍‌କଏନ୍‌ ବଜାର ବଡ଼
• ବିମାନ ନିର୍ମାଣ କରୁଥିବା ସଂସ୍ଥା ବୋଇଙ୍ଗ୍‌କୁ ବିଟ୍‌୍‌କଏନ୍‌ ଜରିଆରେ କିଣିହେବ
• ବର୍ଷକ ଭିତରେ ବିଟ୍‌କଏନ୍‌ ମୂଲ୍ୟ ୨୦୦୦% ବଢ଼ିଛି

ବିଟକଏନ୍‌ କ’ଣ?

ବିଟକଏନ୍‌ ହେଉଛି ଏକ ଡିଜିଟାଲ୍‌ ମୁଦ୍ରା। ଏହା କେବଳ ଇଣ୍ଟରନେଟ୍‌ ଜଗତରେ ସକ୍ରିୟ। ଏହାକୁ ବ୍ୟବହାର କରି ଲୋକମାନେ ସାମଗ୍ରୀ ଖରିଦ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ସେବା ମଧ୍ୟ ହାସଲ କରିପାରୁଛନ୍ତି। ଏହି ମୁଦ୍ରା କାରବାର କରିବା ପାଇଁ ବ୍ୟାଙ୍କ, କ୍ରେଡିଟ୍‌ କାର୍ଡ ଏବଂ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ। ୨୦୦୮ରେ ଏକ ଅଜଣା ଗୋଷ୍ଠୀ ଦ୍ୱାରା ବିଟକଏନ୍‌ ପ୍ରଚଳନ ଆରମ୍ଭ କରାଯାଇଥିଲା। ଏକ କ୍ରିପ୍‌ଟୋକରେନ୍‌ସି ଏବଂ ଇଲେକ୍‌ଟ୍ରୋନିକ୍ସ ପେମେଣ୍ଟ୍‌ ବ୍ୟବସ୍ଥା ଭାବେ ଏହାକୁ ବ୍ୟବହାର କରାଯାଉଛି। କୌଣସି ଆର୍ଥିକ ସଂସ୍ଥାର ସହାୟତା ବିନା ଏହି ମୁଦ୍ରା ଜରିଆରେ କାରବାର ହୋଇପାରୁଛି। ବିଟକଏନ୍‌କୁ ଏକ୍ସଚେଞ୍ଜ ଜରିଆରେ ଡଲାର ଏବଂ ଅନ୍ୟ ମୁଦ୍ରାରେ ବଦଳାଇ ହେଉଛି। ବିଟକଏନ୍‌କୁ ଏକ୍ସଚେଞ୍ଜ ଜରିଆରେ ଯେ କେହି କିଣାବିକା ମଧ୍ୟ କରିପାରୁଛନ୍ତି। ବିଟକଏନ୍‌ ବାସ୍ତବରେ ଏକ କମ୍ପ୍ୟୁଟର କୋଡ୍‌। ଏହା ଜଣେ ମାଲିକଙ୍କଠାରୁ ଅନ୍ୟ ଜଣକଙ୍କ ପାଖକୁ ଯିବା ପାଇଁ ପ୍ରତି ଥର ଡିଜିଟାଲ୍‌ ସ୍ୱାକ୍ଷର ଦରକାର। ଟିକସ ଠକିବା, ଲୁଚାଛପାରେ କାରବାର କରିବାକୁ ଚାହୁଁଥିବା ଲୋକମାନଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟ।

ସମ୍ବନ୍ଧିତ ଖବର