କରୋନାର ମୁକାବିଲା: ରତନ ଟାଟା ଦେଲେ ୫୦୦ କୋଟି

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଶିଳ୍ପପତିମାନେ କୋଟି କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି। ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା ଆଜି ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ୍‌ରେ ସେ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ମେଡିକାଲ୍ ଉପକରଣ କିଣିବା, ନିଶ୍ବାସ ପ୍ରଶ୍ବାସ ନେବାରେ ସହାୟତା କରୁଥିବା ଉପକରଣ, ଟେଷ୍ଟିଂ କିଟ୍ ଏବଂ ଚିକିତ୍ସା ବ୍ୟବସ୍ଥା ସ୍ଥାପନ କରିବା ଦିଗରେ ଏହି ଅର୍ଥ ବିନିଯୋଗ କରାଯିବ। ସାଧାରଣ ଜନତା ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହା ସଚେତନ କରିବ ଏବଂ ପ୍ରଶିକ୍ଷଣ ପ୍ରଦାନ କରିବ ବୋଲି ମଧ୍ୟ ଟାଟା ସନ୍ସ ପକ୍ଷରୁ କୁହାଯାଉଛି। ରତନ ଟାଟା କହିଛନ୍ତି ଯେ, ସମଗ୍ର ମାନବ ସମାଜ ଏବେ ଏଭଳି ଏକ ସଙ୍କଟର ସାମ୍ନା କରୁଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏଥିପାଇଁ ଜରୁରୀକାଳୀନ ଭିତ୍ତିରେ ସମ୍ବଳ ବିନିଯୋଗ କରିବାକୁ ହେବ ବୋଲି ସେ କହିଛନ୍ତି। କରୋନା ସ୍ଥିତିର ମୁକାବିଲା ଲାଗି ଦେଶର ଶିଳ୍ପପତିମାନେ ଜିନିଷ ଓ ଟଙ୍କା ଉଭୟ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି। ଏହା ପୂର୍ବରୁ ବେଦାନ୍ତର ଅନିଲ ଅଗ୍ରୱାଲ୍, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନିଙ୍କ ଭଳି ଶିଳ୍ପପତି ବିଭିନ୍ନ ପ୍ରକାର ସହାୟତା ଘୋଷଣା କରିସାରିଛନ୍ତି। ଭେଂଟିଲେଟର ନିର୍ମାଣ କରିବା ଉପରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କାର୍ଯ୍ୟ କରୁଥିବା ବେଳେ ମୁକେଶ ଅମ୍ବାନି ମୁମ୍ବାଇରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ନିର୍ମାଣ କରିଛନ୍ତି। ଅନେକ ଏଫ୍ଏମ୍‌ସିଜି କଂପାନି ଯଥା ଆଇଟିସି, ଏଚ୍‌ୟୁଏଲ୍ ଏବଂ ଗୋଦ୍‌ରେଜ୍ ତରଫରୁ ସରକାରଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର