ରେଳବଜେଟ : ପୂର୍ବତଟ ରେଳବାଇ ପାଇଁ ୬୫୬୩ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର: ଚଳିତ ବଜେଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ୫୨୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ଗତ ବର୍ଷର ବ୍ୟୟ ବରାଦ ୫୧୦୨ କୋଟି ଟଙ୍କା ତୁଳନାରେ ମାତ୍ର ୨.୯ ପ୍ରତିଶତ ଅଧିକ । କିନ୍ତୁ ଏବର୍ଷ ରେଳ ବଜେଟରେ ଓଡ଼ିଶା ସରକାର ୬୫୦୦ କୋଟି ଟଙ୍କା ଦାବି କରିଥିଲେ । ବ୍ୟୟବରାଦ ହୋଇଥିବା ଏହି ୫୨୫୨ କୋଟି ମଧ୍ୟରୁ ନୂଆ ଲାଇନ ପ୍ରକଳ୍ପ ପାଇଁ ୪୭୭ କୋଟି ଟଙ୍କା ଓ ଦୋହରୀକରଣ ପାଇଁ ୧୫୦ କୋଟି ଟଙ୍କା ଓ ଯାତ୍ରୀ ସୁବିଧା ପାଇଁ ୫୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ସାମଗ୍ରିକ ଭାବେ ପୂର୍ବତଟ ରେଳବାଇ ପାଇଁ ବଜେଟ୍‌ରେ ମୋଟ ୬୫୬୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ଆଜି ଅପରାହ୍ନରେ ପୂର୍ବତଟ ରେଳବାଇ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ ରାଜ୍ୟରେ ରେଳ ପ୍ରକଳ୍ପ ଗୁଡିକ ପାଇଁ ଅର୍ଥର ଅଭାବ ରହିବ ନାହିଁ । ସବୁ ଲାଇନର ବିଦ୍ୟୁତକରଣ କରାଯିବ ଓ ସବୁ ଷ୍ଟେସନର ଉନ୍ନତି କରାଯିବ ।

ତେବେ ସବୁ ବର୍ଷ ପରି ଏ ବର୍ଷ ରେଳବାଇ ତରଫରୁ ଓଡ଼ିଶାକୁ ଉପେକ୍ଷା କରାଯାଇଛି ବୋଲି ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ରେଳବାଇ ଓଡ଼ିଶାରୁ ପ୍ରାୟ ୧୫୦୦ କୋଟି ଟଙ୍କାର ରାଜସ୍ୱ ପାଉଥିବା ସତ୍ତ୍ୱେ ସେହି ଅନୁପାତରେ ଅନୁଦାନ ମିଳୁନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଉଭୟଙ୍କର ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଏନଡିଏ ସରକାର ଓଡ଼ିଶାରେ ରେଳବାଇର ବିକାଶ କ୍ଷେତ୍ରରେ ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । ୟୁପିଏ ସରକାରଙ୍କ ଅମଳରେ ରେଳବାଇ ଅନୁଦାନ ଚାରି ଅଙ୍କ ଛୁଉଁନଥିଲା ବୋଲି ଦଳ କହିଛି ।

 

ରେଳମନ୍ତ୍ରାଳୟର ସୂଚନା ଅନୁସାରେ ରାଜ୍ୟ ବର୍ତ୍ତମାନ ୩୬ଟି ରେଳ ପକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ୪୩, ୭୫୧ କୋଟି ବ୍ୟୟବରାଦରେ ପ୍ରାୟ ୪,୭୫୦ କିଲୋମିଟରର ରେଳ ପ୍ରକଳ୍ପ କାମ ଚାଲୁଛି । ଏଥିପାଇଁ ରାଜ୍ୟକୁ ୫୨୫୨ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି । ୨୦୦୯ରୁ ୨୦୧୪ ମଧ୍ୟରେ ଅର୍ଥାତ ୟୁପିଏ ଶାସନ ଅମଳରେ ଓଡ଼ିଶାକୁ ରେଳ ବଜେଟରେ   ହାରାହାରି ବାର୍ଷିକ ୮୩୮ କୋଟି ଟଙ୍କା ଅନୁଦାନ ମିଳୁଥିଲା । ମାତ୍ର ଏନଡିଏ ସରକାର ଅମଳରେ ଆର୍ଥିକ ବର୍ଷ ୨୦୧୮-୧୯ରେ ଓଡ଼ିଶାକୁ ମଳିଥିବା ଅନୁଦାନକୁ ତୁଳନା କଲେ ୫୨୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ରେଳ ମନ୍ତ୍ରାଳୟ କହିଛି ।

ଏଠାରେ ସୂଚାନଯୋଗ୍ୟ, ରାଜ୍ୟର ସବୁ ଜିଲ୍ଲାକୁ ରେଳ ସଂଯୋଗ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁୟାରୀ ୧୭ ତାରିଖରେ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ବଜେଟରେ ଓଡିଶାକୁ ୬୫୦୦ କୋଟି ଟଙ୍କାର ଅନୁଦାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଚିଠିରେ ଦାବି କରିଥିଲେ ।

ସମ୍ବନ୍ଧିତ ଖବର