ଶସ୍ତା ହେବ ନାହିଁ ବ୍ୟାଙ୍କ କିସ୍ତି, ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗତ ଦୁଇଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ଗତ ଫେବ୍ରୁଆରୀମାସରେ ଘୋଷିତ ଋଣନୀତି ସମୀକ୍ଷାରେ ମଧ୍ୟ ସୁଧହାର ଅପରିବର୍ତ୍ତିତ ରଖାଯାଇଥିଲା ।

ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ଶସ୍ତା ହେବାର ଆଶା ମଉଳି ଯାଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୫.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । କ୍ୟାସ ରିଜର୍ଭ ରେସିଓ (ସିଆରଆର) ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଭାଗରେ ମୁଦ୍ରାସ୍ପୀତି ହାର ୪.୭ ରୁ ୫.୧ ପ୍ରତିଶତ ମଧ୍ୟରେ ଓ ୨ୟ ଭାଗରେ ୪.୪ ପ୍ରତିଶତ ରହିବା ଅଟକଳ କରିଛି ରିଜର୍ଭ ବ୍ୟାଙ୍କ । ଅନ୍ୟପକ୍ଷରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶ ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ ଓ ୨୦୧୮-୧୯ରେ ଏହା ୭.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି ।

ସମ୍ବନ୍ଧିତ ଖବର