ରାଜସ୍ଥାନ ଔଷଧ ନିୟନ୍ତ୍ରକ ବୋର୍ଡ ୪ଟି ବଡ଼ କମ୍ପାନିର ଔଷଧକୁ  ନିମ୍ନମାନର ବୋଲି ଘୋଷଣା କଲା, ଜାଣନ୍ତୁ ସେ ଔଷଧ କ’ଣ

ଜୟପୁର: ରାଜସ୍ଥାନ ଔଷଧ ନିୟନ୍ତ୍ରକ ବୋର୍ଡ ଚାରିଟି ବଡ଼ କମ୍ପାନିର ଔଷଧକୁ  ନିମ୍ନମାନର ଘୋଷଣା କରିଛି।  ଦେଶର ଚାରିଟି ବଡ଼ ଔଷଧ କମ୍ପାନି ସିପ୍ଲା, ସନ୍‌ ଫାର୍ମାସିଟିକାଲସ ଇଣ୍ଡଷ୍ଟ୍ରିଜ, ଆରିସ୍ତୋ ଫାର୍ମାସୁଟିକାଲ୍ସ ଓ ଅାଲକେମ୍‌ ଲେବୋରେଟରିର  ଔଷଧର ମାନ ଅତି ନିମ୍ନସ୍ତରର ବୋଲି  ପରୀକ୍ଷାରୁ ଜଣାପଡ଼ିଛି। ବୋର୍ଡ ନିଜର ଡ୍ରଗ୍‌ କଣ୍ଟ୍ରୋଲ ଅଧିକାରୀଙ୍କୁ ଏହି କମ୍ପାନିଙ୍କ ଔଷଧକୁ ତୁରନ୍ତ ମାର୍କେଟରୁ ହଟାଇ ଦେବା ପାଇଁ ନିର୍ଦ୍ଦେଶ ଦେବା ସହିତ ସୁନିଶ୍ଚିତ କରି ଦେଇଛି କି, କୌଣସି ରୋଗୀ ଏହି ଔଷଧର ସେବନ କରନ୍ତୁ ନାହିଁ।

ଅନ୍ୟପକ୍ଷରେ ଏହି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନିଙ୍କ କହିବାନୁସାରେ, ବୋର୍ଡ ଯେଉଁ ସ୍ୟାମ୍ପଲକୁ ଯାଞ୍ଚ କରିଛି ତାହା ନକଲି ଔଷଧ ଥିଲା। ତେଣୁ ଏଭଳି ରିପୋର୍ଟ ବାହାରିଲା।

ପ୍ରକାଶିତ ଖବର ମୁତାବକ, ଅଗଷ୍ଟ ୨ରେ ରାଜସ୍ଥାନ ଔଷଧ ନିୟନ୍ତ୍ରକ ବୋର୍ଡ ଏହି ମାମଲା ନେଇ ସମସ୍ତ ଅଧିକାରୀଙ୍କୁ ପଠାଇଥିବା ବୁଲେଟିନ୍‌ରେ କହିଛି କି, ଏହି ଚାରିଟି କମ୍ପାନିର ୮ଟି ବ୍ରାଣ୍ଡର ଔଷଧର ଗୁଣବତ୍ତା ଖରାପ ରହିଛି। ଏଥିରେ ଅନ୍ୟ ଛୋଟ କମ୍ପାନିର ୯ଟି ବ୍ରାଣ୍ଡ ବି ସାମିଲ ରହିଛି।  ଔଷଧ ନିୟନ୍ତ୍ରକ ବୋର୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି କି, ଡ୍ରଗସ୍‌ ଆଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ଜରିଆରେ ଏହି ଔଷଧ ସେବନ କରିବାକୁ ବାରଣ କରାଯାଇଛି, ଏହାର ଷ୍ଟକ୍‌କୁ ହଟାଇ ରୋଗୀଙ୍କୁ ଅନ୍ୟ ଔଷଧ ଦିଆଯାଉ।

ଔଷଧ ନିୟନ୍ତ୍ରକ ବୋର୍ଡ ସନ୍‌ ଫାର୍ମାସିଟିକଲସର ନାମୀ ବ୍ରାଣ୍ଡ Pantocid DSR ଯାହାର ବ୍ୟାଚ ନମ୍ବର ଇଏମ୍‌ଏସ୍‌ ୨୦୧୬୦କୁ ଖରାପ ପାଇଛି। ଏହି ଔଷଧକୁ ଏସିଡିଟି ପାଇଁ ସେବନ କରାଯାଇଥାଏ। ସେହିପରି ଅାଲକେମ୍‌ ଲେବୋରେଟରିଜର ତିନିଟି ବ୍ରାଣ୍ଡ Clavam 200, Taxim-O 200 ଓ Pan 40ର ଗୁଣବତ୍ତା ବି ଖରାପ ରହିଛି। ଆରିସ୍ତୋ ଫାର୍ମାସୁଟିକଲର Pantop DSR, Pantop 40 ଓ  Monocef-O 200 ଔଷଧର ମାନକ ଖରାପ ପଡ଼ିଛି। କେବଳ ଏତିକି ନୁହେଁ ଥଣ୍ଡା କାଶ ଓ ସଂକ୍ରମଣ ପାଇଁ ସିପ୍ଲାର Montair LCବି ସେବନ ବିପଦଜନକ ରହିଛି।

ସମ୍ବନ୍ଧିତ ଖବର