ଓଡ଼ିଶାର ରାଜୀବ ମିଶ୍ର ହେଲେ ସଫ୍ଟବ୍ୟାଙ୍କ୍‌ର ଇଭିପି

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ ଗ୍ରୁପ୍‌ କର୍ପୋରେସନ୍‌ ଏହାର ଭିଜନ୍‌ ଫଣ୍ଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ଉପସଭାପତି (ଇଭିପି) ପଦରେ ଅବସ୍ଥାପିତ କରିଛି। ଫଳରେ ଟୋକିଓ ଭିତ୍ତିକ ସଫ୍ଟବ୍ୟାଙ୍କ ପ୍ରତିଷ୍ଠାତା ମାସାୟୋସି ସନ୍‌ଙ୍କ ଉତ୍ତରାଧିକାରୀ ହେବା ଦୌଡ଼ର ଶ୍ରୀ ମିଶ୍ର ସାମିଲ ହେଇଛନ୍ତି ବୋଲି କୁହାଯାଉଛି। ୬୦ ବର୍ଷ ବୟସ୍କ ଶ୍ରୀ ସନ୍‌ କଂପାନିରୁ ଅବ୍ୟାହତି ହେବା ପରେ କିଏ କଂପାନିର ଉତ୍ତରାଧିକାରୀ ହେବେ ତାହା ଜଣାପଡ଼ିନି। କିନ୍ତୁ ଶ୍ରୀ ମିଶ୍ରଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବାରୁ ସେ ସନ୍‌ଙ୍କ ପସନ୍ଦର ବ୍ୟକ୍ତି ବୋଲି ଚର୍ଚା ହେଉଛି। ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କୁ ମଧ୍ୟ କମ୍ପାନିର କାର୍ଯ୍ୟନିର୍ବାହୀ ପଦରେ ଅବସ୍ଥାପିତ କରାଯାଇଛି। ତେବେ ଆଗାମୀ ଦିନରେ ହେବାକୁ ଥିବା କମ୍ପାନିର ବାର୍ଷିକ ସାଧାରଣ ବୈଠକରେ ଏମାନଙ୍କ ପଦୋନ୍ନତି ଉପରେ ଅଂଶଧାରୀଙ୍କ ମୋହର ବାଜିବା ଆବଶ୍ୟକ। ୫୬ ବର୍ଷୀୟ ଶ୍ରୀ ମିଶ୍ର ଭିଜନ୍‌ ଫଣ୍ଡ୍‌ର ସିଇଓ ଭାବେ ୨୦୧୬ ମସିହାରେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତରେ ଉବର ଟେକ୍ନୋଲୋଜିଜ୍‌ର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ଶ୍ରୀ ମିଶ୍ରଙ୍କ ଜନ୍ମ ଓଡ଼ିଶାର ବାଲେଶ୍ୱର ସହରର ଭୋଇସାହିରେ। ମେକାନିକାଲ ଇଞ୍ଜିନିଅରିଂରେ ସେ ଆଇଆଇଟି ଦିଲ୍ଲୀରୁ ଡିଗ୍ରି ହାସଲ କରିବା ପରେ ସେ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରି, ସ୍ଲୋଆନ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟ ଡିଗ୍ରି ହାସଲ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ମେରିଲ ଲିଞ୍ଚ୍‌, ଡଏଚ୍‌ ବ୍ୟାଙ୍କ, ୟୁବିଏସ୍‌ ଗ୍ରୁପ୍‌, ଫର୍ଟେସ୍‌ ଇନ୍‌ଭେଷ୍ଟମେଣ୍ଟ ଗ୍ରୁପ୍‌ ଭଳି ଆର୍ଥିକ କମ୍ପାନିରେ କାର୍ଯ୍ୟ କରିଛନ୍ତି। ୨୦୧୪ ନଭେମ୍ବରରେ ସେ ସଫ୍ଟବ୍ୟାଙ୍କରେ ଷ୍ଟ୍ରାଟେଜିକ୍‌ ଫାଇନାନ୍ସର ମୁଖ୍ୟଭାବେ ଯୋଗଦେଇ ପରେ ସଫ୍ଟବ୍ୟାଙ୍କ ଭିଜନ ଫଣ୍ଡ୍‌ର ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର