ଯାତ୍ରୀ, ମାଲ୍‌ ଭଡ଼ା ବଢ଼ିଲାନି, ବ୍ୟୟ ବରାଦ ୬୪,୫୮୭ କୋଟି

ଯାତ୍ରୀ, ମାଲ୍‌ ଭଡ଼ା ବଢ଼ିଲାନି
ନୂଆଦିଲ୍ଲୀ: କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇ ପାଇଁ ୧ ଲକ୍ଷ ୫୮ ହଜାର ୬୫୮ କୋଟି ଟଙ୍କା ପୁଞ୍ଜି ବ୍ୟୟ ବରାଦ ଅନ୍ତରୀଣ ବଜେଟରେ କରିଛନ୍ତି। ରେଳବାଇକୁ ବଜେଟ ସହାୟତା ବାବଦରେ ୬୪,୫୮୭ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ରେଳ ଯାତ୍ରୀ ଭଡ଼ା କିମ୍ବା ମାଲ ମାହାସୁଲରେ କୌଣସି ବୃଦ୍ଧି କରାଯାଇ ନାହିଁ। ରେଳମନ୍ତ୍ରୀ କହିଛନ୍ତି‌, ରେଳବାଇ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ଏପର୍ଯ୍ୟନ୍ତ ସବୁଠୁ ନିରାପଦ ବର୍ଷ ହୋଇ ପାରିଛି। ବ୍ରଡ୍ ଗେଜ୍‌ରେ ମାନବ ବିହୀନ ରେଳ ଫାଟକ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଦେଶରେ ବିକାଶ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ରେଳଯାତ୍ରା ବେଳେ ଯାତ୍ରୀମାନେ ଭିନ୍ନ ଅନୁଭୂତି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ରେଳର ପରିଚାଳନା ଅନୁପାତ ୨୦୧୭-୧୮‌ରେ ୯୮.୪ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏଥିରେ ଉନ୍ନତି ଆସିଛି ଏବଂ ଏହା ୯୬.୨ ପ୍ରତିଶତରେ ରହିଛି। ଆସନ୍ତା ଆର୍ଥିକ ବର୍ଷ ଏହି ଅନୁପାତକୁ ୯୫ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ରେଳବାଇ ଯେଉଁ ବ୍ୟୟବରାଦ ବଜେଟରେ ରଖାଯାଇଛି ସେଥିମଧ୍ୟରୁ ଯାତ୍ରୀଙ୍କୁ ଆରାମ ବାବଦରେ ୧୦୦୦ କୋଟି, ଯାତ୍ରୀଙ୍କ ସୁବିଧା ଲାଗି ୩୪୨୨ କୋଟି, ନୂଆ ରେଳଧାରଣା ନିର୍ମାଣ ବାବଦରେ ୭୨୫୫ କୋଟି, ଗେଜ୍ ପରିବର୍ତନ ଲାଗି ୨୨୦୦ କୋଟି, ଦୋହରୀକରଣ ବାବଦରେ ୭୦୦ କୋଟି, ରୋଲିଂ ଷ୍ଟକ୍ସ ବାବଦରେ ୬୧୧୪.୮୨ କୋଟି ଏବଂ ସିଗନାଲିଂ ଓ ଟେଲିକମ୍ ବାବଦରେ ୧୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଗୋ ସମ୍ପଦ ପାଇଁ ୭୫୦ କୋଟି


ଗୋସମ୍ପଦ ପାଇଁ ‌କାମଧେନୁ ଯୋଜନା ନାମକ ନୂତନ ସ୍କିମ୍ ଘୋଷଣା କରାଯାଇଛି। ସେମାନଙ୍କ ପାଇଁ ଜାତୀୟ କାମଧେନୁ ଆୟୋଗ ମଧ୍ୟ ଗଠନ କରାଯିବ। ଏହି ଯୋଜନାରେ ୭୫୦ କୋଟି ଟଙ୍କା ଖର୍ଚ ହେବ। ଗୋସମ୍ପଦର ସମ୍ମାନରେ ଏହି ଯୋଜନା ଆରମ୍ଭ କରାଯାଇଛି।

କୃତ୍ରିମ ବୁଦ୍ଧିମତା‌ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ପାଇଁ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ପ୍ରଯୁକ୍ତିର ଲାଭକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯିବ। ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ସହିତ ଏକ ହବ୍ ଭାବେ ରାଷ୍ଟ୍ରୀୟ କେନ୍ଦ୍ର ସ୍ଥାପନ କରାଯିବା ଦ୍ବାରା ଏହି କାମ ଶୀଘ୍ର ହୋଇପାରିବ। ଖୁବ୍‌ଶୀଘ୍ର ଏକ ରାଷ୍ଟ୍ରୀୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପୋର୍ଟାଲ୍ ମଧ୍ୟ ବିକଶିତ କରାଯିବ।

ଏସ୍‌ସି, ଏସ୍‌ଟିଙ୍କ ବିକାଶ ପାଇଁ ୭୬୮୦୧ କୋଟି
ତଫସିଲଭୁକ୍ତ ଜାତି ଓ ଜନଜାତି ବା ଏସସି ଓ ଏସଟି ବର୍ଗର ଲୋକଙ୍କ ବିକାଶ ପାଇଁ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ମୋଟ ୭୬୮୦୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଚଳିତ ଆର୍ଥିକବର୍ଷର ବଜେଟ ଅଟକଳରେ ଏହି ରାଶି ୫୬୬୧୯ କୋଟି ଟଙ୍କା ଥିବାବେଳେ ସଂଶୋଧିତ ଅଟକଳରେ ଏହା ୬୨୪୭୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧୮-୧୯ ବଜେଟ ଅଟକଳ ତୁଳନାରେ ୨୦୧୯-୨୦ ବଜେଟ ଅଟକଳରେ ଏସସି ଓ ଏସଟି ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟୟବରାଦ ୩୫.୬ ପ୍ରତିଶତ ବୃଦ୍ଧି କରାଯାଇଛି। ଏସଟି ବର୍ଗର ଲୋକଙ୍କ ପାଇଁ ଚଳିତ ଆର୍ଥିକ ବର୍ଷରେ ବ୍ୟୟବରାଦ ୩୯୧୩୫ କୋଟି ଟଙ୍କା ଥିବାବେଳେ ଅନ୍ତରୀଣ ବଜେଟରେ ଏହା ୫୦୦୮୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ୨୦୧୮-୧୯ ତୁଳନାରେ ଏଥିରେ ୨୮ ପ୍ରତିଶତ ଅଧିକ ବ୍ୟୟ ପ୍ରସ୍ତାବ ରଖାଯାଇଛି।

ସମ୍ବନ୍ଧିତ ଖବର