ଲେଟର ଅଫ ଅଣ୍ଡରଟେକିଂ ବ୍ୟବସ୍ଥା ଉଚ୍ଛେଦ କଲା ରିଜର୍ଭ ବ୍ୟାଙ୍କ

ଏହାର ଦୁର୍ବଳତାର ଫାଇଦା ଉଠାଇଥିଲା ନିରବ ମୋଦି

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ମାନଙ୍କ ଦ୍ୱାରା କର୍ପୋରେଟ ଋଣ ପ୍ରଦାନ ବେଳେ ବ୍ୟବହାର ହେଉଥିବା ଲେଟର ଅଫ ଅଣ୍ଡରଟେକିଂ ଓ ଲେଟର ଅଫ କମ୍ଫଟ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏହି ବ୍ୟବସ୍ଥାରେ ଥିବା ଦୂର୍ବଳତାର ଫାଇଦାନେଇ ନିରବ ମୋଦି ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩୬୦୦ କୋଟି ଟଙ୍କା ଠକି ନେଇଯାଇଛି । ଏହି ଠକେଇ ଖବର ଜଣାପଡିବା ପରେ ଏହି ଲେଟର ଅଫ ଅଣ୍ଡରଟେକିଂ ବ୍ୟବସ୍ଥାକୁ ନେଇ ବିବାଦ ଉଠିଥିଲା ଓ ରିଜର୍ଭ ବ୍ୟାଙ୍କ ଆଡକୁ ମଧ୍ୟ ଅଙ୍ଗୁଳି ଉଠିଥିଲା । ଆଗକୁ ଯେପରି ପିଏନପି ପରି ବ୍ୟାଙ୍କ ଠକେଇ ନହେବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । ତେବେ ବ୍ୟାଙ୍କ ଗ୍ୟାରେଣ୍ଟି ଓ ଲେଟର ଅଫ କ୍ରେଡିଟ ବ୍ୟବସ୍ଥା ଅବ୍ୟାହତ ରହିବ । ବ୍ୟାଙ୍କ ଗ୍ୟାରେଣ୍ଟି ଓ ଲେଟର ଅଫ କ୍ରେଡିଟ ବ୍ୟବସ୍ଥାରେ ଋଣ ଦେବା ପୂର୍ବରୁ ସଂପୃକ୍ତ କମ୍ପାନିର କ୍ରେଡିଟ୍‌ ରେଟିଂ ଓ ଋଣ ଯୋଗ୍ୟତା ଯାଞ୍ଚ କରିଥାଏ ।

କିନ୍ତୁ ଏଲଓୟୁ କ୍ଷେତ୍ରରେ ଋଣ ଦେଉଥିବା ବ୍ୟାଙ୍କ ଏଲଓୟୁ ଇସ୍ୟୁ କରିଥିବା ବ୍ୟାଙ୍କକୁ ଭରଷା କରି ଋଣ ଦିଏ । ଏଲଓୟୁକୁ ଏକ ପ୍ରକାରର ଗ୍ୟାରେଣ୍ଟି ବୋଲି ଧରାଯାଏ, ଏହାକୁ ଦେଖାଇ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାରୁ ଋଣ ନେଇହେବ । କିନ୍ତୁ ଏସବୁ ଋଣ ପାଇଁ ସଂପୃକ୍ତ ବ୍ୟାଙ୍କ ଦାୟୀ ରହିବ । ଅର୍ଥାତ୍‌ ଋଣ ନେଇ ଥିବା ବ୍ୟକ୍ତି ବା ସଂସ୍ଥା ନ ସୁଝିଲେ ସେଥିଲାଗି ଏଲଓୟୁ ଦେଇଥିବା ବ୍ୟାଙ୍କ ହିଁ ସୁଝିବ ।

ସମ୍ବନ୍ଧିତ ଖବର