ବର୍ଷା ବୁଡ଼ାଇଲା ବେପାର:ବିକ୍ରି କମିଲା ୬୦%

ଭୁବନେଶ୍ୱର: ଲଗାଣ ବର୍ଷା ବ୍ୟବସାୟ ଜଗତକୁ ପ୍ରଭାବିତ କରିଛି। ସାଧାରଣ ଦିନଗୁଡ଼ିକରେ ଯେତିକି କାରବାର ହୁଏ ତାହା ଆଜି ଯଥେଷ୍ଟ କମିଯାଇଛି। ଆଜି ୬୦% କମ୍‌ କାରବାର ହୋଇଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି।
ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ବର୍ଷା ହେଲେ ବ୍ୟବସାୟ ପ୍ରଭାବିତ ହେବା ସ୍ୱାଭାବିକ କଥା। ଉଭୟ ଖୁଚୁରା ଓ ପାଇକାରୀ ବଜାର ପ୍ରଭାବିତ ହୋଇଥାଏ। ପାଇକାରୀ ବଜାରରୁ ମାଲ୍‌ ଉଠାଣ କମିଯାଏ। କସ୍‌ମେଟିକ୍‌, ଇଲେକ୍‌ଟ୍ରିକ୍‌, ଇଲେ୍‌ଟ୍ରୋନିକ୍ସ ସାମଗ୍ରୀ, ଷ୍ଟେସନାରି ଆଦି ଜିନିଷଗୁଡ଼ିକର ବିକ୍ରି ଅଧିକ ପ୍ରଭାବିତ ହୁଏ। ଡାଲି, ଚାଉଳ, ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ମଧ୍ୟ କମ୍‌ ହୋଇଥାଏ। କିନ୍ତୁ, ଏହି ସବୁ ସାମଗ୍ରୀର ବିକ୍ରି ଯେତେ ବର୍ଷା ହେଲେ ମଧ୍ୟ ବନ୍ଦ ହୁଏ ନାହିଁ। କିନ୍ତୁ ସୌଖୀନ୍‌ ଜିନିଷ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ଦୋକାନରେ ଗ୍ରାହକ ପ୍ରବେଶ କରନ୍ତି ନାହିଁ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜି ଆଇଗିଣିଆ ଆଳୁ ମଣ୍ଡି, ଏକ ନମ୍ବର ହାଟ, ସହିଦ ନଗର, ଆଇଡି ମାର୍କେଟ୍‌ ଆଦିରେ କମ୍‌ କାରବାର ହୋଇଛି।
ବର୍ଷା ଦିନରେ ଗ୍ରାହକ ନଆସିଲେ ବଡ଼ ଦୋକାନୀମାନେ ଅଧିକ କ୍ଷତି ସହିଥାନ୍ତି। କାରଣ ସେମାନଙ୍କୁ ପ୍ରତି ମାସରେ ଦୋକାନ ପାଇଁ ଅଧିକ ଭଡ଼ା ଗଣିବାକୁ ପଡ଼ିଥାଏ। ସେଭଳି ଦୋକାନରେ ଅଧିକ କର୍ମଚାରୀ ଥାଆନ୍ତି। ଦୋକାନଗୁଡ଼ିକ ଶୀତତାପ ନିୟନ୍ତ୍ରିତ ହୋଇଥିବାରୁ ବିଦ୍ୟୁତ ବିଲ୍‌ ଅଧିକ ଆସିଥାଏ। ନିଜର ସବୁ ପ୍ରକାର ଖର୍ଚ ମେଣ୍ଟାଇବାକୁ ହେଲେ ଏହି ସବୁ ଦୋକାନଗୁଡ଼ିକରେ ବିକ୍ରି ପରିମାଣ ଏକ ନିର୍ଦିଷ୍ଟ ସ୍ତରରୁ ଅଧିକ ହେବା ଦରକାର। ଅନ୍ୟଥା ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି।
ସେ କହିଲେ, ବର୍ଷା ଯୋଗୁଁ କେବଳ ଦୋକାନ ବଜାରର କାରବାର ମାନ୍ଦା ହୁଏ ନାହିଁ। ଏହାର ପ୍ରଭାବ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ରହିଛି। ପରିବହନ ଓ ଯାତାୟାତ କ୍ଷେତ୍ର ପ୍ରଭାବିତ ହୋଇଥାଏ। ମାଲ୍‌ ପରିବହନରେ ଲାଗିଥିବା ଗାଡ଼ିଗୁଡ଼ିକୁ ଅଧିକ କାମ ମିଳେନାହିଁ। ସେମାନଙ୍କୁ ଗାଡ଼ି ଠିଆ କରିବାକୁ ପଡ଼େ। ବସ୍‌ରେ ଯାତ୍ରୀ ଭିଡ଼ କମିଯାଏ। କେତେକ ସ୍ଥାନରେ ବସ୍‌ଗୁଡ଼ିକର ତେଲ ଖର୍ଚ ମଧ୍ୟ ଅସୁଲ ହୋଇପାରେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର