ନଭେମ୍ବରରେ ମାତ୍ର ୩ଟି କଣ୍ଟିନେଣ୍ଟାଲ ବାଇକ୍‌ ବିକ୍ରି କରିଛି ରୟାଲ ଏନଫିଲଡ୍‌

ନୂଆଦିଲ୍ଲୀ: ରୟାଲ ଏନଫିଲଡ୍‌ର ବାଇକ୍‌ଗୁଡ଼ିକ ବିଗତ ଅନେକ ଦଶନ୍ଧି ଧରି ଭାରତୀୟ ବଜାରରେ ନିଜର ପ୍ରାଧାନ୍ୟ ଜାହିର କରିଆସିଛି । ଆଜିକାଲି ମଧ୍ୟ ଯୁବାବର୍ଗଙ୍କ ମଧ୍ୟରେ ଏହି କମ୍ପାନିର ବାଇକର ଚାହିଦା କାହିଁରେ କଣ । କିନ୍ତୁ କମ୍ପାନିର ଏପରି କେତୋଟି ମଡେଲ ଅଛି ଯାହାର ଚାହିଦାକୁ ଦେଖି ଖୋଦ କମ୍ପାନିକୁ ବୋଧହୁଏ ଲଜ୍ଜା ଲାଗୁଥିବ । ସେହି ମଡେଲଟି ହେଉଛି କଣ୍ଟିନେଣ୍ଟାଲ ଜିଟି । ଗତ କିଛି ବର୍ଷ ମଧ୍ୟରେ ଏହି ଦାମୀ ବାଇକ୍‌ଟିର ଚାହିଦା କମିଚାଲିଥିଲା । କିନ୍ତୁ ଗତ ମାସରେ ଏହି ବାଇକର ବିକ୍ରି ଯେ ଏତେ ଖସିଯିବ ତାହା କମ୍ପାନି ମଧ୍ୟ ବିଶ୍ୱାସ କରିୁପାରୁନାହିଁ । ନଭେମ୍ବର ମାସରେ ସାରା ଦେଶରେ ମାତ୍ର ୩ଟି କଣ୍ଟିନେଣ୍ଟାଲ ଜିଟି ବାଇକ୍‌ ବିକ୍ରି କରିଥିଲା । ଫଳରେ ଏହି ବାଇକ୍‌ ମଡେଲର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ଯୋଜନା କରୁଥିବା ଜଣାଯାଇଛି ।

ମିଳିଥିବା ସୂଚନା ମୁତାବକ ଗତ ଅକ୍ଟୋବରରେ ୨୬ଟି ଓ ସେପ୍ଟେମ୍ବରରେ ୬୬ଟି କଣ୍ଟିନେଣ୍ଟାଲ ବାଇକ୍‌ ବିକ୍ରି ହୋଇଥିଲା । ଏପରିକି ଗତ ବର୍ଷ ନଭେମ୍ବର ମାସରୁ କୌଣସି ମାସରେ ଏହାର ବିକ୍ରି ୧୦୦ ଟପିନାହିଁ । ଅପରପକ୍ଷରେ ବଜାରରେ ବହୁଗୁଣ ଅଧିକଦାମରେ ମିଳୁଥିବା ଅନ୍ୟ ବ୍ରାଣ୍ଡର ବାଇକ୍‌ ଗୁଡ଼ିକ ଯଥା ହାର୍ଲେଡେଭିଡସନ, ଟ୍ରିଅମ୍ପ, ଡ୍ୟୁକ୍‌, କେଟିଏମ ଆଦିର ବିକ୍ରି ମଧ୍ୟ ଏହାଠାରୁ ଅନେକ ଅଧିକ ରହିଛି ।

ତେବେ ରୟାଲ ଏନଫିଲଡର ଅନ୍ୟ ମଡେଲ ବିଶେଷତଃ କ୍ଲାସିକ୍‌ ୩୫୦ର ବିକ୍ରି ବଢିଚାଲିଛି । ଗତ ବର୍ଷକ ମଧ୍ୟରେ ଏହି ମଡେଲର ବିକ୍ରି ଅନେକଗୁଣ ବଢିଯାଇଛି ।

ସମ୍ବନ୍ଧିତ ଖବର