କେତେକ ଅସାଧୁ ବ୍ୟବସାୟୀ ଆମ ଦେଶର ଭବିଷ୍ୟତକୁ ଲୁଟୁଛନ୍ତି : ପିଏନବି ଠକେଇ ନେଇ ମୁହଁ ଖୋଲିଲେ ଉର୍ଜିତ ପଟେଲ

ଗାନ୍ଧିନଗର : ବହୁକୋଟି ଟଙ୍କାର ପିଏନବି ଠକେଇକୁ ନେଇ ବେଶକିଛି ଦିନ ଧରି ଚୁପ ରହିଥିିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ମୁହଁ ଖୋଲିଛନ୍ତି । ଦେଶର ବ୍ୟାଙ୍କ ଗୁଡ଼ିକରେ ବଡ଼ ବଡ଼ ଠକେଇ ଧରାପଡୁଥିବାରୁ ସେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । କେତେକ ଅସାଧୁ ବ୍ୟବସାୟୀ ଆମ ଦେଶର ଭବିଷ୍ୟତକୁ ଲୁଟୁଛନ୍ତି ବୋଲି ସେ କହିଛନ୍ତି । ତେବେ ଏସବୁକୁ ନିୟନ୍ତ୍ରଣ କରିବାର କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ ବୋଲି ସେ ଅସହାୟତା ପ୍ରକାଶ କରିଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ଅଧିକ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ନୀଳକଣ୍ଠ ପରି ରିଜର୍ଭ ବ୍ୟାଙ୍କ ସବୁ ନିନ୍ଦା ଅପବାଦ ସହିବ, କିନ୍ତୁ ବ୍ୟାଙ୍କ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ନିଜର ଉଦ୍ୟମ ଅବ୍ୟାହତ ରଖିବ । ଗୁଜୁରାଟ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ ଏସବୁ ବ୍ୟାଙ୍କ ଠକେଇକୁ ନେଇ ରିଜର୍ଭ ବ୍ୟାଙ୍କରେ ମଧ୍ୟ କ୍ରୋଧର ବାତାବରଣ ଅଛି । ସରଳ ଭାଷାରେ କହିଲେ କେତେକ ଅସାଧୁ ବ୍ୟବସାୟୀ ଆମ ଦେଶର ଭବିଷ୍ୟତକୁ ଲୁଟୁଛନ୍ତି । ଆଗକୁ ଯେପରି ଏହାକୁ ରୋକିହେବ ସେଥିପାଇଁ ଉଦ୍ୟମ କରାଯାଉଛି । କିନ୍ତୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣ ସୀମିତ । ଏକ ବ୍ୟାଙ୍କର ନିର୍ଦ୍ଦେଶକଙ୍କୁ ହଟାଇବା, ପରିଚାଳନାରେ ପରବର୍ତ୍ତନ, ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରିବାର କ୍ଷମତା ଆରବିଆଇର ନାହିଁ । ଆହୁରି ମଧ୍ୟ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ସରକାରଙ୍କ ମଧ୍ୟ ନିୟନ୍ତ୍ରଣ ରହୁଛି । ଏଣୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ଦୁଇପଟିଆ ନିୟନ୍ତ୍ରଣ ରହିଛି । ଏହା ଦ୍ୱାରା ଦୂର୍ବଳତା ଦେଖାଦେଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର