ସୁଧ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି ସୁଧ ହାରକୁ ଅପରିବର୍ତ୍ତିତ ରଖିବା ନିଷ୍ପତ୍ତି ଗ୍ରହଣ କରିଛି। ରେପୋ ହାର ୬%ରେ ରହିଛି। ଏମ୍‌ପିସିର ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ଭୋଟ୍‌ ଦେଇଥିଲେ। ମାତ୍ର ଜଣେ ସଦସ୍ୟ ରେପୋ ହାର ୦.୨୫% ହ୍ରାସ ଘୋଷଣା କରିବାକୁ କହିଥିଲେ। ଅଗଷ୍ଟରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବେଳେ ଆର୍‌ବିଆଇ ପକ୍ଷରୁ ସୁଧ ହାରରେ ୦.୨୫%ର ହ୍ରାସ ଘୋଷଣା କରାଯାଇଛି। ରିଭର୍ସ ରିପୋ ହାର ୫.୭୫% ଏବଂ ବ୍ୟାଙ୍କ ହାର ୬.୨୫% ରହିଛି। ରେପୋ ହାର ଅପରିବର୍ତ୍ତିତ ରଖାଯାଇଥିବାରୁ ଗୃହ ଏବଂ ଗାଡ଼ି ଋଣ ଆଦି ଉପରେ ମାସିକ କିସ୍ତି (ଇଏମ୍‌ଆଇ) ପରିମାଣ କମିବ ନାହିଁ। ସାଧାରଣତଃ ଆର୍‌ବିଆଇ ସୁଧ ହାର କମାଇଲେ ଇଏମ୍‌ଆଇ କମ ହୋଇଥାଏ। ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ସମେତ ଡକ୍ଟର ଚେତନ ଘାଟେ, ଡକ୍ଟର ପମି ଦୁଆ, ଡକ୍ଟର ବିରଳ ଭି ଆଚାର୍ଯ୍ୟ ଏବଂ ମାଇକେଲ୍‌ ପାତ୍ର ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ଭୋଟ୍‌ ଦେଇଥିଲେ। ଆଇଆଇଏମ୍‌ର ପ୍ରଫେସର ଡକ୍ଟର ରବିନ୍ଦ୍ର ଏଚ୍‌ ଢ଼ୋଲକିଆ ସୁଧ ହାର ୦.୨୫% କମାଇବା ପାଇଁ ଭୋଟ୍‌ ଦେଇଥିଲେ।

ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌, ଗ୍ରାହକ ଚିନ୍ତିତ

ନୂଆଦିଲ୍ଲୀ: ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଏବଂ ସୁଧାର ଆଣିବା ପାଇଁ ବିମୁଦ୍ରାକରଣ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ସରକାର ଆଗାମୀ ଦିନରେ ବ୍ୟାଙ୍କରେ ଥିବା ଲୋକମାନଙ୍କ ଟଙ୍କା ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଛି। ଖବରକୁ ଭାଇରାଲ୍‌ କରୁଥିବା ଲୋକମାନେ ସାଧାରଣ ଜନତା ଭୟଭୀତ ହୋଇଯିବା ଭଳି ଅନେକ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି। ସରକାର ପ୍ରସ୍ତୁତ କରିଥିବା ଏଫ୍‌ଆରଡିଆଇ ବିଲ୍‌ ୨୦୧୭କୁ ଭୁଲ ଭାବେ ତର୍ଜମା କରି ଏହି ସବୁ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ଯଦି ବ୍ୟାଙ୍କ ବ୍ୟବସାୟିକ ଭାବେ ବିଫଳ ହେବ ତେବେ ସେଥିରେ ଯେତେ ଗ୍ରାହକ ଟଙ୍କା ଜମା ରଖିଥିଲେ ତାହା ବୁଡ଼ିବ। ଏହି ଖବରକୁ ନେଇ ସଞ୍ଚୟ ଜମାକାରୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବ୍ୟାଙ୍କ ବୁଡ଼ିଯିବା ଭଳି ସ୍ଥିତିକୁ ଚାଲି ଆସିଲେ ତାହା ଜମାକାରୀଙ୍କ ଟଙ୍କାକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରୂପେ ଋଣ ବୋଝ ହାଲୁକା କରିବା ପାଇଁ ବ୍ୟବହାର କରିପାରିବ। ଏଭଳି ଅନୁମତି ବ୍ୟାଙ୍କଗୁଡ଼ିକୁ ସରକାର ଏହି ବିଲ୍‌ ଜରିଆରେ ପ୍ରଦାନ କରିବେ। ଏହା ହେଲେ ଲୋକମାନେ ନିଜ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ପାରିବେ ନାହିଁ। ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ ନିୟମ, ୧୯୬୧ ଅନୁସାରେ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜମା ପାଇଁ ବୀମା ସୁବିଧା ରହିଛି। ଯଦି କୌଣସି ବ୍ୟାଙ୍କ ବୁଡ଼ିଯାଏ ଯେଉଁ ଗ୍ରାହକ ସେଥିରେ ଯେତେ ଟଙ୍କା ଜମା ରଖିଥାନ୍ତୁ ନା କାହିଁକି ତାଙ୍କୁ ଏହି ନିୟମ ଆଧାରରେ ମାତ୍ର ୧ ଲକ୍ଷ ଟଙ୍କା ହିଁ ମିଳିବ। ସରକାର ଏବେ ପ୍ରସ୍ତୁତ କରିଥିବା ଏଫ୍‌ଆରଡିଆଇ ନିୟମରେ ଏହି ସୁବିଧାକୁ ମଧ୍ୟ ଉଠାଇ ଦେଇଛନ୍ତି ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର